ହକି ବିଶ୍ୱକପ୍‌: କମ୍ପିଲା କଳିଙ୍ଗ ହକି ଗ୍ରାଉଣ୍ଡ, କରତାଳି ଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ ଦର୍ଶକ

‘ପୁଲ-ସି’ ଭାରତ-ବେଲଜିୟମ୍‌ ମ୍ୟାଚ୍‌

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୧୦ମ ମ୍ୟାଚରେ ରବିବାର ଦର୍ଶକମାନେ ଭରପୁର ଆନନ୍ଦ ନେଇଛନ୍ତି। ହକି ବିଶ୍ୱକପ୍‌ ଆରମ୍ଭ ହେବା ପରେ ଏହା ପ୍ରଥମ ରବିବାରର ମ୍ୟାଚ ହୋଇଥିବାରୁ ୪ଟି ଯାକ ଗ୍ୟାଲେରୀରେ ପ୍ରବଳ ଦର୍ଶକ ଦେଖିବାକୁ ମିଳିଥିଲା। ଭାରତ-ବେଲଜିୟମ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ରୋମାଞ୍ଚକ ହୋଇଥିଲା। ଚତୁର୍ଦ୍ଦଶ ସଂସ୍କରଣର ୫ମ ଦିନରେ ଖେଳାଯାଇଥିବା ‘ପୁଲ-ସି’ର ୪ର୍ଥ ମ୍ୟାଚରେ କଡ଼ା ଟକ୍କର ହେବ ବୋଲି ଦର୍ଶକମାନେ ପୂର୍ବରୁ ହିଁ ଭାବୁଥିଲେ ଏବଂ ଶେଷରେ ତାହା ହିଁ ହୋଇଥିଲା। ଦର୍ଶକଙ୍କ ଚିତ୍କାରରେ କଳିଙ୍ଗ ହକି ଗ୍ରାଉଣ୍ଡ ଉଛୁଲି ପଡ଼ିଥିଲା। ଦର୍ଶକମାନେ ଖେଳାଳିମାନଙ୍କୁ ଉତ୍ସାହିତ କରୁଥିଲେ। ପ୍ରଥମ ୨ଟି କ୍ୱାର୍ଟରେ ଯଦିଓ ଖେଳ ସଂଘର୍ଷ ପୂର୍ଣ୍ଣ ଥିଲା ପରବର୍ତ୍ତୀ ୨ଟି କ୍ୱାର୍ଟର ଆହୁରି ରୋମାଞ୍ଚକ ଥିଲା।

ଭାରତ ୩ୟ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ଏହାକୁ ବେଲଜିୟମ ୩ୟ ଏବଂ ୪ର୍ଥ କ୍ୱାର୍ଟରରେ ସମାନ ସ୍ତରକୁ ଆଣିଥିଲା। ଫଳରେ ଏହି ମ୍ୟାଚ ଡ୍ର ହୋଇଛି। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୫ମ ଦିନରେ କଳିଙ୍ଗ ହକି ଗ୍ରାଉଣ୍ଡର ଗ୍ୟାଲିରରେ ଦର୍ଶକମାନେ ରୋମାଞ୍ଚକ ମ୍ୟାଚକୁ ଉପଭୋଗ କରିଥିଲେ।

ଦ୍ୱିତୀୟ ମ୍ୟାଚ ବ୍ୟତୀତ ଆଜିର ପ୍ରଥମ ମ୍ୟାଚ କାନାଡା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ହୋଇଥିଲା। ଉଭୟ ଦେଶର ଖେଳାଳିମାନେ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଏହି ମ୍ୟାଚ ୧-୧ ଗୋଲରେ ଡ୍ର ହେବା ଫଳରେ କୌଣସି ନିସ୍କର୍ଷ ବାହାରି ନ ଥିଲା। କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ‘ପୁଲ-ସି’ର ୩ୟ ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଥିଲେ। କାରଣ ୨ ଦେଶର ଖେଳାଳିମାନେ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲେ। ପ୍ରଥମ ୨ଟି କ୍ୱାର୍ଟରେ କୌଣସି ଗୋଲ୍‌ ହୋଇ ନଥିବାରୁ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଥିଲେ। ୩ୟ କ୍ୱାର୍ଟର ଅନ୍ତିମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଗୋଲ ଦେବାର ଖୁବ୍‌ ଅଳ୍ପ ସମୟ ମଧ୍ୟରେ କାନାଡା ଏହାକୁ ସମାନ ସ୍ତରକୁ ଆଣିଥିଲା। ଶେଷ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା।

ସମ୍ବନ୍ଧିତ ଖବର