ଭୁବନେଶ୍ୱର: ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଫୁଟ୍ବଲ୍ ଦଳ ଲଗାତାର ବିଜୟ ସହିତ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ୦-୭ ଗୋଲ୍ରେ ହରିଆନା ନିକଟରୁ ହାରିଥିବା ଓଡ଼ିଶା ଶୁକ୍ରବାର ୩-୦ ଗୋଲ୍ରେ ଗୁଜରାଟକୁ ହରାଇଥିଲା। ରବିବାର କିନ୍ତୁ ଜବରଦସ୍ତ ପ୍ରଦର୍ଶନ କରି ମିଜୋରାମକୁ ୭-୨ ଗୋଲରେ ପରାସ୍ତ କରିଥିଲା। ସୁସ୍ମିତା ତନ୍ତୀ ଏକାକୀ ୪ ଗୋଲ୍ ଦେଇଥିବାବେଳେ ଗୀତା କିଷନ୍, ତୁଲସୀରାମ କେରକେଟା, ବାସନ୍ତୀ ଖେସ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ପ୍ରଥମାର୍ଧରେ ୩ ଗୋଲ୍ ଦେଇଥିବା ଓଡ଼ିଶା ଦ୍ୱିତୀୟାର୍ଧରେ ଆଉ ୪ ଗୋଲ୍ ଦେଇଥିଲା। ପ୍ରଶିକ୍ଷିକା ମମତା କୁମାରୀ ସାମନ୍ତଙ୍କ ତତ୍ୱାବଧାନରେ ଓଡ଼ିଶା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛି। ଗ୍ରୁପ୍ ‘ଏ’ରେ ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ଓଡ଼ିଶା ବୁଧବାର ସେମିଫାଇନାଲ୍ ଖେଳିବ। ସୂଚନାଯୋଗ୍ୟ, ଯୁବ ସନ୍ତରିକା ପ୍ରତ୍ୟାଶା ରାୟ ୨ଟି କାଂସ୍ୟ ଏବଂ ବାଧାଦୌଡ଼ାଳି ପୁଙ୍ଗା ସୋରେନ୍ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଏବେ ବାଳିକା ଫୁଟ୍ବଲ୍ରୁ ପଦକ ମିଳିବା ଆଶା ସୃଷ୍ଟି ହୋଇଛି।
ଓଡ଼ିଶା ସେମିଫାଇନାଲ୍କୁ ଉନ୍ନୀତ
/sambad/media/post_attachments/wp-content/uploads/2018/02/12-Odisha-football-Khelo-india.jpeg)