ଓଡ଼ିଶା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ଆମେରିକା ଦଳରେ ‘ଛୋଟ ଭାରତ’

ଭୁବନେଶ୍ବର: ବିଶ୍ବ ହକିରେ ସମ୍ପୂର୍ଣ୍ଣ ନବାଗତ ଥିଲେ ମଧ୍ୟ ଏଥର ଆମେରିକା ଯୁବ ଦଳ ଗୁରୁବାର ଭୁବନେଶ୍ବରଠାରେ ପହଞ୍ଚିଛି। ରବିବାରଠୁ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ଅଂଶଗ୍ରହଣ କରିବାକୁ ଆସିଥିବା ଏହି ଦଳରେ ଏକାଧିକ ଭାରତୀୟ ବଂଶୋଦ୍ଭବଙ୍କ ଉପସ୍ଥିତି ଚର୍ଚ୍ଚାରେ ରହିଛି।‌ ଆମେରିକା ସିଧାସଳଖ ଯୋଗ୍ୟତା ଅର୍ଜନ କରିନଥିଲେ ମଧ୍ୟ କୋଭିଡ୍‌ କଟକଣା କାରଣରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ ଓହରିଯିବାରୁ ଆମେରିକା ଦଳକୁ ସୁଯୋଗ ମିଳିଛି। ଆଉ ଏହି ଦଳରେ ଥିବା ୫ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ସେମାନଙ୍କ ମୂଳ ଦେଶରେ ‌ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅପୂର୍ବ ଅନୁଭବ ପାଇବାକୁ ଯାଉଛନ୍ତି।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଭାରତୀୟ ହକିର ଅନ୍ୟତମ ପ୍ରତିଷ୍ଠିତ ଚେହେରା ହରେନ୍ଦ୍ର ସିଂହ ଏବେ ଦଳର ପ୍ରଶିକ୍ଷକ ଥିବାରୁ ଆମେରିକା ଦଳ ଏବେ ‌‘ଛୋଟ ଭାରତ’ ଭାବେ ପରିଚିତ ହେବାକୁ ଲାଗିଛି। ହରେନ୍ଦ୍ରଙ୍କ ପ୍ରଶିକ୍ଷିତ ଭାରତୀୟ ଦଳ ୨୦୧୬ରେ ବିଜେତା ହୋଇଥିବାରୁ ଆମେରିକା ହକିକୁ ସେ ନୂଆ ଦିଶା‌‌ ଦେଇପାରିବେ ବୋଲି ମଧ୍ୟ ବିଶ୍ବାସ କରାଯାଉଛି। ଘରୋଇ ପରିବେଶରେ ଖେଳିବାକୁ ନେଇ ବିଶେଷ ଉଲ୍ଲସିତ ଅଛନ୍ତି ଦଳର ପ୍ରମୁଖ ଭାରତୀୟ ବଂଶୋଦ୍ଭବ ଯତୀନ ଶର୍ମା। ‘ଏହା ଏକ ଚମତ୍କାର ଅନୁଭବ ଦେବାକୁ ଯାଉଛି। ଅଧିକାଂଶ ପିଲାଙ୍କ ପାଇଁ କନିଷ୍ଠ ହକି ବିଶ୍ବକପ୍‌ ଖେଳିବାର ସ୍ବପ୍ନ ଥାଏ, ଏହି ସ୍ବପ୍ନ ସାକାର ହେବାକୁ ଯାଉଛି।’ ବୋଲି କାଲିଫର୍ଣ୍ଣିଆରୁ ଭାରତ ଆସିବା ପୂର୍ବରୁ ପ୍ରକାଶ କରିଥିଲେ ଯତୀନ। ଯତୀନଙ୍କ ବ୍ୟତୀତ ଅନ୍ୟ ୪ ଖେଳାଳି ହେଲେ ମେହତାବ ‌ଗ୍ରେୱାଲ, ଗୁରୁଚରଣ ଜୋହାଲ, ଅମ୍ରିନ୍ଦରପାଲ୍ ସିଂହ ଏବଂ ସୌମିକ୍ ଚକ୍ରବର୍ତ୍ତୀ। ଅମେରିକାରେ ବହୁଳ ଭାରତୀୟ ହକି ସମ୍ପ୍ରଦାୟ ରହିଛନ୍ତି, ବିଶେଷ କରି କାଲିଫର୍ଣ୍ଣିଆରେ। ପ୍ରାୟ ୮୦ ପ୍ରତିଶତ ହକି ଖେଳାଳି ଭାରତୀୟ ବଂଶଧର। ହକି ଏକ ବଡ଼ ଖେଳ ଏବ ଭାରତୀୟ ସମ୍ପ୍ରଦାୟ ମଧ୍ୟ ଆମେରିକା ହକି ପାଇଁ ଅନେକ କିଛି କରୁଛନ୍ତି।’ ବୋଲି ଯତୀନ ପ୍ରକାଶ କରିଥିଲେ।

ବ୍ୟକ୍ତିଗତ ଭାବେ ମୋତେ ପିତା ହିଁ ହକି ଶିଖାଇଥିଲେ। ଭାରତରେ ସେ ଖେଳିଥିଲେ, ଏବେ ସେ କାଲିଫର୍ଣ୍ଣିଆରେ ଯୁବ କ୍ଲବ୍‌ ଦଳକୁ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମୋ ସଫଳତାର ସବୁ ‌ଶ୍ରେୟ ତାଙ୍କ ନିକଟକୁ ଯିବ। ମୁଁ ଏବେ ମଧ୍ୟ ପିତାଙ୍କୁ ଷ୍ଟାନଫୋର୍ଡ ଲାଇଟିଂ କ୍ଲବ୍‌ର ୧୦ ବର୍ଷରୁ କମ୍ ପିଲାଙ୍କୁ ପ୍ରଶିକ୍ଷଣରେ ସହାୟତା କରୁଛି ବୋଲି ଯତୀନ ପ୍ରକାଶ କରିଥିଲେ। ଭାରତରେ ବିଶ୍ବକପ୍‌ ଖେଳାଯାଉଥିବାରୁ ଏବଂ ଆମେରିକା ଦଳ ଆସିଥିବାରୁ ଏହି ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କୁ ଜନ୍ମମାଟି ବୁଲିବାର ସୁଯୋଗ ମିଳିଥିଲା। କିନ୍ତୁ କୋଭିଡ୍‌ ନିୟମାବଳୀ କାରଣରୁ କେବଳ ମେହେତାବଙ୍କ ପରିବାର ଜନ୍ମମାଟି ବୁଲିଯିବାର ଯୋଜନାରେ ରହିଛନ୍ତି। ଯତୀନ କିନ୍ତୁ ନିଜ ଠିକଣା ଜନ୍ମମାଟିକୁ ଭଲ ଭାବେ ଜାଣିନଥିବା ଜଣାପଡ଼ିଥିଲା। ଜଳନ୍ଧର ପାଖାପାଖି ବୋଲି ସେ କେବଳ କହିପାରିଥିଲେ। ‘ପୂର୍ବରୁ ମାତ୍ର ୨ ଥର ମୁଁ ଭାରତ ଆସିଚି।

ବର୍ଷକର ହୋଇଥିବା ବେଳେ ପ୍ରଥମେ ଆସିଥିଲି ଏବଂ ୭ ବର୍ଷର ହୋଇଥିବା ବେଳେ ଦ୍ବିତୀୟ ଥର। ୨୦୦୮ରେ ସେ ଶେଷ ଥର ପାଇଁ ଭାରତ ଆସିଥିଲେ। ସୂଚନା‌ଯୋଗ୍ୟ, ଯତୀନ ଶର୍ମା ଏବଂ ସୌମିକ ଚକ୍ରବର୍ତ୍ତୀ ଦୁଇ ଖେଳାଳି ଯିଏ ଆମରିକା ବରିଷ୍ଠ ଦଳରୁ ମଧ୍ୟ ଖେଳିସାରିଛନ୍ତି। ୨୦୨୦ ‌ଫେବ୍ରୁଆରିରେ ବରିଷ୍ଠ ଦଳରୁ ପଦାର୍ପଣ କରିଥିଲେ। ‘ଆମେରିକାରେ ହକି ଏତେ ବଡ଼ ରୂପ ନେଇନଥିବାରୁ ହକି ପରିବାର ଲୋକ ଅର୍ଥ ଯୋଗାଡ଼ କରି ଖେଳୁଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ। ହାରାହାରି ୧.୫ ଲକ୍ଷ ଟଙ୍କା ହକି ପରିବାର ଲୋକଙ୍କୁ ଦେବାକୁ ପଡ଼ିଛି ବୋଲି କମ୍ପ୍ୟୁଟର୍‌ ବିଜ୍ଞାନରେ ତୃତୀୟ ବର୍ଷ ଛାତ୍ର ଥିବା ୨୦ ବର୍ଷୀୟ ଯତୀନ ପ୍ରକାଶ କରିଛନ୍ତି। ପାଢ଼ ପଢ଼ା ସରିନଥିବାରୁ ବିଦେଶ ଭ୍ରମଣ ବେଳେ ଅନ୍‌ଲାଇନ୍ କ୍ଲାସ୍‌‌ରେ ବି ସାମିଲ ହେବାକୁ ପଡୁଛି। ଭୁବନେଶ୍ବର କନିଷ୍ଠ ହକି ବିଶ୍ବକପ୍‌ରେ ଦଳ କ୍ବାର୍ଟରଫାଇନାଲ୍‌ ପର୍ଯ୍ୟନ୍ତ ଉଠିବା ଆଶା ରଖିଛି। ଏହା ମଧ୍ୟ ଆମେରିକା ପାଇଁ ବଡ଼ ଉପଲବ୍ଧି ହେବ, କିନ୍ତୁ କାଠିକର ପାଠ ରହିଛି। ଏଥିପାଇଁ ଦଳକୁ ପୁଲ୍‌ ‘ସି’ରେ ନେଦରଲାଣ୍ଡ୍ସ, ସ୍ପେନ୍‌ ଓ କୋରିଆ ଦଳର ଆହ୍ବାନକୁ ପ୍ରତିହତ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର