ରାଉରକେଲା: ଲାଗାତାର ଭାବେ ଦୁଇ ଥର ହକି ବିଶ୍ବକପ୍ ଆୟୋଜନ ପରେ ଓଡ଼ିଶା ବିଶ୍ବ ହକିର ଏକ ବଡ଼ କେନ୍ଦ୍ର ଭାବେ ଉଭା ହୋଇଛି। ଏହା ସହିତ ଓଡ଼ିଶାର ସୁନାମ ମଧ୍ୟ ବଢ଼ିଛି। ରାଜ୍ୟ ସରକାର ଭାରତୀୟ ହକିର ପ୍ରାୟୋଜକ ହେବା ସହିତ ସ୍ଥାନୀୟ ହକି ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାଲାଗି ଅନେକ କାମ କରୁଛନ୍ତି। ହକି ଇଣ୍ଡିଆ ଲିଗ୍ ପାଇଁ ଓଡ଼ିଶାର ନିଜସ୍ୱ ଦଳ ଗଠନ ହେଉ କି ଅଲିମ୍ପିକ ଯାଉଥିବା ରାଜ୍ୟର ଖେଳାଳିଙ୍କୁ ଆର୍ଥିକ ସହାୟତା ଯୋଗାଇବା କଥା ହେଉ, ସବୁଥିରେ ରାଜ୍ୟ ସରକାର ବହୁ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ଦଳର ପ୍ରଶିକ୍ଷଣ ପାଇଁ ଦେଶ ବିଦେଶର ଖ୍ୟାତନାମା ପ୍ରଶିକ୍ଷକ ରାଜ୍ୟକୁ ଆସୁଛନ୍ତି। ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକୁ ଆବଶ୍ୟକ ହେଲେ ଉଡ଼ାଜାହାଜରେ ପଠାଯାଉଛି। ନିକଟରେ ରାଜ୍ୟର ଉପକନିଷ୍ଠ ପୁଅ ଓ ଝିଅ ଦଳ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାଲାଗି ମାଲେସିଆ ଯାଇଥିଲେ। ୧୦ ବର୍ଷ ପୂର୍ବରୁ ଏସବୁ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା।
୨୦ ବର୍ଷ ତଳେ କିନ୍ତୁ ଓଡ଼ିଶାରେ ହକି ଏମିତି ସ୍ଥିତିରେ ନ ଥିଲା। ସେ ସମୟରେ ଖେଳାଳିମାନେ ଯେଉଁ ପରିସ୍ଥିତିରେ ରାଜ୍ୟର ପ୍ରତିନିଧତ୍ବ କରୁଥିଲେ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ରାଜ୍ୟ ଦଳରେ ସ୍ଥାନ ପାଇଥିବା ହକି ଖେଳାଳିଙ୍କୁ କୌଣସି ସୁବିଧା ମିଳୁ ନ ଥିଲା। ଏପରିକି ଟ୍ରାକ୍ସୁଟ୍ ତ ଦୂରର କଥା, ଜର୍ସି ଖଣ୍ଡେ ମଧ୍ୟ ମିଳୁନଥିଲା। ମ୍ୟାଚ୍ ସମୟରେ ପିନ୍ଧିବାଲାଗି ଓଡ଼ିଶା ଜର୍ସି ଦିଆ ଯାଉଥିଲା, ହେଲେ ପ୍ରତିଯୋଗିତା ସରିବା ସାଙ୍ଗେ ସାଙ୍ଗେ ଦଳ ସହ ଯାଇଥିବା ଅଧିକାରୀ ସବୁ ଜର୍ସି ଫେରାଇ ନେଉଥିଲେ। ଖେଳାଳିମାନଙ୍କୁ ହକି ଷ୍ଟିକ୍ ବି ଦିଆ ଯାଉ ନ ଥିଲା। ମନୋନୀତ ଖେଳାଳି ନିଜ ନିଜର ହକି ଷ୍ଟିକ ନେଇ ଯାଉଥିଲେ, ନିଜର ନଥିଲେ ଅନେକ ଖେଳାଳି ମନୋନୟନ ପରେ ସାଥୀ ଖେଳାଳି ବା ପୁରୁଣା ଖେଳାଳିଙ୍କ ଠାରୁ ହକି ଷ୍ଟିକ୍ ମାଗି ନେଉଥଲେ।
ଦଳରେ ଖେଳାଳି ମନୋନୟନରେ ଏକ ଅଲିଖିତ ସଂରକ୍ଷଣ ନୀତି ରହୁଥିଲା। ସେ କଥା ମନେ ପକାଇ ଅଶୀ ଦଶକରେ ରାଜ୍ୟର ପ୍ରତିନିଧତ୍ବ କରିଥିବା ଜଣେ ଖେଳାଳି କହନ୍ତି, ‘‘ଦଳରେ ମନୋନୀତ ୧୬ କିମ୍ବା ୧୮ ଖେଳାଳିଙ୍କ ମଧ୍ୟରୁ ୧୨-୧୩ ଜଣ ଦକ୍ଷତା ଭିତ୍ତିରେ ମନୋନୀତ ହେଉଥିଲେ। ବାକି ୪-୫ ଖେଳାଳି ପ୍ରତିପତ୍ତି ଥିବା ଜିଲ୍ଲାଗୁଡ଼ିକରୁ ମନୋନୀତ ହେଉଥିଲେ। ସେମାନେ କେବଳ ବୁଲିବା ପାଇଁ ଯାଉଥିଲେ। ପରେ ରାଜ୍ୟ ଖେଳାଳି ଭାବେ ଚାକିରି ପାଇବାରେ ତାହା ତାଙ୍କୁ ସାହାଯ୍ୟ କରୁଥିଲା...। ୧୯୪୯ରେ ରାଜ୍ୟ ହକି ସଂଘର ସ୍ଥାପନା ପରେ ସତୁରି ଦଶକ ପର୍ଯ୍ୟନ୍ତ ଓଡ଼ିଶା ହକିର କୌଣସି ଉଲ୍ଲେଖଯୋଗ୍ୟ ସଫଳତା ଦେଖିବାକୁ ମିଳିନଥିଲା। ତେବେ ୧୯୭୭ରେ ସ୍ୱର୍ଗତଃ ମାଇକେଲ କିଣ୍ଡୋ ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେବା ପରେ ଓଡ଼ିଶା ହକିର ଚିତ୍ର ବଦଳି ଗଲା। ଶ୍ରୀ କିଣ୍ଡୋ ମାତ୍ର ୩ ବର୍ଷ ରାଜ୍ୟ ଦଳରେ ଖେଳିଥିଲେ। ତା’ ଭିତରୁ ୨ ଥର ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା। ଏହି ସଫଳତା ଓଡ଼ିଶା ହକି ଖେଳାଳିଙ୍କ ମନୋବଳକୁ ବଢ଼ାଇଥିଲା।
୧୯୮୦ରେ ପ୍ରଥମ ଥର ପାଇଁ ଓଡ଼ିଶାରୁ ୩ ଜଣ ଖେଳାଳି ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ମନୋନୀତ ହୋଇଥିଲେ। ସେମାନେ ଥିଲେ ୟାକୁବ ଏକ୍କା, ସାରଣ ବେକ ଓ ଫେବିୟନ ସମଦ। କିନ୍ତୁ ଏମାନଙ୍କ ପଛରେ କୌଣସି ଗଡ୍ ଫାଦର୍ ନଥିବାରୁ ସେମାନଙ୍କ ଯାତ୍ରା ଜାତୀୟ ପ୍ରଶିକ୍ଷଣ ଶିବିରରେ ହିଁ ସୀମିତ ରହିଥିଲା। ଅଶୀ ଦଶକରେ ଯେଉଁ ଖେଳାଳିମାନେ ରାଜ୍ୟର ପ୍ରତିନିଧିତ୍ବ କରିଥିଲେ, ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ- ମାଇକେଲ କିଣ୍ଡୋ, ୟାକୁବ ଏକ୍କା, ସାରଣ ବେକ, ନେଲସନ ସମଦ, ଫେବିୟନ ସମଦ, ସିଲଭାନୁସ ମିଞ୍ଜ, ଜାହିର ଖାନ, ଏ ପି ରାୟ, ପିଟର ତିର୍କି, ଦୀପକ ସୋରେନ, ଜନ ବେକ, ଆର୍ପି ଠାକୁର, ମିଲଟନ ଡୁଙ୍ଗଡୁଙ୍ଗ, ଉଦୟ ଡୁଙ୍ଗଡୁଙ୍ଗ, ଡେନିୟଲ ତିର୍କି, ଗ୍ରେଗୋରୀ ମିଞ୍ଜ, ପ୍ରଦୀପ ଲାକ୍ରା ଓ ସୁଲେମାନ କୁଜୁର ଆଦି। ୧୯୮୨ରେ ଗୋଟିଏ ଛୋଟ ଗାଁରୁ ବାହାରି ପିଟର ତିର୍କି ଜୁନିୟର ଭାରତୀୟ ଦଳରେ ମନୋନୀତ ହୋଇ ଓଡ଼ିଶାର ଯୁବ ଖେଳାଳିଙ୍କ ପାଇଁ ନୂଆ ପ୍ରେରଣା ପାଲଟି ଯାଇଥିଲେ। ପିଟର ୧୯୮୪ ଲସ୍ ଆଞ୍ଜେଲସ ଅଲିମ୍ପିକ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାଲାଗି ଜଣେ ବଡ଼ ଦାବିଦାର ଥିଲେ। କିନ୍ତୁ ଗଡ୍ ଫାଦର୍ ନ ଥିବାରୁ ସେ ଓଡ଼ିଶାର ପ୍ରଥମ ଅଲିମ୍ପିୟାନ ହେବାରୁ ବଞ୍ଚିତ ହୋଇଥିଲେ।
ପିଟର ତିର୍କିଙ୍କ ପରେ ଆଉ ଜଣେ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇବାର ଅତି ନିକଟରେ ପହଞ୍ଚିଥିଲେ। ସେ ହେଉଛନ୍ତି ଗ୍ରେଗୋରୀ ମିଞ୍ଜ। ୧୯୯୩ରେ ତାଙ୍କ ନେତୃତ୍ୱରେ ଓଡ଼ିଶା ତୃତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଥିଲା। ଆଜି ଆମେ ଅନେକ ଖେଳାଳିଙ୍କୁ ଡାଇଭ୍ କରି ଗୋଲ୍ କରିବାର ଚେଷ୍ଟା କରୁଥିବା ଦେଖୁଛୁ, ଅଶୀ ଓ ନବେ ଦଶକରେ ଗ୍ରେଗୋରୀ ସେହି ଶୈଳୀରେ ନିୟମିତ ଗୋଲ୍ କରିପାରୁଥିଲେ। ତାଙ୍କୁ ଜାତୀୟ ଜୁନିୟର ଓ ସିନିୟର ଶିବିରକୁ ଡକା ଯାଇଥିଲା। କିନ୍ତୁ ସେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ରହିଲେ।
ଅଶୀ ଦଶକ ମଧ୍ୟରେ ହକି ଛାତ୍ରାବାସ ସ୍ଥାପନା ପରେ ଏବେ ରାଜ୍ୟ ଦଳରେ ପ୍ରାୟତଃ ଛାତ୍ରାବାସ ଖେଳାଳି ହିଁ ରହୁଛନ୍ତି। ବର୍ତ୍ତମାନର ପ୍ରାୟ ସବୁ ପରିଚିତ ହକି ଖେଳାଳି, ଯଥା- ଦିଲୀପ ତିର୍କି, ଲାଜରୁସ ବାର୍ଲା, ଇଗ୍ନେଶ ତିର୍କି, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଜ୍ୟୋତି ସୁନିତା କୁଲୁ, ସୁଭଦ୍ରା ପ୍ରଧାନ, ସୁନିତା ଲାକ୍ରା, ଦୀପଗ୍ରେସ ଏକ୍କା, ନମିତା ଟପୋ, ଲିଲିମା ମିଞ୍ଜ, ସମସ୍ତେ ହକି ଛାତ୍ରାବାସରୁ ଆସିଛନ୍ତି। ଏବେ ଗାଁ କିମ୍ବା ସ୍କୁଲରୁ ସିଧାସଳଖ ଭାବେ ରାଜ୍ୟ ଦଳରେ ସ୍ଥାନ ପାଇବା ଅତ୍ୟନ୍ତ କାଠିକାର ହୋଇଯାଇଛି। ମୋଟ୍ ଉପରେ କହିବାକୁ ଗଲେ, ଓଡ଼ିଶା ହକିର ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି। ଓଡ଼ିଶାରେ ହକି ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସୁବିଧା ବଢ଼ିଛି। କିନ୍ତୁ ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ସେ ଅନୁପାତରେ ବଢୁନାହିଁ। ସେ ଦାୟିତ୍ବ ପ୍ରକୃତରେ ଖେଳାଳିମାନଙ୍କର। ସେମାନେ ନିଜ ପରିଶ୍ରମ ଓ ପ୍ରଦର୍ଶନ ବଳରେ ଜାତୀୟ ଦଳରେ ସ୍ଥାନ ପାଇ ନିଜର ଓ ରାଜ୍ୟର ଗୌରବ ବୃଦ୍ଧି କରିବେ ବୋଲି ସମସ୍ତେ ଆଶା କରନ୍ତି।