‘ଓଡ଼ିଶା ଜଗରନଟ୍ସ’କୁ ମିଳିଲା ୨ କୋଟିର ଆର୍ଥିକ ପୁରସ୍କାର: ଓଡ଼ିଶାରେ ହେବ ଖୋ ଖୋ ଏଚ୍‌ପିସି ଓ ଷ୍ଟାଡିୟମ୍

ଜଗରନଟ୍ସଙ୍କୁ ସମ୍ବର୍ଦ୍ଧିତ କଲା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ

ଭୁବନେଶ୍ବର: ଓଡ଼ିଶାରେ ହେବ ଖୋ ଖୋ ହାଇପର୍ଫର୍ମାନ୍ସ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଖୋ ଖୋ ଷ୍ଟାଡିୟମ। ବୁଧବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପେସାଦାର ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ର ପ୍ରଥମ ବିଜେତା ହେବା ପରେ ‘ଓଡ଼ିଶା ଜଗରନଟ୍ସ’ ଦଳର ଖେଳାଳି, ପ୍ରଶିକ୍ଷକ ତଥା ପରିଚାଳକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଭାରୋତ୍ତୋଳନ ହଲ୍‌ରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ ଦେଶୀ ତଥା ପାରମ୍ପରିକ ଖେଳ ଖୋ ଖୋ ପାଇଁ ଦେଶର ପ୍ରଥମ ଏଚ୍‌ପିସି ଏବଂ ଉତ୍ସର୍ଗୀକୃତ ଖୋ ଖୋ ଷ୍ଟାଡିୟମ୍ ଓଡ଼ିଶାରେ ନିର୍ମାଣ କରିବାକୁ ମଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖି ଓଡ଼ିଶା ସରକାର ନିଶ୍ଚିତ ଭାବେ ଏହି ଦୁଇ ଅନୁରୋଧକୁ ରକ୍ଷା କରିବାକୁ ଚେଷ୍ଟା କରିବେ ବୋଲି ଘୋଷଣା କରିଥିଲେ। ପ୍ରଥମ ରାଜ୍ୟ ଭାବେ ଏକ ପେସାଦାର ଖୋ ଖୋ ଦଳ କିଣି ଇତିହାସ ରଚିଥିବା ଓଡ଼ିଶାର ଭୌଗୋଳିକ ସ୍ଥିତି ଖୋ ଖୋ ଖେଳ ପାଇଁ ପୂରା ପ୍ରକୃଷ୍ଟ ବୋଲି ଶ୍ରୀ ମିତ୍ତଲ କହିଥିଲେ। ସେହିଭଳି ଖୋ ଖୋର ଉନ୍ନତି ଲାଗି ରାଜ୍ୟ ସରକାର ଦେଉଥିବା ଅଭୂତପୂର୍ବ ସମର୍ଥନ ଓ ସହଯୋଗ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତୀୟ ଖୋ ଖୋ ମହାସଂଘ ପକ୍ଷରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଳକ ଏବଂ ଦଳ ଜିତିଥିବା ସ୍ବର୍ଣ୍ଣ ପଦକରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତରେ ଖୁବ୍‌ଶୀଘ୍ର ଏସୀୟ ଖୋ ଖୋ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ମଧ୍ୟ ଶ୍ରୀ ମିତ୍ତଲ ଏହି ଅବସରରେ ସୂଚନା ଦେଇଥିଲେ।

ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଜେତା ଓଡ଼ିଶା ଜଗରନଟ୍ସ ଦଳକୁ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ‘‘ଅଲ୍ଟିମେଟ୍‌ ‌ଖୋ ଖୋର ବିଜେତା ହୋଇ ଆପଣମାନେ ଇତିହାସ ରଚିଛନ୍ତି। ଆପଣମାନଙ୍କ ଏହି ସଫଳତା ଦୀର୍ଘଦିନ ଧରି ଚର୍ଚ୍ଚିତ ହେବା ସହ ଏହା ଜନସାଧରଣଙ୍କ ମନରେ ଲିପିବଦ୍ଧ ହୋଇ ରହିବ। ଯୁବ ଓ ଉଦୀୟମାନ ଖେଳାଳିଙ୍କୁ ଖୋ ଖୋକୁ ପେସା କରିବା ଲାଗି ଅନୁପ୍ରେରିତ କରିବ। ଓଡ଼ିଶା ଜଗରନଟ୍ସର ଏହି ସଫଳତା ନେଇ ଆମେ ସମସ୍ତେ ବେଶ୍ ଗର୍ବିତ’’ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଥିଲେ।

ଓଡ଼ିଶା ଜଗରନଟ୍ସର ସଫଳତା ନେଇ ‘ଅଲ୍ଟିମେଟ୍ ଖୋ ଖୋ’ ମୁଖ୍ୟ କାର୍ଯ୍ୟନିର୍ବାହୀ ତେଜିଂ ନିଓଗୀ ଏବଂ ଶ୍ରୀ ମିତ୍ତଲ ସମସ୍ତ ‌ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ସଚିବ ଭିକେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ତଥା ଭାରତୀୟ ଖୋ ଖୋ ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ୩ରୁ ୧୦ ଲକ୍ଷ ଏବଂ ପରିଚାଳକ ତଥା ପ୍ରଶିକ୍ଷକଙ୍କୁ ୧ରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଜଗରନଟ୍ସଙ୍କୁ ସମ୍ବର୍ଦ୍ଧିତ କଲା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ
ଭୁବନେଶ୍ବର: ଅଲ୍‌ଟିମେଟ ଖୋଖୋ ବିଜେତା ଓଡ଼ିଶା ଜଗରନଟ୍ସ ଦଳକୁ ମଙ୍ଗଳବାର ବିଶ୍ବର ଅଗ୍ରଣୀ ଷ୍ଟିଲ୍‌ ନିର୍ମାତା ଆର୍ସଲ ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ସମ୍ବର୍ଦ୍ଧିତ କରିଛି। ୪ ତାରିଖରେ ପୁଣେରେ ଖେଳାଯାଇଥିବା ପେସାଦାର ଖୋଖୋ ଲିଗ୍‌ ଫାଇନାଲ୍‌ରେ ତେଲୁଗୁ ଯୋଦ୍ଧାସ୍‌କୁ ହରାଇ ଟ୍ରଫି କରାୟତ୍ତ କରିଥିବା ଓଡ଼ିଶା ଜଗରନଟ୍ସ ଘରକୁ ଫେରିବା ପରେ ଭୁବନେଶ୍ବରରେ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲା। ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ କ୍ରିଷ୍ଣା ଏବଂ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆର ମାନବ ସମ୍ବଳ ଏବଂ ପ୍ରଶାସନିକ ଉପନିର୍ଦେଶକ ଶିଙ୍ଗୋ ନାକାମୁରାଙ୍କ ସହ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର