ଆଉ ଦୁଇ ଫିଫା ବିଶ୍ବକପ୍‌ ନଜରରେ ଓଡ଼ିଶା, ଓଡ଼ିଶା ସରକାରଙ୍କ ସମର୍ଥନକୁ ଏଆଇଏଫ୍‌ଏଫ୍‌ର ପ୍ରଶଂସା

ଭୁବନେଶ୍ବର‌: ଭାରତୀୟ ଫୁଟ୍‌ବଲ୍‌ର ବିକାଶରେ ଓଡ଼ିଶା ସରକାରଙ୍କ ସମର୍ଥନକୁ ଉଚ୍ଚ ପ୍ରଶଂସା କରିଛି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)। ଓଡ଼ିଶା ଗୋଟିଏ ରାଜ୍ୟ ହୋଇଥିଲେ ମଧ୍ୟ ଜାତୀୟ ଭାବନାରେ ଚିନ୍ତା କରି ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଛି। ଦୁଇ ବର୍ଷ ତ‌ଳେ (୨୦୧୮) ଏଆଇଏଫ୍‌ଏଫ୍‌ ସହ ଚୁକ୍ତିନାମା କରିଥିବା ଓଡ଼ିଶା ସରକାର ଏବେ ଏକାଧିକ ଜାତୀୟ ଦଳ (୧୫ ବର୍ଷରୁ କମ୍‌, ୧୭ ବ‌ର୍ଷରୁ କମ୍, ଇଣ୍ଡିଆନ୍ ଆରୋଜ୍ ଏବଂ ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ)କୁ ନିୟମିତ ଭାବେ ନିଜର ଅନନ୍ୟ ଭିତ୍ତିଭୂମି ଓ ସୁବିଧାସୁଯୋଗ ଯୋଗାଇ ଦେଇଛି। ଏହି ସବୁ ଦଳଗୁଡିକ ପାଇଁ ଭୁବନେଶ୍ବର ମଧ୍ୟ ଅନ୍ୟତମ ଫୁଟ୍‌ବଲ୍‌ ହବ୍‌ର ଦୌଡ଼ରେ ସାମିଲ ହୋଇଛି। ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ଆବିର୍ଭାବ ମଧ୍ୟ ରାଜ୍ୟରେ ପ୍ରଶଂସକ ଗୋଷ୍ଠୀ ଗଢ଼ିବାରେ ବଡ଼ ଭୂମିକା ନେଇଛି। ହକି ଭଳି ଫୁଟ୍‌ବଲ୍‌ ସହ ଯୋଡ଼ି‌ ହୋଇଥିବା ଓଡ଼ିଶା ସରକାର ଆସନ୍ତା ବର୍ଷ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଥିବା ବେଳେ ଭବିଷ୍ୟତରେ ୨୦୨୨ ମସିହାର ଫିଫା ଯୁବ ବିଶ୍ବକପ୍‌ (୨୦ ବର୍ଷରୁ କମ୍‌) ଏବଂ ୨୦୨୬ ମସିହାର ବରିଷ୍ଠ ବର୍ଗର ଫିଫା ବିଶ୍ବକପ୍‌ ଆୟୋଜନ‌ ନେଇ ମଧ୍ୟ ସୁଦୂରପ୍ରସାରୀ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଅକ୍ଟୋବରରେ ଭାରତ-କାତାର ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ମଧ୍ୟ ହେବ।

ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ମହାସଚିବ କୁଶାଲ ଦାସ ଏବଂ ସଂଘ ସହିତ ପଞ୍ଜିକୃତ ଖେଳାଳିମାନେ ଓଡ଼ିଶା ସରକାରଙ୍କ ଅକୁଣ୍ଠ ସମର୍ଥନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ କ୍ରୀଡ଼ାରେ ଭାଗୀଦାରି ଗଢ଼ିବାରେ ଓଡ଼ିଶା ସରକାର ପ୍ରମୁଖ ପ୍ରଭାବ ଆଣିପାରିଛନ୍ତି, ଅମୂଲ୍ୟ ସମର୍ଥନ ଲାଗି ଓଡ଼ିଶା ସରକାର ଧନ୍ୟବାଦର ପାତ୍ର ବୋଲି କହିଥିଲେ କୁଶାଲ ଦାସ। ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର ହେବା ଦ୍ବାରା ଭାରତୀୟ ଫୁଟ୍‌ବଲ୍‌ର ବିକାଶରେ ଏହା ପ୍ରମୁଖ ପ୍ରଭାବ ପକାଇଛି। ଏକାଧିକ ଦଳ ଓଡ଼ିଶାରେ ରହିବା ସହିତ କଳିଙ୍ଗ ଷ୍ଟାଡିୟମ୍‌ ଭିତ୍ତିଭୂମି ଓ ସୁବିଧା ସୁଯୋଗର ସଦ୍‌ବ୍ୟବହାର କରିପାରୁଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ମଧ୍ୟ ୨୦୧୮-୧୯ରେ ଆଇ ଲିଗ୍‌ ମ୍ୟାଚ୍‌ ଆୟୋଜନ କରିଥିଲା ଏବଂ ଏଆଇଏଫ୍‌ଏଫ୍‌ର ଯୁବ ଦଳ ଇଣ୍ଡିଆନ୍ ଆରୋଜ୍‌ର ଏହା ଘରୋଇ ପଡ଼ିଆ ହୋଇଥିଲା। ଦୁଇ ଥର ହିରୋ ସୁପର୍‌ କପ୍‌ ସହିତ ହିରୋ ଗୋଲ୍‌ଡ କପ୍‌ ମଧ୍ୟ ଆୟୋଜନ କରିସାରିଛି। ଭାରତୀୟ ବରିଷ୍ଠ ମହିଳା ଦଳ ମଧ୍ୟ ମ୍ୟାନ୍‌ମାର, ନେପାଳ ଓ ଇରାନ୍‌ ବିପକ୍ଷରେ ଖେଳିଥିଲା। କ୍ରୀଡ଼ା ଓଡ଼ିଶା ସରକାରଙ୍କ ଆଗ୍ରାଧିକାର ତାଲିକାରେ ରହିଛି। ଜାତୀୟ ଯୁବ ଦଳ ପାଇଁ ଥିବା ଓଡ଼ିଶା ହାଇ ପରଫର୍ମାନ୍ସ ‌ସେଣ୍ଟର୍‌ ଓଡ଼ିଶା ସରକାର ଏବଂ ଏଆଇଏଫ୍‌ଏଫ୍ ମଧ୍ୟରେ ଏକ ସମ୍ମିଳିତ ପ୍ରୟାସର ପରିଣତି ବୋଲି କହିଥିଲେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ। ଓଡ଼ିଶା ଏବଂ ଭାରତରେ ଯୁବ ତଥା ତୃଣମୂଳ ସ୍ତରରେ ଫୁଟ୍‌ବଲ୍‌ର ଦ୍ରୁତ ବିକାଶ ପାଇଁ ପଥ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ଦେବ ପ୍ରକାଶ କରିଥିଲେ।

ଭାରତୀୟ ବରିଷ୍ଠ ଦଳର ଦୁଇ ସଦସ୍ୟ ଅମରଜିତ୍‌ କିୟମ୍‌ ଏବଂ ନରେନ୍ଦ୍ର ‌ଗେହଲଟ୍‌ ମଧ୍ୟ ସେମାନଙ୍କ ଭୁବନେଶ୍ବର ରହଣି ଅଭୁଲା ରହିଥିବା ପ୍ରକାଶ କରିଛନ୍ତି। ୨୦୧୮-୧୯ ବ୍ୟାଚ୍‌ର ଇଣ୍ଡିଆନ୍‌ ଆରୋଜ୍‌ ଦଳରେ ଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍‌ ପିଚ୍‌ ଭଲ ଥିଲା, ଫ୍ଲଡଲାଇଟ୍‌ ତାଲିମ ଭାରତରେ ଅନ୍ୟ କେଉଁଠି ମ‌ିଳେନି ବୋଲି କହିଥ‌ିଲେ ଅମରଜିତ୍‌। ଆଇ ଲିଗ୍‌, ସୁପର୍ କପ୍‌, ଆଇଏସ୍‌ଏଲ୍‌ରେ ମୁଁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ବେଳେ ଅନୁକୂଳ ଫଳାଫଳ ପାଇଥିଲି ବୋଲି ୨୦୧୭ ମସିହାରେ ଭାରତୀୟ ଯୁବ ବିଶ୍ବକପ୍‌ (୧୭ ବର୍ଷରୁ କମ୍‌) ଦଳର ନେତୃତ୍ବ ନେଇଥିବା ଅମରଜିତ୍ ପ୍ରକାଶ କରିଥିଲେ। ‘ଭୁବନେଶ୍ବର‌ର ବ୍ୟବସ୍ଥା ସମ୍ପୂର୍ଣ୍ଣ ପେସାଦାର’ ବୋଲି କହିଥିଲେ ଡିଫେଣ୍ଡର୍‌ ନରେନ୍ଦର ଗେହଲଟ୍‌। ସେହିଭଳି କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଜିମ୍‌, ସନ୍ତରଣାଗାର, ବକ୍ତୃତା ହଲ୍‌, ଖାଦ୍ୟରେ ବିବିଧ ପୃଷ୍ଟିକର ବିକଳ୍ପ ଆଦି ଚମତ୍କାର ଥିଲା ବୋଲି କହିଥିଲେ ଗେହଲଟ୍‌।

‘‘ଏଠାରେ ଭାରତୀୟ ଯୁବ ଦଳ ଏବଂ ଅନ୍ୟ ଦଳଗୁଡିକୁ ମିଳୁଥିବା ସୁବିଧା ସ‌ୁଯୋଗ ୟୁରୋପୀୟ ସ୍ତରର, ଖେଳାଳିଙ୍କ ପରୀକ୍ଷା ପାଇଁ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ସୁବିଧା, ଆହତ ସମସ୍ୟାର ପ୍ରତିକାର ଏବଂ ଫୁଟ୍‌ବଲ୍‌ ଦକ୍ଷତାର ଉନ୍ନତି ଲାଗି ସମସ୍ତ ବିକଳ୍ପ ରହିଛି’‌ ବୋଲି କହିଥିଲେ ଭାରତୀୟ ଯୁବ ଦଳର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇଥିବା ଓଡ଼ିଶାର ଶୁଭେନ୍ଦୁ ପଣ୍ଡା।

ସମ୍ବନ୍ଧିତ ଖବର