ଓଡ଼ିଶା କ୍ରୀଡ଼ା ଛାତ୍ରାବାସକୁ ଷ୍ଟାର୍‌-୩ ଏକାଡେମି ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ନିଜ ନାମରେ ଆଉ ଏକ କୃତିତ୍ୱ ଯୋଡ଼ିଛି। ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ଏକାଡେମିକୁ ଷ୍ଟାର-୩ ମାନ୍ୟତା ମିଳିଛି। ଗତ ବର୍ଷ କ୍ରୀଡ଼ା ଛାତ୍ରାବାସ ରାଜ୍ୟର ପ୍ରଥମ ଫୁଟ୍‌ବଲ୍‌ ଏକାଡେମି ଭାବେ ଏଆଇଏଫ୍‌ଏଫ୍‌ରେ ପଞ୍ଜିକୃତ ହୋଇଥିଲା। ସେହି ବର୍ଷ ଓଡ଼ିଶା କ୍ରୀଡ଼ା ଛାତ୍ରାବାସକୁ ମାନ୍ୟତା ଦେବା ଲାଗି ଯୁବ ଏବଂ କ୍ରୀଡ଼ା ବିଭାଗ ପକ୍ଷରୁ ଏଆଇଏଫ୍‌ଏଫ୍‌ ନିକଟରେ ଆବେଦନ କରାଯାଇଥିଲା। ଗତବର୍ଷ ଏହି ଏକାଡେମିକୁ ଷ୍ଟାର୍‌-୨ ମାନ୍ୟତା ମିଳିଥିଲା। ପେସାଦାର ଖେଳାଳି ସୃଷ୍ଟି କରିବା ଦିଗରେ ଚଳିତ ବର୍ଷ ଏଆଇଏଫ୍‌ଏଫ୍‌ ଆବଶ୍ୟକ ଅନୁଯାୟୀ ଫୁଟ୍‌ବଲ୍‌ ଉନ୍ନତି ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ନିରନ୍ତର ଉଦ୍ୟମ କରିଥିଲା। ଫୁଟ୍‌ବଲ୍‌ ଭିତ୍ତିଭୂମିକୁ ବଢ଼ାଇବା ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ସୁବିଧାର ସୁବ୍ୟବସ୍ଥା କରିଥିଲା।

ଫଳରେ ଏକାଡେମିକୁ ତିନି ତାରକା ମାନ୍ୟତା ମିଳିଥିଲା। ଓଡ଼ିଶା ଛାତ୍ରାବାସ ମଧ୍ୟ ୨୦୧୭-୧୮ ଯୁବ ଆଇଲିଗ୍‌ରେ ୧୮ ବର୍ଷ ଏବଂ ୧୫ ବର୍ଷରୁ କମ୍‌ ବୟସ ବର୍ଗରେ ଭାଗନେଇଥିଲା। ଆଗକୁ କ୍ରୀଡ଼ା ଛାତ୍ରାବାସରୁ ଅଧିକରୁ ଅଧିକ ପେସାଦାର ଖେଳାଳି ସୃଷ୍ଟି କରିବା ସହ ଦେଶରେ ଶ୍ରେଷ୍ଠ ଏକାଡେମିରେ ପରିଗଣିତ କରିବା ଲାଗି ରାଜ୍ୟ ଯୁବ ଏବଂ କ୍ରୀଡ଼ା ବିଭାଗ ପ୍ରୟାସ ଜାରି ରଖିବ ବୋଲି ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି। ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାକୁ ବାସ୍ତବରେ ଷ୍ଟାର୍‌-୪ ମାନ୍ୟତା ମିଳିବା ସମ୍ଭାବନା ଥିଲେ ମଧ୍ୟ ଆବଶ୍ୟକୀୟ ଲାଇସେନ୍‌ସ ପ୍ରାପ୍ତ (ବି ଓ ସି) ପ୍ରଶିକ୍ଷକଙ୍କ ଅଭାବରୁ ଏହା ମିଳିପାରିନାହିଁ।

ସମ୍ବନ୍ଧିତ ଖବର