ରାଉରକେଲା (ସତୀଶ ଶର୍ମା): ନଭେମ୍ବର ୧୧ ରୁ ୨୦ ନଭେମ୍ଭର ମଧ୍ୟରେ ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ବିହାର ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତା ପାଇଁ ୧୮ ଜଣିଆ ଭାରତୀୟ ଦଳରେ ୧୭ ବର୍ଷୀୟ ସୁନେଲିତା ଟପ୍ପୋ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ମିଡ୍‌ଫିଲ୍ଡର ହେଉ କି ଫରୱାର୍ଡ, ଦୁଇଟା ଯାକ ସ୍ଥାନରେ ସମାନ ଦକ୍ଷତା ସହ ଖେଳିବାରେ ସମର୍ଥ ସୁନେଲିତା କେତେ ପ୍ରତିଭାଶାଳୀ ଓ ପ୍ରଭାବଶାଳୀ ତା’ର ଏକ ନମୁନା ନିକଟରେ ହକି ଲିଗ ପାଇଁ ଅନୁଷ୍ଠିତ ନିଲାମିରେ ଦେଖିବାକୁ ମିଳିଥିଲା। ତାଙ୍କୁ ଦିଲ୍ଲୀ ଏସଜି ପାଇପର୍ସ ନିଜ ଦଳରେ ସାମିଲ ପାଇଁ  ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଓଡ଼ିଶା ମହିଳା ହକି ଖେଳାଳିଙ୍କ ମଧ୍ୟରେ ସେ ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି।

Advertisment

ସୁନ୍ଦରଗଡ଼ ଜିଲାର ସମୃଦ୍ଧ ହକି ପରମ୍ପରାକୁ ଆହୁରି ସୁଦୃଢ଼ କରି ଆଗକୁ ନେଉଥିବା ସୁନେଲିତାଙ୍କ ଜନ୍ମ ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ଗ୍ରାମରେ ସୁରେଶ ଟପ୍ପୋ ଓ ନେଲି ସୁନିତା ଟପ୍ପୋ ଘରେ ୨୦୦୭ରେ ହୋଇଛି। ଏକ ଛୋଟିଆ ଗାଁ ହେଲେ ମଧ୍ୟ ହକି ଦୃଷ୍ଟିରୁ ବିଶାଳ ଗାଁ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଗାଁରୁ ଅନେକ ଅନ୍ତର୍ଜାତୀୟ ଖେଳାଳି ବାହାରି ସାରିଛନ୍ତି। ଏଣୁ ଏଇଠି ସମସ୍ତ ପିଲାଙ୍କ ପରି ସେ ମଧ୍ୟ ଆଠ ବର୍ଷ ବୟସରୁ ହକି ପ୍ରେମରେ ପଡ଼ି ଷ୍ଟିକ୍‌ ଧରି ଥିଲେ। ତାର ପ୍ରତିଭା ଶୀଘ୍ର ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି ଅଞ୍ଚଳର ଅନେକ ଯୁବ ଉଦୀୟମାନ ଖେଳାଳିଙ୍କ ପରି ସୁନେଲିତା ମଧ୍ୟ ଏକ ନିମ୍ନ ଆୟ ବର୍ଗ ପରିବାର ପୃଷ୍ଠଭୂମିରୁ ଆସିଛନ୍ତି। ତେଣୁ, ଜଣେ ବୃତ୍ତିଗତ ହକି ଖେଳାଳି ହେବାର ରାସ୍ତା ଯୁବ ଫରୱାର୍ଡଙ୍କ ପାଇଁ ସହଜ ନଥିଲା। ‘‘ଆର୍ଥିକ ପ୍ରତିବନ୍ଧକ ହେତୁ ମୋତେ ଏକ ପେସାଦାର ହକି ଖେଳାଳି ହେବାର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା, କିନ୍ତୁ ମୋ ପରିବାର ମୋତେ ବିଶ୍ୱାସ ଓ ସମର୍ଥନ କରିବାରୁ ମୁଁ ଆଜି ଏହି ସ୍ତରରେ ପହଁଚି ପାରିଛି’’ ବୋଲି ସୁନେଲିତା  କହିଛନ୍ତି। 

ଗାଁ ମଇଦାନରେ ତିନି ବର୍ଷ ଅଭ୍ୟାସ ପରେ ୨୦୧୧ରେ ସେ ସୁନ୍ଦରଗଡ଼ର ସାଇ ତାଲିମ କେନ୍ଦ୍ର (ଏସ୍‌ଟିସି)ରେ ପ୍ରବେଶ ପାଇଥିଲେ। ସୁନ୍ଦରଗଡ଼ରେ ତିନି ବର୍ଷ ବିତାଇବା ପରେ ସୁନେଲିତାଙ୍କୁ ବେଙ୍ଗାଲୁରୁର ରାଷ୍ଟ୍ରୀୟ ଉତ୍କର୍ଷ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଦିଆଯାଇଥିଲା, ଯେଉଁଠି ସେ ଏବେ ପ୍ରଶିକ୍ଷଣ ନେଉଛନ୍ତି। ଏଠାରେ ତାଙ୍କ ହକି କୌଶଳ ଦ୍ରୁତ ଗତିରେ ବିକଶିତ ହୋଇଛି। ଜାତୀୟ କନିଷ୍ଠ ହକିର ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ ପରେ ୨୦୨୩ ଫେବ୍ରୁଆରି ମାସରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଥିବା ଭାରତୀୟ କନିଷ୍ଠ ଦଳରେ ସାମିଲ କରାଯାଇଥିଲା। ତା’ପର ଠାରୁ ସୁନେଲିତା ଟପ୍ପୋ ଆଉ ପଛକୁ ଚାହିଁ ନଥିଲେ। ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦ୍ୱାରା ଅନେକଙ୍କୁ ପ୍ରଭାବିତ କରିଥିଲେ। ଯାହା ଶେଷରେ ତାଙ୍କୁ ଏପ୍ରିଲ୍ ୨୦୨୩ରେ ବରିଷ୍ଠ ପ୍ରଶିକ୍ଷଣ ଶିବିରରେ ସାମିଲ କରାଯାଇଥିଲା। ଯାହା ସୁନେଲିତାର ହକି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଛି। ଏହା ପରେ ସେ ଭାରତୀୟ କନିଷ୍ଠ ମହିଳା ହକି ଦଳ ନିରନ୍ତର ସ୍ଥିର ଗତିରେ ଅଗ୍ରଗତି କରି ଆସୁଛନ୍ତି।
ନିଜର ସଫଳତାର ମନ୍ତ୍ର ପ୍ରକାଶ କରି ସୁନେଲିତା କହିଛନ୍ତି ଯେ ତାଙ୍କ ପ୍ରଶିକ୍ଷକଙ୍କ ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହିଁ ତାଙ୍କ ଖେଳ ଜୀବନକୁ ଭଲରେ ବଦଳାଇ ଦେଇଛି। ‘‘ପ୍ରଶିକ୍ଷକ ମୋତେ କହିଥିଲେ ଯେ ମୋର ଖେଳ ଭଲ, କିନ୍ତୁ କଠିନ ପରିଶ୍ରମ ହିଁ ଜଣେ ବ୍ୟକ୍ତିଙ୍କୁ ସଫଳ କରିଥାଏ। ସେହି ପରାମର୍ଶ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସରଣ କରୁଛି। ସେଥିପାଇଁ ମୁଁ ସର୍ବଦା କଠିନ ପରିଶ୍ରମ କରୁଛି ଏବଂ ମୋର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରୁଛି’’। ଗତ ବର୍ଷ ସେ ଜାପାନରେ ଅନୁଷ୍ଠିତ କନିଷ୍ଠ ମହିଳା ଏସୀୟ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା। ପରେ ଅଗଷ୍ଟ ମାସରେ ସେ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ପାଇଁ ଜର୍ମାନୀ ଏବଂ ଡିସେମ୍ବର ମାସରେ ଦଶମ କନିଷ୍ଠ ମହିଳା ବିଶ୍ୱ କପ୍‌ ପାଇଁ ଚିଲିର ସାଣ୍ଟିଆଗୋ ଗସ୍ତ କରିଥିଲେ। ଚଳିତ ବର୍ଷର ପ୍ରାରମ୍ଭରେ ସୁନେଲିତା ବରିଷ୍ଠ ଦଳରେ ପଦାର୍ପଣ କରି ଭୁବନେଶ୍ୱର ଓ ରାଉରକେଲାରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଖେଳିବାର ସୁଯୋଗ ପାଇଥିଲେ। ପରେ ଦଳ ସହ ୟୁରୋପ ଯାଇଥିଲେ। ଏବେ ସେ ଏସୀୟ ଚାମ୍ପିୟନ୍ସ ହକି ଟ୍ରଫିରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି। 

ସୁନେଲିତା ସମ୍ପର୍କରେ ସୁନ୍ଦରଗଡ଼ ସାଇ ଛାତ୍ରାବାସର ବରିଷ୍ଠ ହକି ପ୍ରଶିକ୍ଷକ ପିକେ ଷଡ଼ଙ୍ଗୀ କହନ୍ତି ‘‘ସୁନେଲିତା ଅତି ପ୍ରତିଭାସମ୍ପନ୍ନ ସହ ଆତ୍ମବିଶ୍ୱାସୀ। କୌଣସି ପରିସ୍ଥିତିରେ ଭୟଭୀତ ନ ହୋଇ ସାମନା କରିବା ପାଇଁ ସେ ପ୍ରସ୍ତୁତ ଥାଆନ୍ତି। ତା’ର ଏହି ଗୁଣ ତାଙ୍କର ଦ୍ରୁତ ବିକାଶ ପାଇଁ ମୁଖ୍ୟ କାରଣ। ମୁଁ ଆଶା କରୁଛି ସେ ରାଜଗିରରେ ଭଲ ପ୍ରଦର୍ଶନ କରି ଦଳ ପାଇଁ ଟ୍ରଫି ଜିତିବାରେ ସହାୟକ ହେବେ’’।