ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୧୫,୦୦୦ ଆମେରିକୀୟ ଡଲାର୍ (ପ୍ରାୟ ୯ ଲକ୍ଷ ୭୫ ହଜାର ଟଙ୍କା) ପୁରସ୍କାର ରାଶି ବିଶିଷ୍ଟ ଓଡ଼ିଶା ଆଇଟିଏଫ୍ (ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍)ର ପୁରୁଷ ଫ୍ୟୁଚର୍ସ ପ୍ରତିଯୋଗିତା ଶନିବାର ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ବିଦେଶୀଙ୍କୁ ପଛରେ ପକାଇ ଫାଇନାଲ୍ ଖେଳିଥିବା ଦୁଇ ଭାରତୀୟଙ୍କ ମଧ୍ୟରେ ପୁନେର ଅର୍ଜୁନ ଖାଡ଼େ ୬-୩, ୬-୨ରେ ଚେନ୍ନାଇର ବିଜୟ ସୁନ୍ଦର ପ୍ରଶାନ୍ତଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ବିଜେତା ମୁକୁଟ ସହିତ ଅର୍ଜୁନ ୧୮ ଆଇଟିଏଫ୍ ପଏଣ୍ଟ୍ ମଧ୍ୟ ଅର୍ଜନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପ୍ଲେକ୍ସର କୋର୍ଟ-୧ରେ ଖେଳାଯାଇଥିବା ଏହି ଏକତରଫା ଫାଇନାଲ୍ରେ ଅର୍ଜୁନ ତାଙ୍କ ଯୁଗଳ ସାଥୀ ପ୍ରଶାନ୍ତଙ୍କ ଭୁଲ୍ରୁ ଭରପୁର ଫାଇଦା ଉଠାଇଥିଲେ। ପ୍ରଥମ ଗେମ୍ରେ ଅର୍ଜୁନ ବିଜୟୀ ହୋଇଥିଲେ ମଧ୍ୟ ପ୍ରଶାନ୍ତ ପ୍ରତିପକ୍ଷଙ୍କ ସର୍ଭିସ୍ ବ୍ରେକ୍ କରି ଏକଦା ୨-୧ରେ ଆଗେଇଥିଲେ। କିନ୍ତୁ ଚତୁର୍ଥ ଗେମ୍ର ଲମ୍ବା ଲଢ଼େଇ ପରେ ଅର୍ଜୁନ ଏହାକୁ ୨-୨ ସ୍ତରକୁ ନେବା ପରେ ଆଉ ପଛକୁ ଫେରିନଥିଲେ। ପ୍ରଥମ ସେଟ୍୍କୁ ୬-୩ରେ ଜିତିବା ପରେ ଦ୍ୱିତୀୟଟିରେ ପ୍ରଶାନ୍ତ ୨-୬ରେ ହାର୍ ସ୍ୱୀକାର କରିଥିଲେ। ପିଠି ଏବଂ ପାଦରେ ସାମାନ୍ୟ ଅସୁବିଧା ଅନୁଭବ କରୁଥିଲେ ମଧ୍ୟ ଅର୍ଜୁନ ନିଜ ଅଭିଜ୍ଞତାର ଉପଯୋଗ କରି ଓଡ଼ିଶା ଆଇଟିଏଫ୍ ଫ୍ୟୁଚର୍ସକୁ ନିଜ ନାମରେ କରିନେଇଥିଲେ। ଗତବର୍ଷ ଭିଏତନାମରେ ପ୍ରଥମ ଆଟିଏଫ୍ ଫ୍ୟୁଚର୍ସ ଜିତିବା ପରେ ଏହା ତାଙ୍କ ଦ୍ୱିତୀୟ ମୁକୁଟ ବୋଲି ମଧ୍ୟ ପ୍ରକାଶ କରିଥିଲେ। ବିଶ୍ୱମାନ୍ୟତାରେ ୫୨୫ତମ ସ୍ଥାନରେ ଥିବା ତୃତୀୟ ମାନ୍ୟତାପ୍ରାପ୍ତ ଅର୍ଜୁନ ଫାଇନାଲ୍ ମ୍ୟାଚ୍ ଜିତିବାକୁ ମୋଟ ୧ ଘଣ୍ଟା ୪୪ ମିନିଟ୍ ନେଇଥିଲେ। ଶେଷକୁ ୨୪ ବର୍ଷୀୟ ଉଦୀୟମାନ ଅର୍ଜୁନଙ୍କ ବ୍ୟାକ୍ହ୍ୟାଣ୍ଡ୍ ଖେଳ ଆଗରେ ୩୧ ବର୍ଷୀୟ ବିଜୟ ସୁନ୍ଦର ପ୍ରଶାନ୍ତଙ୍କ ପ୍ରୟାସ ନିଷ୍ଫଳ ରହିଥିଲା। ଏଥି ସହିତ ପ୍ରଶାନ୍ତଙ୍କୁ ଲଗାତାର ଦିବସରେ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଶୁକ୍ରବାର ଖେଳାଯାଇଥିବା ଯୁଗଳ ବର୍ଗ ଫାଇନାଲ୍ରେ ପ୍ରଶାନ୍ତ-ଅର୍ଜୁନଙ୍କୁ ଅନ୍ୟତମ ଭାରତୀୟ ଯୋଡ଼ି ସିଦ୍ଧାର୍ଥ ରାଓ୍ଵତ-ମନୀଷ ସୁରେଶ କୁମାର ୬-୩, ୬-୩ରେ ପରାସ୍ତ କରି ବିଜେତା ହୋଇଥିଲେ। ପୂର୍ବରୁ ସେମିଫାଇନାଲ୍ରେ ପ୍ରଶାନ୍ତ ଦ୍ୱିତୀୟ ମାନ୍ୟତାର ସିଦ୍ଧାର୍ଥ ରାଓ୍ଵତଙ୍କୁ ୬-୩, ୬-୭ (୩), ୬-୩ରେ ଏବଂ ଅର୍ଜୁନ ୭-୬ (୬), ୪-୬, ୬-୪ରେ ପ୍ରତୀକ ରିକଲ୍ଙ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ଉଭୟ ମୁକୁଟକୁ ଭାରତୀୟ ଖେଳାଳି ଜିତି ମଧ୍ୟ ଏହାକୁ ସ୍ମରଣୀୟ କରିଛନ୍ତି।
ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରଶାନ୍ତ ଶର୍ମା, କ୍ରୀଡ଼ା ନିର୍ଦେଶକ ଭିନିଲ୍ କ୍ରିଷ୍ଣା ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଟେନିସ୍ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ମଧୁସୂଦନ ପାଢ଼ୀ, ଯୁଗ୍ମ ମମ୍ପାଦକ ସଂଜୀବ ପଣ୍ଡା, ସଂଯୋଜକ ତଥା ପ୍ରଶିକ୍ଷକ ଶୁଭ୍ରାଂଶୁ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ପିତାମାତାଙ୍କୁ ଅର୍ଜୁନ ସମର୍ପିଲେ ଟ୍ରଫି
ଓଡ଼ିଶା ଆଇଟିଏଫ୍ ଫ୍ୟୁଚର୍ସ ଟ୍ରଫି ବିଜୟର ଶ୍ରେୟ ଅର୍ଜୁନ ଦେଇଛନ୍ତି ନିଜ ପରିବାର ଓ ପ୍ରଶିକ୍ଷକଙ୍କୁ। ମୋ ସହିତ ପିତାମାତା ଜୟନ୍ତ ଓ ରଶ୍ମି ଖାଡ଼େ ଆସିଥିଲେ ଏବଂ ସେମାନଙ୍କ ଉପସ୍ଥିତି ମୋତେ ଉତ୍ସାହିତ କରିଥିଲା। ଆହତ ସମସ୍ୟା ସହିତ ସୁବୁବେଳେ ମୋତେ ସେମାନେ ସମର୍ଥନ ଦେଇ ଆସିଛନ୍ତି। ପ୍ରଶିକ୍ଷକ ହେମନ୍ତ ବେନ୍ଦ୍ରେଙ୍କୁ ମଧ୍ୟ ବଡ଼ ଶ୍ରେୟ ମିଳିବ ବୋଲି ବିଜୟ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିଲେ ଅର୍ଜୁନ। ଫାଇନାଲ୍ରେ ମୁଁ ଆଶାଜନକ ଖେଳି ଜିତିଲି। ଏବେ ଆସନ୍ତା ସପ୍ତାହରେ କୋଲ୍କାତା ପ୍ରତିଯୋଗିତା ଉପରେ ନିଜର ରଖିଛି। ମୁଁ ମୋ ଖେଳକୁ ଉପଭୋଗ କରୁଛୁ ଏବଂ ଆହତ ନ ହୋଇ ଯେତେ ଆଗକୁ ବଢ଼ିପାରିବି ଚେଷ୍ଟା କରିବି। ଦେଶ ପାଇଁ ଡେଭିସ୍ କପ୍ରେ ଖେଳିବା ନିଶ୍ଚିତ ଅସଲ ଲକ୍ଷ୍ୟ ରହିବ। ଦେଶର ପ୍ରତିନିଧିତ୍ୱ କରିବା ସବୁବେଳେ ଚମତ୍କାର ଅନୁଭବ ଦେଇଥାଏ। ସେଭଳି ଆଶା ମୋର ମଧ୍ୟ ରହିଛି। କଳିଙ୍ଗ ଷ୍ଟାଡିୟମ ଆୟୋଜନକୁ ଢ଼େର ପ୍ରଶଂସା କରିଥିଲେ ଅର୍ଜୁନ। ଏହା ଏକ ସୁନ୍ଦର ଷ୍ଟାଡିୟମ୍। କେବଳ ଈଚ୍ଛାଶକ୍ତି ରହିଲେ ଏହାକୁ ଅଧିକ ଚମତ୍କାର କରିହେବ ବୋଲି ପ୍ରକାଶ କରିଥିଲେ ଏହି ପୁନେ ପ୍ରତିଭା।
ଅନମ ଦେଲେ ଆଶା
ଭୁବନେଶ୍ୱର: ଓଡ଼ିଶା ଆଇଟିଏଫ୍ରେ ସିନା ଓଡ଼ିଶା ପିଲା ପ୍ରଥମ ରାଉଣ୍ଡ୍ ଆଗକୁ ବଢ଼ିପାରିଲେ ନାହିଁ ଏବେ ଉଦୀୟମାନ ମହିଳା ପ୍ରତିଭା ଅନମ ଆଲମାସ ଦେଇଛନ୍ତି ଆଶା। ଭୋପାଳରେ ଚାଲିଥିବା ଆଇଟିଏଫ୍ ମହିଳା ୧୫କେ ପ୍ରତିଯୋଗିତାରେ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡ୍ ଜିତି ଚୂଡାନ୍ତ ରାଉଣ୍ଡ୍କୁ ଉଠିଛନ୍ତି। ନିଜ ଖେଳ ଜୀବନର ପ୍ରଥମ ଆଇଟିଏଫ୍ ମ୍ୟାଚ୍ରେ ଅନମ ୭-୫, ୩-୬, ୭-୫ରେ ଭାରତର ଆଦ୍ରିତା ବିଶ୍ୱାସଙ୍କୁ ପରାସ୍ତ କରିଥିଲେ। ମୁଖ୍ୟ ଡ୍ର’ ପ୍ରବେଶ ଲାଗି ଅନମ୍ ରବିବାର ଅଭିଳାଷ ମେହେରାଙ୍କୁ ଭେଟିବେ। ବିଜୟୀ ହେଲେ ପ୍ରଥମ ଓଡ଼ିଆ ଭାବେ ଆଇଟିଏଫ୍ ମୁଖ୍ୟ ଡ୍ର’କୁ ଉଠିବେ ବୋଲି ପ୍ରକାଶ କରିଛନ୍ତି ତାଙ୍କ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ।
ସେମିଫାଇନାଲ୍ ଶ୍ରେଷ୍ଠ: ପ୍ରଶାନ୍ତ
ଫାଇନାଲ୍ରେ ଦେଖାଇଥିବା ଖେଳକୁ ନେଇ ନିରାଶ ହୋଇଥିଲେ ଉପ ବିଜେତା ବିଜୟ ସୁନ୍ଦର ପ୍ରଶାନ୍ତ। ଏଥିରେ କ୍ଲାନ୍ତିର ପ୍ରଭାବ ରହିଲା ବୋଲି ମୁଁ କହିପାରିବି ନାହିଁ। କିନ୍ତୁ ବଡ଼ ଖେଳାଳିଙ୍କ ହରାଇ ଆସିବା ପରେ ଫାଇନାଲ୍ରେ ମୁଁ ଯେଭଳି ପ୍ରଦର୍ଶନ କରିବା କଥା ସେଭଳି କରିପାରିନଥିଲି। ଏ ସମ୍ପର୍କରେ ମୁଁ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିଛି। ସେମିଫାଇନାଲ୍ରେ ସିଦ୍ଧାର୍ଥଙ୍କୁ ହରାଇବା ମୋ ପାଇଁ ଏଠାକାର ଶ୍ରେଷ୍ଠ ମୁହୂର୍ତ ହୋଇରହିବ। ଭୁବନେଶ୍ୱରରେ ଏଭଳି ଏକ ଆଇଟିଏଫ୍ ପ୍ରତିଯୋଗିତା ଅୟୋଜନ ନିଶ୍ଚିତ ପ୍ରଶଂସନୀୟ। ଏଠାକାର ସୁବିଧା ସୁଯୋଗ ଏବଂ ଭିତ୍ତିଭୂମୀ ଭଲ ବୋଲି କହିଥିଲେ ଚେନ୍ନାଇ ଯୁବକ ପ୍ରଶାନ୍ତ।