ପ୍ଲେ ଅଫ୍‌ରେ ଆଜି ଓଡ଼ିଶା ଜଗରନଟ୍ସ-ଗୁଜରାଟ ଜାଏଣ୍ଟସ୍: ବିଜେତାଙ୍କୁ ମିଳିବ ୧ ‌କୋଟି

ଭୁବନେଶ୍ବର: ପୁଣେରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ୍‌ର ‘ଲିଗ୍ ପର୍ଯ୍ୟାୟ’ ବୁଧବାର ଶେଷ ହୋଇଛି। ଗୁରୁବାର ବିଶ୍ରାମ ଦିବସ ଥିଲା ବେଳେ ଶୁକ୍ରବାର ଏଲିମିନେଟର ମ୍ୟାଚ୍ ଏବଂ ପ୍ରଥମ କ୍ବାଲିଫାୟର ଖେଳାଯିବ। ରାତି ସାଢ଼େ ୭ଟାରେ ଖେଳାଯିବାକୁ ଥିବା ଏଲିମିନେଟର ମୁକାବିଲାରେ ତେଲୁଗୁ ଯୋଦ୍ଧାସ୍‌କୁ ଚେନ୍ନାଇ କୁଇକ୍ ଗନ୍ସ ଭେଟିବ। ଅନ୍ୟପକ୍ଷରେ ରାତି ୮ଟା ୪୫ରେ ‌ଖେଳାଯିବାକୁ ଥିବା ପ୍ରଥମ କ୍ବାଲିଫାୟରରେ ଓଡ଼ିଶା ଜଗରନଟ୍ସ ଓ ଗୁଜରାଟ ଜାଏଣ୍ଟସ୍‌ ମୁହାଁମୁହିଁ ହେବେ। ଏଲିମିନେଟର ମ୍ୟାଚ୍‌ର ବିଜେତା ଏବଂ ପ୍ରଥମ କ୍ବାଲିଫାୟରର ପରାଜିତ ଦଳ ମଧ୍ୟରେ ଶନିବାର ଦ୍ବିତୀୟ କ୍ବାଲିଫାୟର ଖେଳାଯିବ। ପ୍ରଥମ ଓ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ର ଦୁଇ ବିଜେତାଙ୍କୁ ନେଇ ମେଗା ଫାଇନାଲ୍ ରବିବାର ଦିନ ଅନୁଷ୍ଠିତ ହେବ। ୬ ଦଳକୁ ନେଇ ଖେଳାଯାଉଥିବା ଏହି ପେସାଦାର ଖୋ ଖୋ ଲିଗ୍‌ର ଶେଷ ଦୁଇ ସ୍ଥାନରେ ରହି ପୂର୍ବରୁ ମୁମ୍ବାଇ ଖିଲାଡ଼ୀସ୍ ଓ ରାଜସ୍ଥାନ ୱାରିୟର୍ସ ବିଦାୟ ନେଇସାରିଛନ୍ତି।

ବିଜେତାଙ୍କୁ ମିଳିବ ୧ ‌କୋଟି

ପୁଣେ: ପୁଣେରେ ଚାଲିଥିବା ଭାରତର ପ୍ରଥମ ଫ୍ରାଞ୍ଚାଇଜ୍‌ଭିତ୍ତିକ ଖୋ ଖୋ ଲିଗ୍‌ ‘ଅଲ୍‌ଟିମେଟ୍‌ ଖୋଖୋ’ ଗୁରୁବାର ପ୍ରତିଯୋଗିତାର ପୁରସ୍କାର ରାଶି ଘୋଷଣା କରିଛି। ଏହି ପ୍ରଥମ ସଂସ୍କରଣ ପାଇଁ ମୋଟ ୨ କୋଟି ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଛି। ବିଜେତା ଦଳକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିବାକୁ ଥିଲା ବେଳେ ଉପବିଜେତା ଦଳକୁ ୫୦ ଲକ୍ଷ ଏବଂ ତୃତୀୟ ସ୍ଥାନ ଦଳକୁ ୩୦ ଲକ୍ଷ ଟଙ୍କା ମିଳିବ। ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ଅନ୍ୟାନ୍ୟ ପୁରସ୍କାର ବାବଦରେ ବ୍ୟୟ କରାଯିବ। ପ୍ରଥମ ଋତୁର ଏହି ପୁରସ୍କାର ଅର୍ଥ କୌଣସି ଭାରତୀୟ ଅଣଅଲିମ୍ପିକ୍‌ ଏବଂ ଅଣ କ୍ରିକେଟ୍‌ ଲିଗ୍‌ ତୁଳନାରେ ସର୍ବାଧିକ ବୋଲି କୁହାଯାଇଛି। ପୁରସ୍କାର ରାଶି କେବଳ ଦଳକୁ ନୁହେଁ ସମସ୍ତ ଖେଳାଳିଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି ସିଇଓ ଏବଂ ଲିଗ୍‌ କମିଶନର ତେନ୍‌ଜିଙ୍ଗ୍‌ ନିୟୋଗୀ।

ସମ୍ବନ୍ଧିତ ଖବର