ଖେଲୋ ଇଣ୍ଡିଆରେ ଖେଳିବ ଓଡ଼ିଶା ଲନ୍‌ ବଲ୍‌ ଦଳ, ଜାତୀୟ ପଦକ ବିଜେତା କୈଳାସ ଓ ଆରିଫା ସମ୍ବର୍ଧିତ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣ ଆସାମର ଗୁଆହାଟୀରେ ଆସନ୍ତା ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ବୋଲିଂ ସଂଘ (ବିଏଫଆଇ) ଅଧିନରେ ପରିଚାଳିତ ଖେଳ ‘ଲନ୍‌ ବଲ୍‌’ ପ୍ରଥମ ଥର ପାଇଁ ଏଥିରେ ସାମିଲ ହୋଇଛି। ଓଡ଼ିଶା ପାଇଁ ଏହା ଅପୂର୍ବ ସୁଯୋଗ ଆଣିଦେଇଛି। ଓଡ଼ିଶା ଲନ୍‌ ବଲ୍‌ ଦଳ ଏହି ବାର୍ଷିକ ଯୁବ ତଥା ତୂଣମୂଳସ୍ତରୀୟ ପ୍ରତିଯୋଗିତାରେ ପଦାର୍ପଣ କରିବାକୁ ଯାଉଛି। ଓଡ଼ିଶାର ଏକ ୧୦ ଜଣିଆ ଦଳ ଏଥିରେ ଭାଗନେବ। ଓଡ଼ିଶା ଦଳ ସମସ୍ତ ୬ ବିଭାଗରେ ଭାଗନେବ। ବିଗତ ୨ ବର୍ଷ ହେବ ରାଜ୍ୟରେ ଏହି ଖେଳ ନିଜ କାୟା ବିସ୍ତାର କରିବାକୁ ଚେଷ୍ଟା କରିଆସିଛି। ଖେଲୋ ଇଣ୍ଡିଆରେ ଓଡ଼ିଶାର ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆମେ ଆଶା ରଖିଥିବା ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ବୋଲିଂ ଆସୋସିଏସନ୍ (ଓଏସ୍‌ବିଏ)ର ସଭାପତି ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ। ରାଜ୍ୟ ସରକାର ଏହି ଖେଳକୁ ସ୍ବୀକୃତି ପ୍ରଦାନ ସହ ଭିତ୍ତିଭୂମି ଯୋଗାଇଦେଲେ ରାଜ୍ୟ ପାଇଁ ଅନେକ ଗୌରବ ଆସିପାରିବ ବୋଲି ପ୍ରକାଶ କରିଥିଲେ ଶ୍ରୀ ସିଂହଦେଓ। ବଂଧୁକଚାଳନା ପାଇଁ ମଧ୍ୟ ଭିତ୍ତିଭୂମି ଯୋଗାଇଦେବାକୁ ଏହି ଅବସରରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓଡ଼ିଶା ରାଇଫଲ୍‌ ସଂଘ (ଓରା)ର ସଭାପତି ଥିବା ଶ୍ରୀ ସିଂହଦେଓ। ‘‘ଖେଲୋ ଇଣ୍ଡିଆରେ ଏହି‌ ଖେଳକୁ ସାମିଲ କରାଯିବା ପରେ ଆମେ ବଡ଼ ଉତ୍ସାହିତ ହୋଇପଡିଛୁ। ଗତ ବର୍ଷ ଜାତୀୟ ପ୍ରତିଯୋଗିତାରେ ପଦକ ଜିତିଥିବା ଆରିଫା ବେଗମ୍‌ ଓଡ଼ିଶା ଦଳ ସହ ଗୁଆହାଟୀ ଗସ୍ତ କରୁଥିବାରୁ ଓଡ଼ିଶା ପାଇଁ ସୁଯୋଗ ରହିଛି” ବୋଲି ପ୍ରକାଶ କରିଛନ୍ତି ଓଏସ୍‌ବିଏର ସମ୍ପାଦକ ସୁମିତ ରଂଜନ ପୁରୋହିତ। ଭବିଷ୍ୟତରେ ଏହି ଖେଳକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରାସାରିତ କରାଯିବ ବୋଲି ମଧ୍ୟ ଶ୍ରୀ ପୁରୋହିତ ପ୍ରକାଶ କରିଥିଲେ। ଏହି ଅବସରରେ ଗତ ଜାତୀୟ ପ୍ରତିଯୋଗିତା ପଦକ ବିଜୟୀ ଆରିଫା ବେଗମ ଓ କୈଳାସ ମାଝୀଙ୍କୁ ଶ୍ରୀ ସିଂହଦେଓ ସମ୍ବର୍ଧିତ କରିଥିଲେ। ଓଏସବିଏର ଦୁଇ କାର୍ଯ୍ୟନିର୍ବାହୀ ସଦସ୍ୟ ଦେବୀ ପ୍ରସନ୍ନ ମହାନ୍ତି ଏବଂ ସୁରେଶ ସ୍ବାଇଁ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଆରିଫାଙ୍କ ପଦକ ଜିତିବା ସମ୍ଭାବନା ଅଧିକ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ କହିଥିଲେ ପ୍ରଶିକ୍ଷକ ରଶ୍ମିତା ପୁରୋହିତ।

ଓଡ଼ିଶା ଦଳ: ଆକାଶ ମାଝୀ, ଜଗା ମହାକୁଡ଼, ଚିନ୍ମୟ ତ୍ରିପାଠୀ, ବିଶ୍ବରାଜ ସାହୁ, ସୌମ୍ୟ ମହାପାତ୍ର, ସଞ୍ଜନା ମେହେର, ପ୍ରିୟଙ୍କା କୁମ୍ଭାର, ଆରିଫା ବେଗମ୍‌, ଶ୍ବେତଲାନା ବକ୍ସି, ସାଇନା ନାଏକ। ପ୍ରଶିକ୍ଷକ: ସୁକାନ୍ତ ସେଠ୍‌, ରଶ୍ମିତା ପୁରୋହିତ, ପ୍ରବଂଧକ: ସୁମିତ ରଂଜନ ପୁରୋହିତ।

ସମ୍ବନ୍ଧିତ ଖବର