ଭୁବନେଶ୍ବର: ବଡ଼ୋଦରାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଅଭିଯାନରେ ଓଡ଼ିଶା ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ଦିନକୁ ଖରାପରେ ସାରିଛି। ଓଡ଼ିଶା ବୋଲରଙ୍କ ନିୟମିତ ୱିକେଟ୍ ଦଖଲ କାରଣରୁ ଘରୋଇ ବରୋଦା ୧୩୦/୫ରେ ସଂଘର୍ଷ କରିଥିଲା। କିନ୍ତୁ ପ୍ରଥମ ଦିନ ଖେଳ ଶେଷ ବେଳକୁ ୬ ୱିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରି ନେଇଛି।

Advertisment

ଟସ୍ ଜିତି ଓଡ଼ିଶା ଅଧିନାୟକ ଶାନ୍ତନୁ ମିଶ୍ର ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ବି ତାଙ୍କ ପ୍ରଥମ ଓଭରରେ ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ‌ଦେଇଥିଲେ। ପ୍ରଥମ ପଦାର୍ପଣ କରିଥିବା କିନିଟ୍‌ ପଟେଲ (୪)ଙ୍କୁ ସେ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ନୂଆ ବଲ୍‌ ଓପନିଂ ବୋଲର ରାଜେଶ ମହାନ୍ତି ୩ ନମ୍ବର ବ୍ୟାଟର୍ ଶାଶ୍ବତ ରାୱତ (୧୭, ୫୭ ବଲ୍‌)ଙ୍କୁ ଦେବବ୍ରତ ପ୍ରଧାନଙ୍କ ହାତରେ କ୍ୟାଚ୍‌ କରାଇ ଓଡ଼ିଶାକୁ ଦ୍ବିତୀୟ ୱିକେଟ୍ ନେଇଥିଲେ। ମଧ୍ୟାହ୍ନଭୋଜନ ପରେ ଅଧିନାୟକ ବିଷ୍ଣୁ ସୋଲାଙ୍କୀ(୧୮)ଙ୍କୁ ସୂର୍ଯ୍ୟକାନ୍ତ ରନ୍‌ ଆଉଟ୍ କରି ଦେଇଥିଲେ। ଏହା ପରେ ଦେବବ୍ରତ ପ୍ରଧାନଙ୍କ ବୋଲିଂରେ ଅଭିମନ୍ୟୁସିଂହ ରାଜପୁତ (୯) ଅନୁରାଗ ଷଡ଼ଙ୍ଗୀଙ୍କୁ କ୍ୟାଚ୍‌ ‌ଦେଇ ଫେରିଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍ ଜ୍ୟୋତ୍ସ୍ନୀଲ ସିଂହ (୧୪୩ ବଲ୍‌ରୁ ୭୩ ରନ୍)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳିର ଅନ୍ତ ଘଟାଇଥିଲେ ବାମହାତୀ ସ୍ପିନର ଜୟନ୍ତ ବେହେରା। ୧୩୦/୫ରେ ପହଞ୍ଚିଯାଇଥିଲା ଘରୋଇ ଦଳ। ଏହି ସମୟରେ ନିନାଦ ରାଠୱା ଏବଂ ମିତେଶ ପଟେଲ୍‌ ଷଷ୍ଠ ୱିକେଟ୍ ପାଇଁ ୮୦ ରନ୍ ଭାଗୀଦାରି କରିଥିଲେ। ଚା’ପାନ ବିରତି ପରେ ନିନାଦ (୭୮ ବଲ୍‌ରୁ ୪୮)ଙ୍କୁ ଗୋବିନ୍ଦ ପୋଦ୍ଦାର ଏଲ୍‌ବିଡଲ୍ୟୁ କରି ଦେବାରୁ ଏହି ଭାଗୀଦାରି ଭାଙ୍ଗିଯାଇଥିଲା। ଏହା ପରେ କିନ୍ତୁ ମିତେଶ ଓ ଅତୀତ ସେଠ୍‌ ୧୧୨* ରନ୍‌ର ଅତୁଟ ସପ୍ତମ ୱିକେଟ୍ ଭାଗୀଦାରି ଗଢ଼ି ଓଡ଼ିଶା ହାତରୁ ମ୍ୟାଚ୍‌କୁ ଏକପ୍ରକାର ଛଡ଼ାଇ ନେଇଛନ୍ତି। ପ୍ରଥମ ଦିନ ଖେଳ ବନ୍ଦ ‌ବେଳକୁ ମିତେଶ ୯୪* (୧୨୧ ବଲ୍‌) ଓ ଅତିତ ସେଠ ୫୬* (୭୫ ବଲ୍‌) ଅପରାଜିତ ରହିଥିଲେ।

ଏହି ମ୍ୟାଚ୍‌ରୁ ଓଡ଼ିଶାର ଯୁବ ୱିକେଟରକ୍ଷକ ବ୍ୟାଟର୍ ଆଶୀର୍ବାଦ ସ୍ବାଇଁଙ୍କ ରଣଜୀ ଜୀବନ ଆରମ୍ଭ ହୋଇଛି। ୧୯ ବର୍ଷୀୟ ଏହି ରାଉରକେଲା ଯୁବକ ପ୍ରଥମ ଦିବସରେ ୱିକେଟ୍‌ ପଛପଟେ ଜ୍ୟୋତ୍ସ୍ନୀଲ ସିଂହଙ୍କ କ୍ୟାଚ୍‌ ନେଇ ପ୍ରଥମ ଡିସମିସାଲ୍‌ କରିଛନ୍ତି। ୨୦୨୨ରେ ୪ଟି ଟି-୨୦ ମୁକାବିଲା ଖେଳିବା ପରେ ଏବେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବାର ସ‌ୁଯୋଗ ପାଇଛନ୍ତି। ଅନ୍ୟପକ୍ଷରେ ବରୋଦା ପକ୍ଷରୁ ୨୨ ବର୍ଷୀୟ ବ୍ୟାଟର୍‌ କିନିଟ ପଟେଲ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣରେ ପାଳି ଆରମ୍ଭ କରିଥିଲେ ମଧ୍ୟ ପ୍ରଭାବ ଛାଡ଼ିପାରିନାହାନ୍ତି।

ସଂକ୍ଷିପ୍ତ ସ୍କୋର: ବରୋଦା ପ୍ରଥମ ପାଳି: ୮୮ ଓଭରରେ ୩୨୨/୬ (‌ଜ୍ୟୋତସ୍ନୀଲ ସିଂହ-୭୩, ନିନାଦ ରାଠୱା-୪୮, ମିତେଶ ପଟେଲ୍‌-୯୪*, ଅତିତ ସେଠ-୫୬*, ଦେବବ୍ରତ ପ୍ରଧାନ-୧/୪୮, ଗୋବିନ୍ଦ ପୋଦ୍ଦାର-୧/୫୦, ରାଜେଶ ମହାନ୍ତି-୧/୫୬, ସୂର୍ଯ୍ୟକାନ୍ତ ପ୍ରଧାନ-୧/୭୫, ଜୟନ୍ତ ବେହେରା-୧/୮୮)।