ଚେସ୍‌ ପାଇଁ ଓଡ଼ିଶା ସ୍ବତନ୍ତ୍ର ସ୍ଥାନ: କୁନ୍ତେ

ଚେସ୍‌ ଅଲିମ୍ପିୟାଡ୍‌ରୁ ସ୍ବର୍ଣ୍ଣ ମିଳିବା ନେଇ ଆଶାବାଦୀ

ଭୁବନେଶ୍ବର (ସୁରେଶ ସ୍ବାଇଁ): ଆସନ୍ତା ସେପ୍ଟେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ଚେସ୍‌ ଅଲିମ୍ପିଆଡ୍‌ (ଅନ୍‌ଲାଇନ୍‌)ରେ ଭାରତ ସ୍ବର୍ଣ୍ଣ ପଦକ ପାଇଁ ଦୃଢ଼ ଦାବିଦାର ରହିବ। ପ୍ରଥମ ସଂସ୍କରଣରେ ଭାରତ ଏବଂ ରୁଷିଆ ଯୁଗ୍ମ ବିଜେତା ହୋଇଥିବା ବେଳେ ଏଥର ୫ ଥର ବିଶ୍ବ ବିଜେତା ବିଶ୍ବନାଥନ୍ ଆନନ୍ଦଙ୍କ ପ୍ରତ୍ୟାବର୍ତନ ଭାରତୀୟ ଦଳକୁ ଅଧିକ ଶକ୍ତିଶାଳୀ କରିଛି। ଯୁବ ଖେଳାଳିମାନଙ୍କୁ ନେଇ ଦଳ ସନ୍ତୁଳିତ ରହିଛି ଏବଂ ପ୍ରତିଟି ଖେଳାଳି ଆତ୍ମବିଶ୍ବାସରେ ରହିଛନ୍ତି। ‘ଆମେ ସ୍ବର୍ଣ୍ଣ ପଦକ ପାଇଁ ଖେଳିବା ଉଚିତ୍‌’ ବୋଲି ରବିବାର ‘ସମ୍ବାଦ’ ସହ କଥା ହେବାବେଳେ ଆତ୍ମବିଶ୍ବାସର ସହ କହିଛନ୍ତି ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ତଥା ଏଆଇସିଏଫ୍‌ ମୁଖ୍ୟ ଚୟନକର୍ତା ଗ୍ରାଣ୍ଡମାଷ୍ଟର୍‌ ଅଭିଜିତ କୁନ୍ତେ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କୁନ୍ତେ କହିଥିଲେ, ରୁଷିଆ ଏବଂ ଚୀନ୍‌ଠାରୁ ନିଶ୍ଚିତ ଆମକୁ କଡ଼ା ଟକ୍କର ମିଳିବ। ତଥାପି ଆମ ଖେଳାଳିମା‌ନେ ଗତଥର ଭଳି ସବୁ ଆହ୍ବାନକୁ ପ୍ରତିହତ କରିବାକୁ ଦୃଢ଼ମନା ଅଛନ୍ତି।

ଓଡ଼ିଶାରେ ପ୍ରସ୍ତାବିତ ଜାତୀୟ ଚେସ୍‌ ଏକାଡେମିକୁ ନେଇ କ‌ୁନ୍ତେ କହିଥ‌ିଲେ, ‘ଓଡ଼ିଶା ସବୁବେଳେ ଚେସ୍‌ର ଏକ ସ୍ବତନ୍ତ୍ର କେନ୍ଦ୍ର ହୋଇ ରହିବ। ବିଗତ ୧୦ ବର୍ଷ ହେବ ଓଡ଼ିଶା ପୂର୍ବ ଭାରତରେ ଏକ ଚେସ୍ କେନ୍ଦ୍ର ଭାବେ ଉଭା ହୋଇଛି। ଖେଳ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ମାହୋଲ ରହିଛି। କିଟ୍‌ର ଭିତ୍ତିଭୂମି ଏହାର ଅନ୍ୟତମ ପ୍ରମାଣ। ଖୁବ୍ କମ୍‌ ସମୟ ମଧ୍ୟରେ ଓଡ଼ିଶା ବହୁ ଉଚ୍ଚସ୍ତରର ଖେଳାଳି ଗଢ଼ି ତୋଳିଛି। ସ୍ବୟଂଶୁ ସତ୍ୟପ୍ରଜ୍ଞ, ପଦ୍ମିନୀ ରାଉତ, ରାଜ୍ୟର ପ୍ରଥମ ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସଙ୍କ ସହ ମୁଁ ବହୁ ଗେମ୍‌ ଖେଳିଛି ଏବଂ ସେମାନଙ୍କ ସହ ଭଲ ବଂଧୁତା ମଧ୍ୟ ରହିଛି’ ବୋଲି ପ୍ରକାଶ କରିଥିଲେ ୪ ଥର ଚେସ୍‌ ଅଲିମ୍ପିଆଡରେ ଭାରତର ପ୍ରତିନିଧିତ୍ବ କରିଥିବା କୁନ୍ତେ। ଓଡ଼ିଶାରେ ଜାତୀୟ ଚେସ୍‌ ଏକାଡେମିର ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ)ର ସଭାପତି ରଂଜନ ମହାନ୍ତି।

ଦେଶରେ ଚେସ୍‌ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମତ ଦେଇ କୁନ୍ତେ କହିଥ‌ିଲେ, ‘କୋଭିଡ୍‌ ମହାମାରୀ କାରଣରୁ ବିଗତ ଦୁଇ ବର୍ଷ ଚେସ୍‌ ପାଇଁ ବଡ଼ କ୍ଷତି ହୋଇଛି। ଦୁଇଟି ଗୁରୁ୍ତ୍ବପୂର୍ଣ୍ଣ ବର୍ଷ ବେକାର ଯାଇଛି। ବିଶେଷ କରି ବୟସ ବର୍ଗର ପ୍ରତିଯୋଗିତା ଗୁଡିକ ନହେବା କନିଷ୍ଠ ଖେଳାଳିମାନଙ୍କ ପାଇଁ ପ୍ରତିବଂଧକ ଆଣିଛି। ଏହି ବର୍ଗର ଖେଳାଳି ଏଣିକି ଚେସ୍‌ ସହ ରହିବେ ନ ରହିବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ତଥାପି ସକାରାତ୍ମକ ଦିଗଟିକୁ ଦେଖିଲେ କୋଭିଡ୍‌ର ଘଡ଼ିସନ୍ଧୀ ମୁହୂର୍ତରେ ଚେସ୍‌ ଏକମାତ୍ର ଖେଳ ଅନ୍‌ଲାଇନ୍ ଜରିଆରେ ଚାଲୁ ରହିପାରିଛି। ଏଥି ପାଇଁ ନୂଆ ଆହ୍ବାନ ରହିଛି, କିନ୍ତୁ ଯଥେଷ୍ଟ ସମ୍ଭାବନା ବି ରଖିଛି’ ବୋଲି କୁନ୍ତେ କହିଥିଲେ। ଚେସ୍‌ ଅଲିମ୍ପିକ୍ସରେ ନ ଥିଲେ ବି କ୍ରିକେଟ୍ ଭଳି ଏହା ଦେଶ ପାଇଁ ଅନେକ ଗୌରବ ଆଣିଛି ବୋଲି କୁନ୍ତେ ଯୁକ୍ତି ବାଢ଼ିଥିଲେ। ଚେସ୍‌ ଖେଳାଳିଟିଏ ନିଜକୁ ଶିକ୍ଷା ବିକାଶ ସହିତ ନିର୍ଣ୍ଣାୟକ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ। ଭଲ ମଣିଷ ଭାବେ ଗଢ଼ି ତୋଳିଥାଏ‌ ବୋଲି ପ୍ରକାଶ କରିଥିଲେ ଏହି ପୁନେ ପ୍ରତିଭା।

୨୦୦୦ ମସିହାରେ ନିଜ ଗ୍ରାଣ୍ଡମାଷ୍ଟର୍ ମୁକୁଟ ପାଇଥିବା କୁନ୍ତେ ୨୦୦୫ ମସିହାରେ ଏସୀୟ ଦଳଗତ ସ୍ବର୍ଣ୍ଣ ପଦକ ବିଜୟ ଏବଂ ୨୦୦୩ରେ ଭାରତୀୟଙ୍କ ଶେଷ ସୁଯୋଗରେ ବ୍ରିଟିଶ ଚେସ୍‌ ପ୍ରତିଯୋଗିତା ଜିତିବାକୁ ସେ ଜୀବନର ଶ୍ରେଷ୍ଠ ଚେସ୍ ମୁହୂର୍ତ ବୋଲି କହିଥିଲେ। ସୂଚନାଯୋଗ୍ୟ, କୁନ୍ତେ ଭାରତୀୟ ଚେସ୍‌ ପ୍ରତିଯୋଗିତାରେ ୨ ଥର ସ୍ବର୍ଣ୍ଣ (୧୯୯୭, ୨୦୦୦), ୪ ଥର କାଂସ୍ୟ (୧୯୯୯, ୨୦୦୧, ୨୦୦୩, ୨୦୦୫), ଦୁଇ ଥର ରାଜ୍ୟଗୋଷ୍ଠୀ ଚେସ୍‌ ପଦକ (୨୦୦୦-ରୌପ୍ୟ, ୨୦୦୩-କାଂସ୍ୟ) ଜିତିଥିଲେ। ୧୯୯୮ରୁ ୨୦୦୪ ମସିହା ମଧ୍ୟରେ ୪ ଥର ଚେସ୍‌ ଅଲିମ୍ପିୟାଡରେ ଦେଶର ପ୍ରତିନିଧିତ୍ବ କରିଥିଲେ। ୨୦୦୦ ମସିହାରେ ବିଶ୍ବ ପ୍ରତିଯୋଗିତା, ୨୦୦୭ରେ ଏସୀୟ ପ୍ରତିଯୋଗିତା (କାଂସ୍ୟ)ରେ ମଧ୍ୟ ତାଙ୍କ ଦକ୍ଷତାର ଛାପ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର