ଭୁବନେଶ୍ବର: ସିଲଂରେ ଚାଲିଥିବା ମେଘାଳୟ ବିପକ୍ଷ ରଣଜୀ ଟ୍ରଫିର ଷଷ୍ଠ ରାଉଣ୍ଡ୍‌ ମୁକାବିଲାରେ ଓଡ଼ିଶା ସ୍ଥିତି ସୁଦୃଢ଼ ରହିଛି। ପଦାର୍ପଣକାରୀ ତାପସ ଦାସଙ୍କ ୬ ୱିକେଟ୍ ସଫଳତା ବଳରେ ମେଘାଳୟକୁ ପ୍ରଥମ ପାଳିରେ ଓଡ଼ିଶା ମାତ୍ର ୧୯୮ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା। ଏବେ ନିଜ ପ୍ରଥମ ପାଳିକୁ ଶନିବାର ୫୪୮/୭ରେ ଘୋଷଣା କରିଛି। ଏଥିସହ ଭ୍ରମଣକାରୀ ଓଡ଼ିଶା ୩୫୦ ରନ୍‌ର ବଡ଼ ଅଗ୍ରଣୀ ନେଇଛି। ଶନିବାର ତୃତୀୟ  ଦିନ ଶେଷ ସୁଦ୍ଧା ମେଘାଳୟ ତାର ଦ୍ବିତୀୟ ପାଳିରେ ୬ ୱିକେଟ୍ ହରାଇ ୨୨୧ ସଂଗ୍ରହ କରିବା ସହ ତଥାପି ୧୨୯ ରନ୍ ପଛରେ ରହିଛି। ତୃତୀୟ ଦିନରେ ରାଜେଶ ଧୂପରଙ୍କ ବହୁ ପ୍ରତୀକ୍ଷିତ ଶତକ ଏବଂ ରାଜେଶ ମହାନ୍ତି, ସୁନୀଲ ରାଉଳ ୩ ଲେଖାଏଁ ୱିକେଟ୍ ସଫଳତା ପାଇବା ମୁଖ୍ୟ ଆକର୍ଷଣ ହୋଇଛି।

Advertisment

ଶନିବାର ସକାଳେ ଓଡ଼ିଶା ଏହାର ପୂର୍ବଦିନର ସ୍କୋର୍‌ ୫୨୩/୭ରୁ ଖେଳିବା ପରେ କେବଳ ରାଜେଶ ଧୂପରଙ୍କ ଶତକ ପର୍ଯ୍ୟନ୍ତ ଖେଳିଥିଲା। ଧୂପର ମାତ୍ର ୯୫ ବଲ୍‌ରୁ ୧୦୨* ରନ୍ ସଂଗ୍ରହ କରିବା ପରେ ଓଡ଼ିଶା ପାଳି ଘୋଷଣା କରି ଦେଇଥିଲା। ଏହି ପୂର୍ବତନ ୱିକେଟ୍‌ରକ୍ଷକ ବ୍ୟାଟର୍‌ଙ୍କ ଦ୍ରୁତ ପାଳିରେ ୯ ଚୌକା ଓ ୪ ଛକା ସାମିଲ ଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହା ତାଙ୍କ ଦ୍ବିତୀୟ ଶତକ। ମେଘାଳୟ ଦ୍ବିତୀୟ ପାଳି ଆରମ୍ଭରୁ କିନ୍ତୁ ଅଭିଜ୍ଞ ଦ୍ରୁତ ବୋଲର ରାଜେଶ ମହାନ୍ତି ଘାତକ ବୋଲିଂ କରି ୩୧ ରନ୍ ଭିତରେ ୩ ୱିକେଟ୍ ଦଖଲ କରିନେଇଥିଲେ। ଏହା ପରେ ସାଥୀ ଦ୍ରୁତ ବୋଲର ସୁନୀଲ ରାଉଳ ଘରୋଇ ଦଳକୁ ୨ ଝଟ୍‌କା ଦେବାରୁ ମେଘାଳୟ ୯୭/୫ରେ ସଂଘର୍ଷ କରିଥିଲା। ଏହି ସମୟରେ କ୍ରିଜ୍‌ରେ ଏକାଠି ହୋଇଥିବା ସୁମିତ କୁମାର ଓ ଯଶକିରଟ ସିଂହ ସଚଦେବା ୮୯ ରନ୍‌ର ଭାଗୀଦାରି ଗଢ଼ି କିଛିଟା ଲଢ଼େଇ କରିଥିଲେ। ଅପରାହ୍ଣରେ ସୁମିତ୍ କୁମାର (୫୧)ଙ୍କୁ ଆଶୀର୍ବାଦ ସ୍ବାଇଁଙ୍କ ଗ୍ଲୋଭ୍‌ସରେ ଧରାଇ ସୁନୀଲ ରାଉଳ ଉଭୟଙ୍କୁ ଅଲଗା କରିଛନ୍ତି। ତଥାପି ଯଶକିରଟ ସିଂହ (୫୩*) ଓ ୱାନାମ୍ବୋକ ନଙ୍ଗକ୍ଲାଓ (୧୯*) ମେଘାଳୟ ଆଶାକୁ ଚତୁର୍ଥ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ୱିକେଟ୍ ପଛ ପଟେ ଆଶୀର୍ବାଦ ସ୍ବାଇଁ ମୋଟ ୮ କ୍ୟାଚ୍ ନେବା ଅନ୍ୟତମ ଉଲ୍ଲେଖନୀୟ ପ୍ରଦର୍ଶନ ହୋଇଛି।

ସଂକ୍ଷିପ୍ତ ସ୍କୋର: ମେଘାଳୟ ପ୍ରଥମ ପାଳି: ୧୯୮ (ଯଶକିରଟ ସିଂହ ସଚଦେବା-୪୩, ସୁମିତ କୁମାର-୪୦, ତାପସ ଦାସ-୬/୬୭, ସୁନିଲ ରାଉଳ-୩/୩୧, ସୁମିତ ଶର୍ମା-୧/୨୮)। ଓଡ଼ିଶା ପ୍ରଥମ ପାଳି: ୧୧୧.୨ ଓଭରରେ ୫୪୮/୭, ଘୋଷଣା (ଗୋବିନ୍ଦ ପୋଦ୍ଦାର-୧୨୧, ରାଜେଶ ଧୂପର-୧୦୨*, ସ୍ବସ୍ତିକ ସାମଲ-୮୦, ସନ୍ଦୀପ ପଟ୍ଟନାୟକ-୭୮, କାର୍ତ୍ତିକ ବିଶ୍ବାଳ-୬୮, ନଫିସ୍ ସିଦ୍ଦିକ-୩/୯୧, ଆକାଶ ଚୌଧୁରୀ-୨/୧୧୨)। ମେଘାଳୟ ଦ୍ବିତୀୟ ପାଳି: ୬୮ ଓଭରରେ ୨୨୧/୬ (ଯଶକିରଟ ସିଂହ ସଚଦେବା-୫୩*, ସୁମିତ କୁମାର-୫୧, ୱାନାମ୍ବୋକ ନଙ୍ଗକ୍ଲାଓ-୧୯*,  ସୁନୀଲ ରାଉଳ-୩/୪୮, ରାଜେଶ ମହାନ୍ତି-୩/୪୯)।