ଭୁବନେଶ୍ବର: ଝାଡ଼ଖଣ୍ଡରେ ଚାଲିଥିବା ଜାତୀୟ ବାଳିକା ହକି (୧୭ ବର୍ଷରୁ କମ୍‌) ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର କ୍ବାର୍ଟରଫାଇନାଲ୍‌ରେ ଓଡ଼ିଶା ୫-୦ ଗୋଲ୍‌ରେ ବିହାରକୁ ପରାସ୍ତ କରିଛି। ମ୍ୟାଚ୍‌ର ଦଶମ ମିନିଟ୍‌ରେ ଅଶିକା ସାମଦଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ରେ ଓଡ଼ିଶା ଅଗ୍ରଣୀ ପାଇଥିଲା। ପ୍ରିୟଙ୍କା ମିଞ୍ଜ (୧୪ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଓଡ଼ିଶା ପ୍ରଥମ କ୍ବାର୍ଟରକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ୨୬ତମ ମିନିଟ୍‌ରେ ଏଲିନା ବୁର୍‌ ଫିଲ୍ଡ  ଗୋଲ୍‌ ଦେଇ ପ୍ରଥମାର୍ଦ୍ଧରେ ଦଳକୁ ୩-୦ରେ ରଖିଥିଲେ। ୩୩ ମିନିଟ୍‌ରେ ଗୀତା ଲାକ୍ରା ଓ ୩୭ ମିନିଟ୍‌ରେ ସ୍ବିଟି କୁଜୁର ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ୫-୦ରେ ବିଜୟ ଭେଟି ଦେଇଥିଲେ। ପ୍ରିୟଙ୍କା ମିଞ୍ଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶନିବାର ଓଡ଼ିଶା ସେମିଫାଇନାଲ୍‌ରେ ହରିୟାଣାକୁ ଭେଟିବ। ହରିୟାଣା ୧-୦ ଗୋଲ୍‌ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିଲା। ଅନ୍ୟଏକ ସେମିଫାଇନାଲ୍‌ରେ ମିଜୋରାମ ଓ ଆୟୋଜକ ଝାଡ଼ଖଣ୍ଡ ମୁହାଁମୁହିଁ ହେବେ। କ୍ବାର୍ଟରଫାଇନାଲ୍‌ରେ ମିଜୋରାମ ୪-୦ ଗୋଲ୍‌ରେ ପଞ୍ଜାବକୁ ଏବଂ ଝାଡ଼ଖଣ୍ଡ ୫-୪ (୧-୧) ସୁଟ୍‌ଆଉଟ୍‌ରେ ମଧ୍ୟପ୍ରଦେଶକୁ ମାତ୍‌ ଦେଇଥିଲା।