ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ରେ ବେଲଜିୟମ୍ ଚାମ୍ପିଅନ୍ ହୋଇଛି। ବିଶ୍ୱ ବିଜେତା ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କରି ଇତିହାସ ରଚିଛି। ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ନେଦରଲାଣ୍ଡସ୍କୁ ପେନାଲଟି ସୁଟ୍ଆଉଟ୍ରେ ୩-୨ ଗୋଲରେ ପରାସ୍ତ କରିଛି। ଚଳିତ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ ରୋମାଂଚକ ଥିଲା। ବେଲଜିୟମ୍ ଯଦିଓ ଶନିବାର ଇଂଲଣ୍ଡ ବିପକ୍ଷରେ ଏକତରଫା ୬-୦ ଗୋଲରେ ବିଜୟୀ ହୋଇଥିଲା, ନେଦରଲାଣ୍ଡସ୍ର ଖେଳାଳିଙ୍କ ସମ୍ମୁଖରେ ଆଜି ପ୍ରାଧାନ୍ୟ ବିସ୍ତାର କରିପାରୁ ନଥିଲା। ମ୍ୟାଚ୍ରେ କୌଣସି ଗୋଲ ନ ହେବା ପରେ ପେନାଲ୍ଟି ସୁଟ୍ଆଉଟ୍ର ସାହାଯ୍ୟ ନିଆଯାଇଥିଲା।
ପ୍ରଥମ ଥର ଚାମ୍ପିଅନ ହୋଇ ଇତିହାସ ରଚିଥିବା ବେଲଜିୟମ୍ ପାଇଁ କଳିଙ୍ଗ ହକି ଗ୍ରାଉଣ୍ଡ ସ୍ମରଣୀୟ ରହିବ। ସେହିପରି ବିଶ୍ୱକପ୍ର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡସ୍ ମଧ୍ୟ ଭୁବନେଶ୍ୱରର ଅନୁଭୂତି ଭୁଲି ପାରିବ ନାହିଁ।
? | LIVE | @BELRedLions are the new World Champions! Take it away, boys. #HWC2018 #Odisha2018
?? #BELvNED ?? pic.twitter.com/CnwdxHC4HQ— Hockey World Cup 2018 - Host Partner (@sports_odisha) December 16, 2018
ଫାଇନାଲ ମ୍ୟାଚ୍ରେ ଭାରତ ରତ୍ନ ତଥା ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲେ। କଳିଙ୍ଗ ଷ୍ଟାଡିୟମ୍ର ପରିବେଶକୁ ଦେଖି ସଚିନ ବହୁତ ଖୁସି ଅନୁଭବ କରିଥିଲେ। ଅପରପକ୍ଷେ ଦର୍ଶକମାନେ ମଧ୍ୟ ସଚିନଙ୍କୁୁ ଦେଖି ଉତ୍ସାହିତ ଅନୁଭବ କରିଥିଲେ। ଦର୍ଶକମାନଙ୍କ ସଚିନ...ସଚିନ ଶ୍ଲୋଗାନରେ କଳିଙ୍ଗ ହକି ଗ୍ରାଉଣ୍ଡ ଉଛୁଳି ପଡ଼ିଥିଲା। ସଚିନ ପହଂଚିବା ପରେ ଦର୍ଶକମାନେ କିଛି ସମୟ ପାଇଁ ହକିକୁ ଭୁଲିଯାଇ କ୍ରିକେଟକୁ ମନେ ପକାଇଥିଲେ।
ଆଜି ଚଳିତ ବିଶ୍ୱକପ୍ର ୩୫ତମ ମ୍ୟାଚରେ ଇଂଲଣ୍ଡକୁ ୮-୧ ଗୋଲରେ ପରାସ୍ତ କରି ଅଷ୍ଟ୍ରେଲିଆ କାଂସ୍ୟ ପଦକ ହାସଲ କରିଥିଲା। ଅଷ୍ଟ୍ରେଲିଆ ଶନିବାର ମ୍ୟାଚକୁ ଭୁଲିପାରି ନଥିଲା। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନେଦରଲାଣ୍ଡସ୍ ଠାରୁ ପରାସ୍ତ ହେବା ପରେ ଆଜି ଇଂଲଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲା। ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ, ୨ୟ କ୍ୱାର୍ଟରେ ଗୋଟିଏ ଗୋଲ, ୩ୟ କ୍ୱାର୍ଟରରେ ୩ଟି ଗୋଲ ଦେଇଥିବା ବେଳେ ୪ର୍ଥ ତଥା ଶେଷ କ୍ୱାର୍ଟରରେ ପୁଣି ୨ଟି ଗୋଲ ଦେଇଥିଲା। ଅପରପକ୍ଷେ ଇଂଲଣ୍ଡର ଖେଳାଳିମାନେ ମାତ୍ର ଗୋଟିଏ ଗୋଲ ଦେଇଛନ୍ତି।