ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଜାତୀୟ ବାଳକ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଓଡ଼ିଶା ୪-୨ ଗୋଲ୍ରେ କର୍ଣ୍ଣାଟକକୁ ପରାସ୍ତ କରି ସେମିଫାଇନାଲ୍ ପ୍ରବେଶ କରିଛି। ବୁଧବାର ସେମିଫାଇନାଲ୍ରେ ଓଡ଼ିଶା ଓ ମଧ୍ୟପ୍ରଦେଶ ଏବଂ ଚଣ୍ଡିଗଡ଼ ଓ ହରିୟାଣା ମୁହାଁମୁହିଁ ହେବେ।
ସୋମବାର ଶେଷ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ର ଦଶମ ମିନିଟ୍ରେ ଅନମୋଲ ଏକ୍କା ପ୍ରଥମ ଗୋଲ୍ ଦେଇଥିଲେ। ତେବେ ଦ୍ବିତୀୟ କ୍ବାର୍ଟରର ପ୍ରଥମ ମିନିଟ୍ରେ କର୍ଣ୍ଣାଟକର ଯଶସ୍ ପୋନ୍ନାପ୍ପା ଟି.ଡି. ଏହି ଗୋଲ୍ ଶୁଝି ଦେଇଥିଲେ। ତେବେ ୨୪ତମ ମିନିଟ୍ରେ ଓଡ଼ିଶାକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ରୋଶନ କୁଜୁର ଗୋଲ୍ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। କିନ୍ତୁ ଏହାର ମାତ୍ର ତିନି ମିନିଟ୍ରେ ହର୍ଷ ଏଚ୍ଆର୍ (୨୭ ମିନିଟ୍) ଗୋଲ୍ ଦେଇ ସ୍ଥିତି ପୁଣି ସମାନ କରିଥିଲେ। ତୃତୀୟ କ୍ବାର୍ଟରରେ ଓଡ଼ିଶା ଆକ୍ରମଣକୁ ବ୍ୟାପକ କରିଥିଲା। ସଞ୍ଜିତ ତିର୍କି (୩୮ ମିନିଟ୍)ଙ୍କ ଗୋଲ୍ ବଳରେ ସ୍କୋର୍ ୩-୨ରେ ପହଞ୍ଚିଥିଲା। ୫୦ତମ ମିନିଟରେ ଅଧିନାୟକ ରୋଶନ ଆଉ ଏକ ଗୋଲ୍ ଦେଇ ଦଳକୁ ୪-୨ ଗୋଲ୍ରେ ବିଜୟ ଭେଟି ଦେଇଥିଲେ।
ସୋମବାରର ପ୍ରଥମ କ୍ବାର୍ଟର ଫାଇନାଲରେ ମଧ୍ୟପ୍ରଦେଶ ୯-୨ ଗୋଲ୍ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ତେବେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍ର ଫଳାଫଳ ସୁଟ୍ଆଉଟ୍ରେ ବାହାରିଥିଲା। ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଚଣ୍ଡିଗଡ଼ ୩-୨ (୧-୧)ରେ ପଞ୍ଜାବକୁ ଏବଂ ତୃତୀୟରେ ହରିୟାଣା ୩-୨ (୨-୨)ରେ ଝାଡ଼ଖଣ୍ଡକୁ ସୁଟ୍ଆଉଟ୍ କରି ସେମିଫାଇନାଲ ସ୍ଥାନ ନିଶ୍ଚିତ କରିଛନ୍ତି।