ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଏକାଦଶ ଦିନରେ ୧୨ ଗୋଲ, ଆସନ୍ତାକାଲି ମାଲେସିଆକୁ ଭେଟିବ ଜର୍ମାନୀ

‘ପୁଲ-ଡି’ରେ ନେଦରଲାଣ୍ଡସ୍‌ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଏକାଦଶ ଦିନରେ ଶନିବାର ୧୨ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଭାରତ ୫-୧ ଗୋଲରେ କାନାଡା ବିପକ୍ଷରେ ମ୍ୟାଚ ଜିତିଛି। ଏଥି ସହିତ ଭାରତ ନିଜର ‘ପୁଲ-ସି’ର ପଏଣ୍ଟ ତାଲିକାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ‘ପୁଲ-ଡି’ରେ ରବିବାର ସନ୍ଧ୍ୟା ୫ଟାରେ ମାଲେସିଆ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ଖେଳାଯିବ। ସେହିପରି ରାତି ୭ଟାରେ ଚଳିତ ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ ନେଦରଲାଣ୍ଡସ୍‌ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ।

ଆଜି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଶନିବାର ଭାରତୀୟ ଖେଳାଳିମାନେ ପ୍ରଶଂସନୀୟ ପଦ୍ରଦର୍ଶନ କରିଛନ୍ତି। ଭାରତ ଚଳିତ ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୨ତମ ମ୍ୟାଚରେ ୫-୧ ଗୋଲରେ କାନାଡାକୁ ପରାସ୍ତ କରିଛି।

ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଥମ ଗୋଲ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ କାନାଡା ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଭାରତ କ୍ରମାଗତ ଭାବରେ ୨ଟି ଗୋଲ ଦେଇ ମ୍ୟାଚ ୪-୧ରେ ଆଗକୁ ବଢ଼ିଥିଲା।

କାନାଡା ବିପକ୍ଷରେ ଆଜି ଭାରତର ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ କଳିଙ୍ଗ ହକି ଗ୍ରାଉଣ୍ଡରେ ପ୍ରବଳ ମାତ୍ରାରେ ଦର୍ଶକ ଉପସ୍ଥିତ ଥିଲେ। ହକିପ୍ରେମୀ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ପୁରୁଷ ହକି ବିଶ୍ୱକପ୍‌ର ୨୧ତମ ମ୍ୟାଚରେ ଶନିବାର ବେଲ୍‌ଜିୟମ ୫-୧ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ପ୍ରଥମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚ୍‌ର ପ୍ରଥମ ଗୋଲ ଦେବା ପରେ ବେଲଜିୟମ୍‌ର ଖେଳାଳିମାନେ ସତର୍କ ହୋଇ ଯାଇଥିଲେ। ଏହା ପରେ ସେମାନେ ଆଉ ପଛକୁ ଫେରି ନଥିଲେ। ଟିମ୍‌ର ସମସ୍ତ ଖେଳାଳି ଏକଜୁଟ ହୋଇ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଶେଷରେ ମ୍ୟାଚ୍‌ ୫-୧ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର