ଭୁବନେଶ୍ବର: ‘ଅଲ୍ଟିମେଟ୍ ଖୋ ଖୋ’ ପେସାଦାର ଲିଗ୍ରେ ‘ଓଡ଼ିଶା ଜଗରନଟ୍ସ’ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି। ମଙ୍ଗଳବାର ମୁମ୍ବାଇ ଖିଲାଡ଼ୀସ୍ଠାରୁ ହାରିଥିବା ଜଗରନଟ୍ସ ବୁଧବାର ତେଲୁଗୁ ଯୋଦ୍ଧାସ୍ଠାରୁ ୬୫-୩୬ ପଏଣ୍ଟ୍ରେ ହାରିଯାଇଛି। ଫଳରେ ଦଶମ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରିଛି। ତେବେ ପୂର୍ବପ୍ରଦର୍ଶନ ଆଧାରରେ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନରେ ରହି ଲିଗ୍ ଉପବିଜେତା ହୋଇଛି। ପ୍ଲେ ଅଫ୍ରେ ଏବେ ଏହି ଦଳ ଲିଗ୍ ବିଜେତା ଗୁଜରାଟ ଜାଏଣ୍ଟ୍ସର ମୁକାବିଲା କରିବ। ଏହି ମ୍ୟାଚ୍ରେ ପରାଜିତ ହେଲେ ମଧ୍ୟ ପଏଣ୍ଟ୍ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ରହିଥିବାରୁ ଦ୍ବିତୀୟ କ୍ଲାଲିଫାୟର ଖେଳି ଫାଇନାଲ୍କୁ ଯିବାର ଆଉ ଏକ ସୁଯୋଗ ଲାଭ କରିବ। ଗୁଜରାଟ ଜାଏଣ୍ଟ୍ସ-ଓଡ଼ିଶା ଜଗରନଟ୍ସ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଦ୍ବିତୀୟ କ୍ବାଲିଫାୟରରେ ତେଲୁଗୁ ଯୋଦ୍ଧାସ୍ ଓ ଚେନ୍ନାଇ କୁଇକ୍ ଗନ୍ସ ମୁହାଁମୁହିଁ ହେବେ।
ରାଜସ୍ଥାନକୁ ହରାଇଲା ଗୁଜରାଟ
ନିଜ ଶେଷ ଲିଗ୍ ମ୍ୟାଚ୍ରେ ଅଲ୍ଟିମେଟ୍ ଖୋ ଖୋର ଅନ୍ୟତମ ଶକ୍ତିଶାଳୀ ଦଳ ଗୁଜରାଟ ଜାଏଣ୍ଟସ୍ ୫ ପଏଣ୍ଟ୍ରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଗୁଜରାଟ ୪୭ ପଏଣ୍ଟ୍ ଅର୍ଜନ କରିଥିଲା ବେଳେ ରାଜସ୍ଥାନ ୪୨ ପଏଣ୍ଟ୍ ପାଇଥିଲା। ରାଜସ୍ଥାନ ଦଶମ ମ୍ୟାଚ୍ରୁ ନବମ ପରାଜୟ ବରଣ କରି ୬ ଦଳୀୟ ପ୍ରତିଯୋଗିତାର ସବାଶେଷ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଅନ୍ୟପକ୍ଷରେ ଗୁଜରାଟ ସେହି ୧୦ ମ୍ୟାଚ୍ରୁ ସପ୍ତମ ବିଜୟ ସହ ମୋଟ ୨୩ ପଏଣ୍ଟ୍ରେ ପହଞ୍ଚିଥିଲା। ପ୍ରତି ମ୍ୟାଚ୍ରୁ ୩ ପଏଣ୍ଟ୍ ଲେଖାଏଁ ସହ ୨ ବୋନସ୍ ପଏଣ୍ଟ୍ ପାଇଥିବାରୁ ଗୁଜରାଟ ପଏଣ୍ଟ୍ ୨୩କୁ ବଢ଼ିଥିଲା। ଲିଗ୍ର ଅନ୍ୟ ଦଳଗୁଡ଼ିକ ମଧ୍ୟରେ ତେଲୁଗୁ ଯୋଦ୍ଧାସ୍ (୧୯ ପଏଣ୍ଟ୍) ଏବଂ ଚେନ୍ନାଇ କୁଇକ୍ ଗନ୍ସ (୧୫) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍କୁ ଯାଇଥିଲେ। ରାଜସ୍ଥାନ ଭଳି ମୁମ୍ବାଇ ଖିଲାଡିସ୍ ମଧ୍ୟ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା।
ଦର୍ଶକ ଗ୍ୟାଲେରିରେ ପୃଥ୍ବୀ ସ’
ଗୁଜରାଟ-ରାଜସ୍ଥାନ ମ୍ୟାଚ୍ରେ ଭାରତୀୟ କ୍ରିକେଟର୍ ପୃଥ୍ବୀ ସ’ ପ୍ରମୁଖ ଆକର୍ଷଣ ସାଜିଥିଲେ। ଦର୍ଶକ ଗ୍ୟାଲେରିରେ ବସି ସେ ମଧ୍ୟ ପୂରା ମ୍ୟାଚ୍ ଦେଖିଥିଲେ। ମ୍ୟାଚ୍ ପରେ କିଛି ପ୍ରଶଂସକଙ୍କୁ ସେ ଅଟୋଗ୍ରାଫ୍ ଦେଉଥିବା ଦେଖିବାକୁ ମିଳିଥିଲା। ପୃଥ୍ବୀ ମଧ୍ୟ ‘ଅଲ୍ଟିମେଟ୍ ଖୋ ଖୋ’ ଭଳି ପ୍ରତିଯୋଗିତା ଆୟୋଜନ କରିଥିବାରୁ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।