କଟକ: ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଓଡ଼ିଶା-ପୁଡୁଚେରୀ ରଣଜୀ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ତେବେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ଏହି ମ୍ୟାଚ୍ରୁ ୩ ପଏଣ୍ଟ୍ ମିଳିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ପୁଡୁଚେରୀକୁ ୧ ପଏଣ୍ଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଓଡ଼ିଶା ଏବେ ଏଲିଟ୍ ଗ୍ରୁପ୍-ଡି’ରେ ମୋଟ ୧୨ ପଏଣ୍ଟ୍ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଏହି ଗ୍ରୁପ୍ରେ ବରୋଦା ୨୩ ପଏଣ୍ଟ୍ ପାଇ ଶୀର୍ଷରେ ରହିଛି। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୯ ତାରିଖରୁ ଡ୍ରିମ୍ସ ପଡ଼ିଆରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳିବ।
ରବିବାରର ଅସମାପ୍ତ ଦ୍ବିତୀୟ ପାଳି ୧୨୨/୪ରୁ ଘରୋଇ ଓଡ଼ିଶା ସୋମବାର ଖେଳ ଆରମ୍ଭ କରିଥିଲା। ୫ ରନ୍ରେ ଅପରାଜିତ ଥିବା ବିପ୍ଳବ ସାମନ୍ତରାୟ (୮) ବ୍ୟକ୍ତିଗତ ସ୍କୋର୍ରେ ମାତ୍ର ୩ ରନ୍ ଯୋଡ଼ିଥିଲେ। ଅନ୍ୟତମ ଅପରାଜିତ ବ୍ୟାଟର୍ ତଥା ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୪୬) ତୁଳନାତ୍ମକ ଭାବେ ଭଲ ବ୍ୟାଟିଂ କରିଥିଲେ। ହେଲେ ଅର୍ଦ୍ଧଶତକ ପୂରଣ କରିବାର ୪ ରନ୍ ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ କେବଳ ଆଶୀର୍ବାଦ ସ୍ବାଇଁ (୨୩) ଲଢ଼ିଥିଲେ। ଶେଷ ୫ ୱିକେଟ୍ ମାତ୍ର ୨୫ ରନ୍ରେ ହରାଇ ଓଡ଼ିଶା ୨୦୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ପୁଡୁଚେରୀ ସମ୍ମୁଖରେ ୨୪୦ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ଖାତା ଖୋଲିବା ପୂର୍ବରୁ ପୁଡୁଚେରୀର ଦୁଇ ଓପନର୍ଙ୍କୁ ପ୍ୟାଭିଲିୟନ ଫେରାଇ ଓଡ଼ିଶା ପାଇଁ ଆଶା ସଂଚାର କରିଥିଲେ। ପ୍ରଥମ ପାଳିର ଶତକ ହାସଲକାରୀ ଅରୁଣ କାର୍ତ୍ତିକ ପୁଣି ଥରେ ଓଡ଼ିଶା ପାଇଁ ଦୁଃସ୍ବପ୍ନ ପାଲଟିଥିଲେ।
ଅନ୍ୟପଟୁ ୱିକେଟ୍ ଝଡ଼ି ଚାଲିଥିଲେ ମଧ୍ୟ କାର୍ତ୍ତିକଙ୍କ ସହ ଅନ୍ତିମ ଦୁଇ ୱିକେଟ୍ ନେବାରେ ଓଡ଼ିଶା ବୋଲର ଅସମର୍ଥ ହୋଇଥିଲେ। ଫଳରେ ପୁଡୁଚେରୀ ୧୭୫/୮ରେ ଶେଷ ଦିନର ଖେଳ ଶେଷ କରିବା ସହ ପରାଜୟ ଏଡ଼ାଇବାକୁ ସକ୍ଷମ ହୋଇଥିଲା। ସେପଟେ ଓଡ଼ିଶା ଏକ ଭଲ ବିଜୟ ସୁଯୋଗ ହାତଛଡ଼ା କରିଥିଲା। କାର୍ତିକ ପ୍ରଥମ ପାଳିରେ ୧୧୦, ଦ୍ବିତୀୟରେ ୫୮ ରନ୍ର ମୂଲ୍ୟବାନ ପାଳି ଖେଳିବା ସହ ୫ଟି କ୍ୟାଚ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ବିପ୍ଳବ ସାମନ୍ତରାୟ ୨ ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ଦେବବ୍ରତ ପ୍ରଧାନ, ସୁନିଲ ରାଉଳ, ହର୍ଷିତ ରାଠୋଡ଼ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଓଡ଼ିଶା ନିଜ ଉଭୟ ପାଳିରେ ୩୨୨ ଓ ୨୦୧ ରନ୍ କରିଥିଲା। ପୁଡୁଚେରୀ ପ୍ରଥମରେ ୨୭୫ ଓ ଦ୍ବିତୀୟରେ ୧୭୫/୮ କରି ବର୍ତ୍ତି ଯାଇଥିଲା।