ଦୁଇ ରଣଜୀ ବିଜେତାଙ୍କ ହାତରେ ଓଡ଼ିଶା

କଟକ: ଓଡ଼ିଶା କ୍ରିକେଟ ପାଇଁ ଏବେ ଭଲ ଦିନ ଆସିଯାଇଛି। ଓଡ଼ିଶା କେବେ ରଣଜୀ ଟ୍ରଫି ଜିତି ନାହିଁ କିନ୍ତୁ ଦୁଇ ଜଣ ୪ ଥର ଏହି ଶ୍ରେଷ୍ଠ ଘରୋଇ ପ୍ରତିଯୋଗିତା ମୁକୁଟ ହାତେଇବାର ସୌଭାଗ୍ୟ ପାଇଛନ୍ତି। ସେହି ଦୁଇ ଜଣଙ୍କ ହାତରେ ଏବେ ଓଡ଼ିଶା କ୍ରିକେଟ୍‌ର ଭାଗ୍ୟ ସମର୍ପିତ। ସେମାନେ ହେଲେ ଦୁଇ ଥର ଲେଖାଏଁ ରଣଜୀ ଟ୍ରଫି ବିଜେତା ରଶ୍ମିରଂଜନ ପରିଡ଼ା ଓ କୁଳମଣି ପରିଡ଼ା। ରଶ୍ମି ଏବେ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ଓ କୁଳମଣି ଚୟନକର୍ତ୍ତାଭାବେ ଯୋଗଦେଇଛନ୍ତି। ରାଜସ୍ଥାନକୁ ପ୍ରତିନିଧିତ୍ୱ କରି ରଶ୍ମିରଂଜନ ଏବଂ ରେଳବାଇ ପକ୍ଷରୁ କୁଳମଣି ଦୁଇଥର ରଣଜୀ ଫାଇନାଲ୍‌ ଖେଳିଥିଲାବେଳେ ଉଭୟ ସମସ୍ତ ମ୍ୟାଚରେ ନିଜ ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏପରିକି ୨୦୧୦-୧୧ ଋତୁରେ ରଶ୍ମିରଂଜନଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏହି ଦୁଇ ବିଜେତା ଏବେ ଓଡ଼ିଶା ରଣଜୀ ଦଳର ମଙ୍ଗ ଧରିଥିବାରୁ ଚଳିତ ବର୍ଷ ଉନ୍ନତମାନର ଫଳାଫଳ ଆସିବା ଅନୁମାନ କରାଯାଉଛି।
୨୦୦୦ ମସିହା ପର୍ଯ୍ୟନ୍ତ ରେଳବାଇ ଦୁଇଥର (୧୯୮୭-୮୮, ୨୦୦୦-୦୧) ଫାଇନାଲ୍‌କୁ ଯାଇଥିଲା, ହେଲେ ସବୁଥିରେ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୦୧-୦୨ ଫାଇନାଲ୍‌ରେ ରେଳବାଇ ୨୭୭ ରନ୍‌ରେ ବରୋଦାକୁ ହରାଇଥିଲା। ଏହି ମ୍ୟାଚରେ କୁଳମଣି ଦୁଇଟି ପାଳିରେ ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ୨୦୦୪-୦୫ ଫାଇନାଲ୍‌ରେ ମ୍ୟାଚ ଅମୀମାଂସିତ ରହିଥିଲାବେଳେ ପାଳି ଅଗ୍ରଣୀ ଭିତ୍ତିରେ ରେଳବାଇ ବିଜେତା ହୋଇଥିଲା। ଏହି ମ୍ୟାଚରେ କୁଳମଣି ୨ ଓ୍ଵିକେଟ ସଫଳତା ପାଇଥିଲେ। ସେହିପରି ୮ଥର ରଣଜୀ ଫାଇନାଲ୍‌ରେ ଉପ ବିଜେତା ହେବା ପରେ ରାଜସ୍ଥାନ ୨୦୧୦-୧୧ ଓ ୨୦୧୧-୧୨ ଅମୀମାଂସିତ ଫାଇନାଲ୍‌ ଯୋଗୁଁ ପାଳି ଅଗ୍ରଣୀ ଭିତ୍ତିରେ ଲଗାତର ଦୁଇଥର ବିଜେତା ହୋଇଥିଲା। ରଶ୍ମି ଏହି ଦୁଇ ଫାଇନାଲ୍‌ରେ ଖେଳିଥିବାବେଳେ ପ୍ରଥମ ମ୍ୟାଚରେ ବରୋଦା ବିପକ୍ଷରେ ୧୪୫ (୫୬ ଓ ୮୯ରନ୍‌) ରନ୍‌ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନିଜ ଦ୍ୱିତୀୟ ଫାଇନାଲ୍‌ରେ ତାମିଲନାଡୁ ବିପକ୍ଷରେ ୮୩ (୪୦ ଓ ୪୩) ରନ୍‌ କରିଥିଲେ।
ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ୫ ବର୍ଷ (୨୦୧୧-୧୨ରୁ ୨୦୧୬-୧୭) ଓ ଶିବସୁନ୍ଦର ଦାସ ବର୍ଷେ (୨୦୧୭-୧୮) ପାଇଁ ଓଡ଼ିଶା ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ୨୦୧୪-୧୫ ରେ ଦେବାଶିଷ ମୁଖ୍ୟ ପ୍ରଶିକ୍ଷକ ଓ ଶିବସୁନ୍ଦର ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ହେଲେ ତାଳମେଳର ଅଭାବ ଯୋଗୁଁ ସେହିବର୍ଷ ଓଡ଼ିଶା ୩ଟି ମ୍ୟାଚରେ ବିଜୟୀ ହୋଇଥିଲେ ବି ନକ୍‌ଆଉଟ ପର୍ଯ୍ୟାୟକୁ ଯାଇପାରିନଥିଲା। ଏହାପରଠୁ ଶିବସୁନ୍ଦରଙ୍କୁ ଓଡ଼ିଶା କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଦେବାଶିଷ ୨୦୧୬-୧୭ ପର୍ଯ୍ୟନ୍ତ ମୁଖ୍ୟ ପ୍ରଶିକ୍ଷକ ରହିବା ପରେ ୨୦୧୭-୧୮ ବର୍ଷରେ ଶିବସୁନ୍ଦରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଓଡ଼ିଶା ଗତ ଋତୁରେ କୌଣସି ମ୍ୟାଚ ଜିତିବାରେ ସକ୍ଷମ ହୋଇନଥିଲା। ୬ ମ୍ୟାଚରୁ ମାତ୍ର ୬ ପଏଣ୍ଟ ପାଇଥିଲା। ଏଥି ଯୋଗୁଁ ଚଳିତ ୨୦୧୮-୧୯ ଋତୁ ପାଇଁ ଦେବାଶିଷ ପୁଣି ଥରେ ମୁଖ୍ୟ ପ୍ରଶିକ୍ଷକ ପଦ ଫେରି ପାଇଥିଲେ। ମାତ୍ର ମାସେ ପର୍ଯ୍ୟନ୍ତ ଦେବାଶିଷ ପ୍ରଶିକ୍ଷକ ଭାବେ କାର୍ଯ୍ୟାରମ୍ଭ କରିଥିଲାବେଳେ ଭାରତୀୟ କନିଷ୍ଠ ଚୟନକର୍ତ୍ତାଭାବେ ନୂଆ ନିଯୁକ୍ତି ମିିଳିଥିଲା। ତେଣୁ ସେ ଓଡ଼ିଶା ଦାୟିତ୍ୱ ଛାଡ଼ିବା ପରେ ତାଙ୍କ ସ୍ଥାନରେ ରାଜ୍ୟ ବରିଷ୍ଠ ଚୟନକର୍ତ୍ତା ରଶ୍ମିଙ୍କୁ ମୁଖ୍ୟ ପ୍ରଶିକ୍ଷକ ଓ ଚୟନକର୍ତ୍ତା ସ୍ଥାନରେ କୁଳମଣି ପରିଡ଼ାଙ୍କୁ ନିଆଯାଇଛି। ଏବେ ଉଭୟ ନିଜନିଜର ଅଭିଜ୍ଞତାକୁ ଭିତ୍ତିକରି ଓଡ଼ିଶାକୁ ଆଗେଇ ନେବାକୁ ବ୍ୟକ୍ତିଗତ ଭାବେ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର