ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସକୁ ୩-୦ରେ ପରାସ୍ତ କରି ସେମିରେ ଅଷ୍ଟ୍ରେଲିଆ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଅନ୍ୟତମ କ୍ୱାର୍ଟରଫାଇନାଲ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆ ୩-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୩୦ତମ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ  ଖେଳାଳିଙ୍କ ଉପରେ ଆରମ୍ଭରୁ ନିଜର ଆଧିପତ୍ୟ ଜାରି ରଖିଥିଲେ। ଆୟୋଜକ ଭାରତ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଗୁରୁବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ମୁକାବିଲା କରିବ।

ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଜୟୀ ହେବା ପରେ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ଡିସେମ୍ବର ୧୫ରେ ଜର୍ମାନୀ ଓ ବେଲଜିୟମ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ।

କଳିଙ୍ଗ ଷ୍ଟାଡିୟମ୍‌ର ଦର୍ଶକପୂର୍ଣ୍ଣ ହକି ଗ୍ରାଉଣ୍ଡରେ ଉଭୟ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଆଜି କଡ଼ାମୁକାବିଲା ଦେଖିବାକୁ ମିଳିଛି। ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୩ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି।  କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

 

ସମ୍ବନ୍ଧିତ ଖବର