ଆସାମର ହି˚ସାକାଣ୍ଡରେ ଫସିଥିବା ଓଡ଼ିଶା କନିଷ୍ଠ କ୍ରିକେଟ୍‌ ଦଳ ସୁରକ୍ଷିତ ଫେରିଲେ

କଟକ: ନାଗରିକତା ବିବାଦକୁ ନେଇ ଆସାମରେ ଜାରି ରହିଥିବା ହି˚ସାକାଣ୍ଡରେ ଫସିଯାଇଥିବା ଓଡ଼ିଶା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି ଦଳ ଆଜି ଘରକୁ ଫେରିଛି। ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିମାନଙ୍କୁ ଏକ ବସ୍‌ରେ ପ୍ରଥମେ ଗୌହାଟୀ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଦୁଇଟି ବିମାନ ଯୋଗେ ଖେଳାଳିଙ୍କ ସହ ଅନ୍ୟାନ୍ୟ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।

ଦଳର ପ୍ରଶିକ୍ଷକ ନିର˚ଜନ ବେହେରାଙ୍କ ସୂଚନା ଅନୁଯାୟୀ, ହି˚ସାକାଣ୍ଡ ଯୋଗୁଁ ଦଳ ଏକ ହୋଟେଲରେ ରହିଥିଲା। ନିୟମିତ ଭାବେ ଓଡ଼ିଶା କ୍ରିକେଟ୍‌ ସ˚ଘ ଓ ଆସାମ କ୍ରିକେଟ୍‌ ସ˚ଘ ସହିତ ଯୋଗାଯୋଗ ସ୍ଥାପନ କରାଯାଉଥିଲା। ଏଭଳି ପରିସ୍ଥିତିରେ ଆସାମରେ ହେବାକୁଥିବା ବିସିସିଆଇର ସମସ୍ତ ମ୍ୟାଚ୍‌ ବାତିଲ କରାଯାଇଥିବାରୁ ଖେଳାଳିମାନେ କିପରି ସୁରକ୍ଷିତ ଘରକୁ ଫେରିବେ ସେଥିପାଇଁ ଆସାମ ପ୍ରଶାସନ ମଧ୍ୟ ଚିନ୍ତାରେ ଥିଲା। ତଥାପି ଆସାମ କ୍ରିକେଟ୍‌ ସ˚ଘ ଓ ସ୍ଥାନୀୟ ପୁଲିସର ସହଯୋଗରେ ସମସ୍ତ ଖେଳାଳିଙ୍କୁ ଶୁକ୍ରବାର ଏକ ବସ୍‌ ଯୋଗେ ବିମାନବନ୍ଦର ଅଣାଯାଇଥିଲା।

ସେଠାରେ ଆବଶ୍ୟକୀୟ ଔପଚାରିକତା ପୂରଣ କରାଯିବା ବେଳେ କିଛିଟା ବିଳମ୍ବ ହୋଇଥିଲା। ଖେଳାଳିମାନଙ୍କ ଖେଳ ଉପକରଣ ଯାଞ୍ଚ ଓ ସେଗୁଡ଼ିକୁ ବିମାନ ପର୍ଯ୍ୟନ୍ତ ପହଞ୍ଚାଇବାରେ ଡେରି ହେବାରୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷକ ନିର˚ଜନ ଓ ଟ୍ରେନର ଜଗତ ର˚ଜନ ଦାସଙ୍କୁ ପ୍ରଥମ ବିମାନରେ ସିଧାସଳଖ ଭୁବନେଶ୍ବର ପଠାଯାଇଥିଲା। ପରେ ଆଉ ଏକ ବିମାନରେ ଖେଳାଳିମାନଙ୍କୁ କୋଲକାତା ଦେଇ ଭୁବନେଶ୍ବର ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର