କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍ବେହାର ଟ୍ରଫିର ଦ୍ୱିତୀୟ ଦିନ ଓଡ଼ିଶା ପାଳି ଅଗ୍ରଣୀଠୁ ମାତ୍ର ୨୦ ରନ୍ ଦୂରରେ ରହିଯାଇଥିଲା। ଦିଲ୍ଲୀର ୨୪୪ ରନ୍ ଜବାବରେ ଓଡ଼ିଶା ଦ୍ୱିତୀୟ ଦିନ ୨୨୫ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ଫଳରେ ଅଗ୍ରଣୀ ପାଇଥିବା ଦିଲ୍ଲୀ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ତା’ ଦ୍ୱିତୀୟ ପାଳିରେ ବିନା କୌଣସି କ୍ଷତିରେ ୪୧ ରନ୍ ସଂଗ୍ରହ କରିସାରିଛି। ଦିଲ୍ଲୀ ବର୍ତ୍ତମାନ ମୋଟ ଉପରେ ୬୦ ରନ୍ରେ ଆଗୁଆ ରହିଛି।
ପ୍ରଥମ ଦିନର ଅସମାପ୍ତ ସ୍କୋର ୩୮/୨ରୁ ଓଡ଼ିଶା ବ୍ୟାଟିଂ ଆରମ୍ଭ କରିଥିଲା। କୁନାଲ ମଲ୍ଲିକ ୧୧ ରନ୍ କରିବା ପରେ ଆଉଟ ହୋଇଥିଲେ। ରଘୁନାଥ ମଲ୍ଲ (୩୯) ଓ ଜ୍ୟୋତି ରଂଜନ ବେହେରା (୪୧) ଚତୁର୍ଥ ଓ୍ଵିକେଟ୍ରେ ୬୪ ରନ୍ର ଭାଗୀଦାରି କରିଥିଲେ। ହେଲେ ଏହି ଦୁଇଜଣଙ୍କ ଓ୍ଵିକେଟ୍ ଯିବା ପରେ ଅନ୍ୟମାନେ ରନ୍ କରିବାରେ ଅସମର୍ଥ ହେଉଥିଲେ। ତଥାପି ସଂଘର୍ଷ କରି ସୋମେନ ଚାନ୍ଦ (୨୦) ଓ ୯ ନମ୍ବର ସ୍ଥାନରେ ଆସିଥିବା ଶେଖର ମାଝୀ ୪୧ ରନ୍ କରି ଦଳକୁ ୨୦୦ ପାର୍ କରାଇଥିଲେ। ହେଲେ ଅର୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ଶେଖର ଶେଷ ଓ୍ଵିକେଟ୍ ଭାବେ ଆଉଟ ହେବା ପରେ ଓଡ଼ିଶାର ଅଗ୍ରଣୀ ଆଶା ଶେଷ ହୋଇଯାଇଥିଲା। ଦିଲ୍ଲୀର ହର୍ଷ ତ୍ୟାଗୀ ୫ ଓ ଲଭ୍ନିସ୍ ସିଂହ ୪ ଓ୍ଵିକେଟ ନେଇ ଓଡ଼ିଶା ବ୍ୟାଟିଂ କ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଅଗ୍ରଣୀ ପାଇବା ପରେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଦିଲ୍ଲୀ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮ ଓଭରରେ ୪୧ ରନ୍ କରିନେଇଥିଲା। ଅନୁଜ ରାଓ୍ଵତ ୨୬, ସନତ ସାଙ୍ଗଓ୍ଵାନ ୧୫ ରନ୍ କରି ଅପରାଜିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/download-10.jpg)