ଭୁବନେଶ୍ବର: ଚଳିତ ୨୦୨୫-୨୬ ରଣଜୀ ଋତୁରେ ସଂଘର୍ଷ କରୁଥିବା ଓଡ଼ିଶା ଦଳ ଶନିବାରଠାରୁ ବିଜେତା ବିଦର୍ଭ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ବିଦର୍ଭର ଘରୋଇ ପଡ଼ିଆ ନାଗପୁର ଜାମଥାର ଭିସିଏ ଷ୍ଟାଡିୟମ୍ରେ ଖେଳାଯିବ। ପ୍ରଥମ ୩ ମ୍ୟାଚ୍ରୁ ମାତ୍ର ଗୋଟିଏ ପଏଣ୍ଟ୍ ପାଇ ସମାଲୋଚିତ ଶୁଭ୍ରାଂଶୁ ସେନାପତିଙ୍କ ଦଳ ଏବେ ଚାମ୍ପିଅନ୍ ଘରୋଇ ଦଳ ବିପକ୍ଷରେ କିଭଳି ଖେଳିବ ବଡ଼ ଆହ୍ବାନ ସୃଷ୍ଟି କରିଛି। ବ୍ୟାଟିଂ ଓ ବୋଲିଂରେ ସମ୍ପୂର୍ଣ୍ଣ ବିଫଳ ଓଡ଼ିଶା ଦଳ ନିକଟରେ ବି ଆତ୍ମବିଶ୍ବାସର ଅଭାବ ରହିଛି। ପ୍ରଥମ ୩ ମ୍ୟାଚ୍ରେ ଓଡ଼ିଶା ପ୍ରତିଦ୍ବନ୍ଦ୍ବୀ ଦଳକୁ ପ୍ରଥମ ପାଳିରେ ଥରେ ବି ଅଲ୍ଆଉଟ୍ କରିପାରି ନାହିଁ। ଏହା ବୋଲରଙ୍କ ଦୁର୍ବଳତାକୁ ପଛରେ ପକାଇଛି। ପ୍ରତିଥର ବରୋଦା ଓ ଆନ୍ଧ୍ରପ୍ରଦେଶ ପାଳି ଘୋଷଣା କରି ଓଡ଼ିଶା ଉପରେ ଚାପ ପକାଇଛନ୍ତି। ପ୍ରତି ମ୍ୟାଚ୍ରେ ଏହି ତିନି ଦଳ ୪୦୦+ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏ ପର୍ଯ୍ୟନ୍ତ ଥରେ ବି ୩୦୦ ରନ୍ ସଂଗ୍ରହ କରିପାରିନାହିଁ। ଉଭୟ ବ୍ୟାଟିଂ ଓ ବୋଲିଂରେ ଏକାଠି କ୍ଲିକ୍ କରିବାର ବେଳ ଆସିଯାଇଛି। ନଚେତ୍ ଓଡ଼ିଶା ଦଳ ଆଗକୁ ବଢ଼ିବା ଦୂରର କଥା ପଏଣ୍ଟ୍ ଟେବୁଲ୍ର ଶେଷରେ ସଂଘର୍ଷ କରିବାକୁ ବାଧ୍ୟ ହେବ।
୨୦ ବର୍ଷ ତଳେ ଥରେ ମାତ୍ର ହରାଇଥିଲା
ନାଗପୁରର ଭିସିଏ ଷ୍ଟାଡିୟମ୍ରେ ସ୍ପୋର୍ଟିଂ ୱିକେଟ୍
ଓଡ଼ିଶା ବଦଳାଇବ ଚୂଡ଼ାନ୍ତ ଏକାଦଶ
ଅନ୍ୟପକ୍ଷରେ ବିଦର୍ଭ ୩ ମ୍ୟାଚ୍ରୁ ୧୩ ପଏଣ୍ଟ୍ ସହ ଟେବୁଲ୍ରେ ଝାଡ଼ଖଣ୍ଡ (୧୫) ତଳକୁ ଦ୍ବିତୀୟ ସ୍ଥାନରେ ରହିଛି। ଅକ୍ଷର ୱାଡକରଙ୍କ ଦଳକୁ ମୁକାବିଲା କରିବା ଏତେ ସହଜ ନଥିଲେ ମଧ୍ୟ ଓଡ଼ିଶା ପାଇଁ ଏହାର ବରିଷ୍ଠ ଖେଳାଳି ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପରଙ୍କ ସହ ଯୁବ ପ୍ରତିଭା ସ୍ବସ୍ତିକ ସାମଲଙ୍କଠାରୁ ଭଲ ପାଳିର ଆବଶ୍ୟକତା ରହିଛି। ବୋଲିଂର ନେତୃତ୍ବ ନେଉଥିବା ରାଜେଶ ମହାନ୍ତିଙ୍କ ପାଇଁ ବି ନିଜ ଲୟକୁ ଫେରିବାର ସମୟ ଆସିଯାଇଛି। ସ୍ପିନ୍ ବିଭାଗରେ ସୁମିତ ଶର୍ମାଙ୍କୁ ପୁଣି ଦଳ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଆଣିବା ସମ୍ଭାବନା ରହିଛି। ଭିସିଏରେ ସ୍ପୋର୍ଟିଂ ୱିକେଟ୍ ଥିବା ସୂଚନା ମିଳିଛି ଏବଂ ଓଡ଼ିଶା ୩ ପେସ୍ ବୋଲରଙ୍କୁ ଖେଳାଇବା ସମ୍ଭାବନା ରହିଛି। ବାରବାଟୀରେ ପଦାର୍ପଣ କରିଥିବା ୱିକେଟରକ୍ଷକ ସୌରଭ ଗୌଡ଼ଙ୍କ ବଦଳରେ ସ୍ପିନର୍ ଜାମେଲା ଭଞ୍ଜନ ମହାପାତ୍ର ଚଳିତ ଋତୁରେ ପ୍ରଥମ ସୁଯୋଗ ପାଇବା ସମ୍ଭାବନା ରହିଛି।
ବିଦର୍ଭ ବିପକ୍ଷରେ ଓଡ଼ିଶାର ଅତୀତ ପ୍ରଦର୍ଶନ ବି ସେଭଳି ପ୍ରଭାବୀ ରହିନାହିଁ। ପରସ୍ପରକୁ ୬ ଥର ଭେଟିଥିବା ବେଳେ ଓଡ଼ିଶା ଥରେ ମାତ୍ର ବିଜୟୀ ହୋଇଛି। ସେହି ଏକମାତ୍ର ବିଜୟ ୨୦ ବର୍ଷ ତଳେ ମିଳିଥିଲା। ପରେଶ ପଟେଲ, ଶିବସୁନ୍ଦର ଦାସ, ପ୍ରଭଞ୍ଜନ ମଲ୍ଲିକ, ସୁବିତ ବିଶ୍ବାଳଙ୍କ ଅର୍ଦ୍ଧଶତକ ଏବଂ ସୌରଭ ସେହଗଲଙ୍କ ୯ ୱିକେଟ୍ ଦଖଲ କାରଣରୁ ଏହା ସମ୍ଭବ ହୋଇଥିଲା। ସଂଜୟ ଶତପଥୀ ଓ ଦୀପକ ମଙ୍ଗରାଜ ମଧ୍ୟ ଭଲ ବୋଲିଂ କରିବାରୁ ପ୍ରଥମ ମୁକାବିଲାରେ ଓଡ଼ିଶା ଏହି ବିଜୟ ପାଇଥିଲା। ପରବର୍ତ୍ତୀ ୫ଟିରୁ କିନ୍ତୁ ଓଡ଼ିଶା ଗୋଟିଏ ହାରିବା ସହ ମାତ୍ର ଗୋଟିଏରେ ପାଳି ଅଗ୍ରଣୀ ନେବାରେ ସକ୍ଷମ ହୋଇଛି।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ରାଜେଶ ଧୂପର (ୱିକେଟ୍ରକ୍ଷକ), ସୌରଭ କୁମାର ଗୌଡ଼ (ୱିକେଟ୍ରକ୍ଷକ), ଅନିଲ ପରିଡ଼ା, ସମ୍ବିତ ଏସ୍. ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ରାଜେଶ ମହାନ୍ତି, ତରଣୀ ସ’, ତାପସ ଦାସ, ପ୍ରଶାନ୍ତ କୁମାର ରଣା, ଜାମେଲା ଭଞ୍ଜନ ମହାପାତ୍ର।
ବିଦର୍ଭ ଦଳ: ଅକ୍ଷର ୱାଡକର (ଅଧିନାୟକ ଓ ୱିକେଟ୍ରକ୍ଷକ), ଅଥର୍ବ ଟାଇଡେ, ୟାଶ ରାଠୋଡ଼ (ଉପଅଧିନାୟକ), ଅମନ ମୋଖାଡ଼େ, ପାର୍ଥ ରେଖାଡ଼େ, ନଚିକେତ ଭୂତେ, ଦର୍ଶନ ନଲକାଣ୍ଡେ, ପ୍ରଫୁଲ ହିଙ୍ଗେ, ୟଶ୍ କଦମ, ଶୁଭମ କାପ୍ସେ, ଶିବମ ଦେଶମୁଖ (ୱିକେଟ୍ରକ୍ଷକ), ଗଣେଶ ଭୋସ୍ଲେ, ସତ୍ୟମ ଭୋୟର, ଲଳିତ ଯାଦବ, ଗୌରବ ଫର୍ଦେ, ଧ୍ରୁବ ସୋରେ, ଆର୍ ସମର୍ଥ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/fshshfhfsxbvbvbv-2025-11-08-01-10-49.jpg)