ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆର୍ଜେଣ୍ଟିନାକୁ ୩-୨ରେ ହରାଇ ସେମିଫାଇନାଲରେ ଇଂଲଣ୍ଡ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୨୯ତମ ମୁକାବିଲାରେ ବୁଧବାର ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଜୟୀ ହେବା ପରେ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ଡିସେମ୍ବର ୧୫ରେ ଜର୍ମାନୀ ଓ ବେଲଜିୟମ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ।

କଳିଙ୍ଗ ଷ୍ଟାଡିୟମ୍‌ର ଦର୍ଶକପୂର୍ଣ୍ଣ ହକି ଗ୍ରାଉଣ୍ଡରେ ଉଭୟ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଆଜି କଡ଼ାମୁକାବିଲା ଦେଖିବାକୁ ମିଳିଛି। ଆଜି ରାତି ୭ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି।

ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୩ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର