ବେଙ୍ଗାଲୁରୁ: ଓଡ଼ିଶା ପୁରୁଷ ଦଳ ଚଳିତ ତୃତୀୟ ଜାତୀୟ ଫାଇଭ୍ ଏ ସାଇଡ୍ ବରିଷ୍ଠ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ସ୍ଥାନ ପକ୍କା କରିନେଇଥିଲା ବେଳେ ମହିଳା ଦଳ କିନ୍ତୁ କ୍ୱାର୍ଟର ଫାଇନାଲ୍ ହାରିଯାଇଛି। ମହିଳା ଦଳ ଭଳି ପୁରୁଷ ଦଳ ମଧ୍ୟ କ୍ୱାର୍ଟର ଫାଇନାଲ୍ରେ ପ୍ରବଳ ଲଢ଼େଇ କରିଥିଲା। ଉତ୍ତର ପ୍ରଦେଶ ବିପକ୍ଷ କ୍ୱାର୍ଟର ଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥିଲା। ଏପରିକି ମ୍ୟାଚ୍ ନିର୍ଧାରିତ ସମୟରେ ୪-୪ ଗୋଲ୍ରେ ଅମୀମାଂସିତ ରହିଥିଲା। ଟିଓଫିଲ୍ କୁଜୁର (୨ ଓ ୬ ମିନିଟ୍) ଦୁଇଟି ଗୋଲ୍ କରିଥିଲା ବେଳେ କୃଷ୍ଣ ତିର୍କି (୧୮ ମିନିଟ୍) ଓ ନୀତିନ ମୁକେଶ ଟିଗା (୨୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିଥିଲେ। ଶେଷରେ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ଫଳାଫଳ ମିଳିଥିଲା। ସେଥିରେ ଓଡ଼ିଶା ୨-୦ ଗୋଲ୍ରେ ବାଜି ମାରିନେଇଥିଲା। ଟିଓଫିଲ୍ କୁଜୁର ଓ ପ୍ରକାଶ ବାର୍ଲା ସୁଟ୍ଆଉଟ୍ରେ ଗୋଲ୍ କରିଥିଲେ। ଏହା ପୂର୍ବରୁ ଓଡ଼ିଶା ପୁରୁଷ ଦଳ ଗ୍ରୁପ୍ ପର୍ଯ୍ୟାୟରେ ମହାରାଷ୍ଟ୍ରକୁ ୫-୩ରେ ପରାସ୍ତ କରିଥିଲା ବେଳେ ତାମିଲନାଡୁ ସହ ୨-୨ରେ ଅମୀମାଂସିତ ରଖିଥିଲ। ହେଲେ ତୃତୀୟ ମ୍ୟାଚ୍ରେ ହରିଆନା ନିକଟରୁ ୩-୭ ଗୋଲ୍ରେ ପରାଜୟ ବରଣ କରିଥିଲା। ତେବେ କ୍ୱାର୍ଟର ଫାଇନାଲ୍ ଜିତିଥିବା ଓଡ଼ିଶା ରବିବାର ପ୍ରଥମ ସେମିଫାଇନାଲ୍ରେ ଆୟୋଜକ କର୍ଣ୍ଣାଟକକୁ ଭେଟିବ। ଶୁକ୍ରବାରର ଅନ୍ୟ କ୍ୱାର୍ଟର ଫାଇନାଲ୍ରେ କର୍ଣ୍ଣାଟକ ୮-୧ ଗୋଲ୍ରେ ତାମିଲନାଡୁକୁ ପରାସ୍ତ କରିଦେଇଥିଲା ବେଳେ ହରିଆନା ୫-୩ ଗୋଲ୍ରେ ଝାଡ଼ଖଣ୍ଡକୁ ଏବଂ ମହାରାଷ୍ଟ୍ର ୫-୩ରେ ପଞ୍ଜାବକୁ ପରାସ୍ତ କରି ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ରବିବାରର ଅନ୍ୟ ସେମିଫାଇନାଲ୍ ମ୍ୟାଚ୍ ହରିଆନା ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯିବ। ପୁଲ୍-ଏରେ ପଞ୍ଜାବ ଓ ତାମିଲନାଡୁ ବିପକ୍ଷରେ ଦୁଇଟି କ୍ରମାଗତ ବିଜୟ ପରେ ଗତଥରର ବିଜେତା ହରିଆନା ନିକଟରୁ ହାରିଯାଇଥିବା ଓଡ଼ିଶା ମହିଳା ଦଳ ଶୁକ୍ରବାର କ୍ୱାର୍ଟର ଫାଇନାଲ୍ରେ ଝାଡ଼ଖଣ୍ଡଠାରୁ ପରାଜୟ ବରଣ କଲା। ମ୍ୟାଚ୍ର ନିର୍ଧାରିତ ସମୟ ୧-୧ ଗୋଲ୍ରେ ଅମୀମାଂସିତ ରହିବା ପରେ ଝାଡ଼ଖଣ୍ଡ୍ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ୩-୧ରେ ଓଡ଼ିଶାକୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିନେଲା। ମାରିଆନା କୁଜୁର ତୃତୀୟ ମିନିଟ୍ରେ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ ରଖିଥିଲା ବେଳେ ସପ୍ତମ ମିନିଟ୍ରେ ପ୍ରମିଳା ସେରେଙ୍ଗ୍ଙ୍କ ଗୋଲ୍ ଝାଡ଼ଖଣ୍ଡ ସ୍ଥିତି ସମାନ କରିଦେଇଥିଲା। ପେନାଲ୍ଟି ସୁଟ୍ଆଉଟ୍ରେ ଝାଡ଼ଖଣ୍ଡ ପକ୍ଷରୁ ପ୍ରମିଳା ସୋରେଙ୍ଗ୍, ଅଲ୍କା ଡୁଙ୍ଗ୍ଡୁଙ୍ଗ୍ ଓ ସ୍ମିତା ମିଙ୍ଗ୍ ଗୋଲ୍ କରିଥିଲା ବେଳେ ଓଡ଼ିଶା ପାଇଁ ଏକମାତ୍ର ଗୋଲ୍ଟି ମାରିଆନା କୁଜୁର ଦେଇଥିଲେ। ଝାଡ଼ଖଣ୍ଡ ଏବେ ସେମିଫାଇନାଲ୍ରେ ମହାରାଷ୍ଟ୍ରକୁ ଭେଟିବ।
ଓଡ଼ିଶା ପୁରୁଷ ସେମିରେ; କ୍ୱାର୍ଟରରେ ହାରିଲେ ମହିଳା
ଜାତୀୟ ଫାଇଭ୍ ଏ ସାଇଡ୍ ହକି