ଜାତୀୟ ମହିଳା ହକି ସେମିଫାଇନାଲ୍‌ରେ ଓଡ଼ିଶା: ଜାତୀୟ ଉପକନିଷ୍ଠ ବାଳକ ହକି ସେମିରୁ ବିଦାୟ

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳଠାରେ ଚାଲିଥିବା ହକି ଇଣ୍ଡିଆ ଜାତୀୟ ବରିଷ୍ଠ ମହିଳା ହକିର ସେମିଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ଶନିବାରର ଚତୁର୍ଥ ତଥା ଶେଷ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ମଧ୍ୟପ୍ରଦେଶକୁ ପେନାଲ୍ଟି ସୁଟଆଉଟ୍‌ରେ ୨-୦ (୧-୧) ଗୋଲ୍‌ରେ ହରାଇ ଓଡ଼ିଶା ଏହି ସଫଳତା ଲାଭ କରିଛି। ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାର ନିର୍ଦ୍ଧାରିତ ସମୟରେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରଶୁ ସିଂହ ପରିହାର ଦଶମ ମିନିଟ୍‌ରେ ଗୋଲ୍ କରିଥିଲେ। ନେହା ଲାକ୍ରା ଓଡ଼ିଶା ପକ୍ଷରୁ ୩୮ ମିନିଟ୍‌ରେ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ଫଳରେ ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ତେବେ ପେନାଲ୍ଟି ସୁଟଆଉଟ୍‌ରେ ଓଡ଼ିଶା ରୋମାଞ୍ଚକ ଢଙ୍ଗରେ ବିଜୟୀ ହୋଇଥିଲା। ଦଳ ପାଇଁ ନେହା ଲାକ୍ରା ଏବଂ ରୋଜିତା କୁଜୁର ସଫଳ ହୋଇଥିଲେ। ସେପଟେ ମଧ୍ୟପ୍ରଦେଶ ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ‌ହୋଇ ନଥିଲା। ଅନ୍ୟ ତିନିଟି କ୍ବାର୍ଟର ଫାଇନାଲ୍‌ରେ ବିଜୟୀ ହୋଇ ହକି ଝାଡ଼ଖଣ୍ଡ, ହକି ହରିୟାଣା ଏବଂ ହକି କର୍ଣ୍ଣାଟକ ମଧ୍ୟ ‌ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ଭୁବନେଶ୍ବର: ଗୋଆରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳକ ହକିର ସେମିଫାଇନାଲ୍‌ରୁ ଓଡ଼ିଶା ବିଦାୟ ନେଇଛି। ଶନିବାରର ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ୍‌ରେ ଓଡ଼ିଶାକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୩-୧ (୧-୧) ଗୋଲ୍‌ରେ ପରାସ୍ତ କରି ଝାଡ଼ଖଣ୍ଡ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସଂଜୀତ ତିର୍କିଙ୍କ ୩୮ ମିନିଟ୍ ଗୋଲ୍ ବଳରେ ଓଡ଼ିଶା ଆଗୁଆ ହୋଇଥିଲା। ତେବେ ମାତ୍ର ଗୋଟିଏ ମିନିଟ୍ ପରେ ଅଭିଷେକ ଟିଗା‌ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଫଳରେ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା। ଫଳରେ ବିଜେତା ନିର୍ଣ୍ଣୟ ସୁଟଆଉଟ୍ ଜରିଆ‌ରେ ହୋଇଥିଲା। ଏଥିରେ ଝାଡ଼ଖଣ୍ଡ ବାଜି ମାରି ନେଇଥିଲା। ଝାଡ଼ଖଣ୍ଡ ପକ୍ଷରୁ ରୋହିତ ତିର୍କି, ଅସୀମ ଏକ୍କା ଓ ଅଭିଷେକ ଟିଗା ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ଏକମାତ୍ର ଗୋଲ୍ ଅଧିନାୟକ ଅର୍ବିନ ଟପ୍ପୋ କରିଥିଲେ। ଏକତରଫା ଦ୍ବିତୀୟ ସେମିଫାଇନାଲ୍‌ରେ ଉତ୍ତର ପ୍ରଦେଶ ୮-୦ ଗୋଲ୍‌ରେ ହରିୟାଣାକୁ ହରାଇ ଫାଇନାଲ୍ ଟିକେଟ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର