କଟକ: ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓଡ଼ିଶା ପାଇଁ କିଛି ଭଲ ସ୍ମୃତି ବହନ କରିପାରିନାହିଁ। ଏହି ପ୍ରତିଯୋଗିତାରେ ଓଡ଼ିଶା ଏଠାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ସମାନ ଢଙ୍ଗରେ ଶେଷ ମଧ୍ୟ କରିଛି। ଶନିବାର ବାରବାଟୀରେ ଓଡ଼ିଶା ଖେଳିଥିବା ଶେଷ ଟ୍ବେଣ୍ଟି-୨୦ ଲିଗ୍ରେ ବେଙ୍ଗଲଠୁ ପରାସ୍ତ ହୋଇଛି। ଫଳରେ ମୋଟ ୭ ମ୍ୟାଚ୍ରୁ ଓଡ଼ିଶା ୩ ବିଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ୍ ଡି’ର ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟି˚ ନେଇଥିବା ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ସ୍ବସ୍ତିକ ସାମଲ ଓ ଦେବବ୍ରତ ପ୍ରଧାନଙ୍କ ସ୍ଥାନରେ ଆଶୁତୋଷ ଦାସ ଓ ଶୁଭମ୍ ନାୟକଙ୍କୁ ସାମିଲ କରାଯାଇଥିଲା। ହେଲେ ପ୍ରାରମ୍ଭିକ ବିପର୍ଯ୍ୟୟ ସହିତ ନିୟମିତ ଅନ୍ତରାଳରେ ଵିକେଟ୍ ହରାଇ ଓଡ଼ିଶା ୯ ଵିକେଟ ବିନିମୟରେ ୧୦୮ ରନ୍ କରିଥିଲା। ରାଜେଶ ଧୂପର ୧୦, ଅନୁରାଗ ଷଡ଼ଙ୍ଗୀ ୨୦, ଅଭିଷେକ ରାଉତ ୧୮, ଅରବିନ୍ଦ ସି˚ହ ୧୬ ରନ୍ କରି ଆଉଟ ହୋଇଥିଲା ବେଳେ ନିମ୍ନକ୍ରମରେ ରାଜେଶ ମହାନ୍ତି କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ। ଅଶୋକ ଦିଣ୍ତାଙ୍କୁ ଦୁଇଟି ଲଗାତର ବଲ୍ରେ ଛକା ମାରି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। ହେଲେ ୨୪ ରନ୍ କରିଥିଲା ବେଳେ ସେ ରନ୍ଆଉଟ ହେଇଯାଇଥିଲେ। ଇଶାନ ପୋରେଲ୍ ୩, ଦିଣ୍ତା ଓ ଆୟନ ୨ ଲେଖାଏଁ ଵିକେଟ୍ ପାଇଥିଲେ। ଜବାବରେ ରିଦ୍ଧିମାନ ସାହାଙ୍କ ଅର୍ଧଶତକୀୟ (୫୨) ପାଳି ସହାୟତାରେ ବେଙ୍ଗଲ ୧୨.୪ ଓଭରରେ ୨ ଵିକେଟ ହରାଇ ମ୍ୟାଚ୍ ଜିତିନେଇଥିଲା। ଶ୍ରୀବତ୍ସ ଗୋସ୍ବାମୀ ୧୧ ରନ୍ କରି ଆଶୁତୋଷଙ୍କ ଶିକାର ହୋଇଥିଲା ବେଳେ ରିଦ୍ଧିମାନଙ୍କୁ ଶୁଭମ୍ ଆଉଟ କରିଥିଲେ। ଅଭିମନ୍ୟୁ ଇଶ୍ବରନ୍ ୩୩ ଓ ରିତ୍ବିକ ରଏ ଚୌଧୁରୀ ୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।
ଘରୋଇ ଦଳ ପାଇଁ ପପୁ ଶ୍ରେଷ୍ଠ
କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଘରୋଇ ଓଡ଼ିଶା ଦଳ ପାଇଁ ପପୁ ରାଏ ଶ୍ରେଷ୍ଠ ଖେଳାଳି ଭାବେ ଉଭା ହୋଇଛନ୍ତି। ୭ ମ୍ୟାଚ୍ରୁ ମୋଟ ୧୨ ଵିକେଟ୍ ସେ ଅକ୍ତିଆର କରିଛନ୍ତି। ଆସାମ ବିପକ୍ଷରେ ୨୧ ରନ୍ ବ୍ୟୟରେ ଅକ୍ତିଆର କରିଥିବା ୪ ଵିକେଟ୍ ବର୍ତ୍ତମାନ ସୁଦ୍ଧା ସମସ୍ତ ଫର୍ମାଟ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। କେବଳ ଏତିକି ନୁହେଁ ଏହି ପ୍ରତିଯୋଗିତାରେ ସେ ତିନି ତିନି ଥର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ହରିଆଣା ବିପକ୍ଷରେ ୩/୯, ମିଜୋରାମ ବିପକ୍ଷରେ ୩/୮ ମଧ୍ୟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ପପୁଙ୍କ ପଛକୁ ସୂର୍ଯ୍ୟକାନ୍ତ ପ୍ରଧାନ ୭, ବିପ୍ଲବ ସାମନ୍ତରାୟ, ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତି ୬ ଲେଖାଏଁ ଵିକେଟ୍ ପାଇଛନ୍ତି। ପ୍ରତିଯୋଗିତାରେ ବର୍ତ୍ତମାନସୁଦ୍ଧା ପପୁ ଶ୍ରେଷ୍ଠ ବୋଲରଙ୍କ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବ୍ୟାଟି˚ରେ ମାତ୍ର ୩ ଜଣ ୧୦୦ରୁ ଅଧିକ ରନ୍ କରଥିଲା ବେଳେ ଦୁଇଜଣ ଅର୍ଧଶତକ ଅର୍ଜନ କରିଛନ୍ତି। ସନ୍ଦୀପ ପଟ୍ଟନାୟକ ୪ ମ୍ୟାଚ୍ରୁ ୧୧୮, ବିପ୍ଲବ ୧୦୮ ଓ ଅନୁରାଗ ଷଡ଼ଙ୍ଗୀ ୧୦୦ ରନ୍ କରିପାରିଥିଲେ। ସନ୍ଦୀପ (୫୪*) ଓ ଶୁଭ୍ରା˚ଶୁ ସେନାପତି (୫୧)ଙ୍କ ବ୍ୟାଟ୍ରୁ ଗୋଟିଏ ଲେଖାଏଁ ଅର୍ଧଶତକ ଦେଖିବାକୁ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଧୂପର ୯୬, ଅଭିଷେକ ରାଉତ ୬୯, ରାଜେଶ ମହାନ୍ତି ୬୦, ଅରବିନ୍ଦ ସି˚ହ ୫୫, ସୂର୍ଯ୍ୟକାନ୍ତ ପ୍ରଧାନ ୩୫ ରନ୍ କରିଛନ୍ତି।