କଟକ : ହରିଆଣାରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶା ୮-୦ ଗୋଲ୍ରେ ଛତିଶଗଡ଼କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ବିଲକନ ଓରାମ (୭ ଓ ୪୦ ମିନିଟ୍), ଅଜିତ ମହାତୋ (୨୪ ଓ ୫୩ ମିନିଟ୍), ମେଞ୍ଜସ ଏକ୍କା (୫୨ ଓ ୫୪ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲା ବେଳେ ସତୀଶ ମୁଣ୍ତା (୧୯ ମିନିଟ୍), ଅଭିଷେକ ଟପ୍ନୋ (୨୧ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଓଡ଼ିଶା ଆସନ୍ତା ୨୨ ତାରିଖ କ୍ବାର୍ଟର ଫାଇନାଲ୍ରେ ପୁଲ୍ ଏଚ୍’ ବିଜେତା ମଣିପୁରକୁ ଭେଟିବ।
ଜାତୀୟ ବାଳିକା ଏକାଡେମି ହକି, ୪୨-୦ରେ ଜିତିଲା ମଧ୍ୟପ୍ରଦେଶ
ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ବାଳିକା (ଉପକନିଷ୍ଠ ଓ କନିଷ୍ଠ) ଏକାଡେମି ହକି ପ୍ରତିଯୋଗିତାର ଉପକନିଷ୍ଠ ବର୍ଗରେ ମଧ୍ୟପ୍ରଦେଶ ହକି ଏକାଡେମି ବୃହତ୍ ବିଜୟ ପାଇଛି। ଶୁକ୍ରବାର ଏହି ଦଳ ୪୨-୦ ଗୋଲ୍ରେ ତାମିଲନାଡ଼ୁ ହକି ଏକାଡେମିକୁ ପରାସ୍ତ କରିଥିଲା। ବିଜୟୀ ଦଳର ସ୍ବାତୀ ୧୦, ଅଧିନାୟିକା ଭୂମିକ୍ଷା ସାହୁ ୯, କ୍ରିଷ୍ଣା ଶର୍ମା ୭, ହୁଦା ଖାନ୍ ୫, ସ୍ନେହା ପଟେଲ ୪, ପଲକ ଗୁପ୍ତା ୩ ଏବଂ ରିତିକା ହିରୱାର ଓ ଶିଲେଇମା ଖାଇଦେମ ଚାନୁ ଦୁଇଟି ଲେଖାଏଁ ଗୋଲ୍ କରିଥିଲେ। ଏହି ବର୍ଗର ଅନ୍ୟ ଏକ ମ୍ୟାଚ୍ରେ ସାଇ-ଏକାଡେମି ୯-୦ ଗୋଲ୍ରେ ମାର୍କଣ୍ଡେଶ୍ବର ହକି ଏକାଡେମିକୁ ହରାଇଥିଲା।
କନିଷ୍ଠ ବର୍ଗରେ ଭାଇ ବେହଲୋ ହକି ଏକାଡେମି ଭାଗ୍ତା ୧୦-୨ ଗୋଲ୍ରେ ମୁମ୍ବାଇ ସ୍କୁଲ୍ସ ସ୍ପୋର୍ଟ୍ସ ଆସୋସିଏସନ୍କୁ ଏବଂ ମଧ୍ୟପ୍ରଦେଶ ହକି ଏକାଡେମି ୬-୨ରେ ହାର ହକି ଏକାଡେମିକୁ ହରାଇଥିଲା।