‘୨୦୩୬ ଅଲିମ୍ପିକ୍ସରୁ ଓଡ଼ିଶାର ବ୍ୟକ୍ତିଗତ ପଦକ ଲକ୍ଷ୍ୟ’: ସ୍ବସ୍ତି ଓ ପିଟରଙ୍କୁ ମିଳିଲା ଓସ୍‌ଜା ପୁରସ୍କାର

ମଙ୍ଗଳବାର ବାରବାଟୀ ଷ୍ଟାଡିୟମ ଓସିଏର ସମ୍ମିଳନୀ କକ୍ଷରେ ଓସ୍‌ଜାର ଅଷ୍ଟମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକାରୀ ସଭାପତି କେ ରବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ବତନ୍ତ୍ର ସଭାରେ ହକି କିଂବଦନ୍ତି ପିଟର ତିର୍କିଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ଏବଂ ଯୁବା ଅନ୍ତର୍ଜାତୀୟ ସାଇକ୍ଳିଷ୍ଟ ସ୍ବସ୍ତି ସିଂହଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁଷ୍ପଗୁଚ୍ଛ, ପ୍ରଶସ୍ତିପତ୍ର, ଟ୍ରଫି ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ନିଜ ଖେଳ ଜୀବନର ସ୍ମୃତିଚାରଣ କରିବା ସହ ପିଟର ତିର୍କି ତାଙ୍କୁ ଏଭଳି ସମ୍ମାନ କ୍ରୀଡ଼ା ସାମ୍ବାଦିକମାନେ ଦେଇଥିବାରୁ ସେ ବଡ଼ ଖୁସି ବୋଲି କହିଥିଲେ। ସେହିପରି ରାଜ୍ୟ ପ୍ରତିଯୋଗିତାର ସଫଳତା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହା କିଭଳି ତାଙ୍କ ପରିବାରର ମନୋଭାବକୁ ବଦଳାଇ ଦେଇଥିଲା ସ୍ବସ୍ତି ସିଂହ ପ୍ରକାଶ କରିଥିଲେ।

ଓଡ଼ିଶା ପାଇଁ ଅଲିମ୍ପିକ ପଦକ ଜିତିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫୁଟ୍‌ବଲ୍‌ କିଂବଦନ୍ତି ବିଜୟ ଦାସ ୬୦ ଓ ୭୦ ଦଶକରେ ତାଙ୍କ ଚମକପୂର୍ଣ୍ଣ ଖେଳ ଜୀବନ କଥା ବତାଇ ସେତେବେଳେ ଏତେ ସବୁ ପୁରସ୍କାର ବ୍ୟବସ୍ଥା ନଥିବା କଥା କହିଥିଲେ। ବିଶିଷ୍ଟ ପେସ୍‌ ବୋଲର ବସନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକ ଖେଳାଳିର ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କର ରହିଛି ବଡ଼ ଯୋଗଦାନ। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓସ୍‌ଜା ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲା ବେଳେ ଦୀପ୍ତିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜାର ସଦସ୍ୟଙ୍କ ମଧ୍ୟରୁ ସନାତନ ପାଣି, ହିଂମାଶୁ ପତି ମିଶ୍ର, ରଜନୀକାନ୍ତ ଶତ୍ରୁସଲ୍ୟ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ସୂର୍ଯ୍ୟ ପ୍ରସାଦ ରଥ, ବିମଲ କୁମାର ରାଉଳ, ଶକ୍ତି ପ୍ରକାଶ ନନ୍ଦ, ରଶ୍ମିପ୍ରଭା ରଥ, ସର୍ବେଶ୍ବର ମହାନ୍ତି, ବେଣୁଧର ଦାସ, ତନ୍ମୟ ଦାସ, ମହେନ୍ଦ୍ର ସାହୁ, ସରୋଜ ବାରିକ, ମନୋରଞ୍ଜନ ଦାସ, ବିଜୟ କୁମାର ରଣା, ସୌଭାଗ୍ୟ ରଥ, ସୁଜିତ ଦାସ, ଚିରଞ୍ଜୀବ ପତି, ସନ୍ତୋଷ ମହାନ୍ତି, ମନମୋହନ ସ୍ବାଇଁ, ଅନିରୁଦ୍ଧ ମିଶ୍ର, ଚକ୍ରଧର ମାଝି, କୁମାରଶ୍ରୀ ସାହୁ, ସୁକେଶ ରଂଜନ ବେହେରା, ପ୍ରଫୁଲ୍ଲ କିଶୋର ସାହୁ, ଦେବୀପ୍ରସନ୍ନ ପାଣିଗ୍ରାହୀ ଏବଂ ଅଜୟ ଦାସ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର