ସୋଲଙ୍ଗ ଭ୍ୟାଲିରେ ଓଡ଼ିଶା ଦୁଃସାହସିକ ଦଳ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଦୁଃସାହସିକ ଅନୁଷ୍ଠାନ ‘ଆସା’ ପକ୍ଷରୁ ଏକ ୧୧ ଜଣିଆ ଓଡ଼ିଶା ଦଳ ପଞ୍ଜାବର ଚଣ୍ଡୀଗଡ଼ରେ ଚାଲିଥିବା ଜାତୀୟ ଦୁଃସାହସିକ ମହୋତ୍ସବରେ ଭାଗ ନେଇଛନ୍ତି। ଏହି ଅବସରରେ ସେମାନେ ହିମାଚଳ ପ୍ରଦେଶର ମନାଲିଠାରୁ କିଛି ଦୂର ସୋଲଙ୍ଗ ଭ୍ୟାଲିର ୧୨,୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ଫତ୍ରୁ ପର୍ବତ ଆରୋହଣ କରିବାର ସାହସିକ ପଦକ୍ଷେପ ନେଇଛନ୍ତି।

ପୂର୍ବ ଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ୍‍ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଗସ୍ତ କରିଥିବା ଏହି ଦଳ ପ୍ରତିଯୋଗିତାର ଏକମାତ୍ର ରାଜ୍ୟ ଦଳ ଭାବେ ସୋଲଙ୍ଗ ଭ୍ୟାଲିର ଦୁଃସାହସିକ ଯାତ୍ରାରେ ସାମିଲ ହୋଇଥିଲେ। ମୋଟ ୯ ରାଜ୍ୟ ଭାଗ ନେଇଥିବା ଏହି ପ୍ରତିଯୋଗିତା ଶନିବାର ଶେଷ ହେବ।

ଗତବର୍ଷ ବ୍ୟକ୍ତିଗତ ଭାବେ ୫୦ତମ ଦୁଃସାହସିକ କାର୍ଯ୍ୟକ୍ରମରେ ଭାଗ ନେଇ ମାଇଲଖୁଣ୍ଟ ଛୁଇଁଥିବା ଗଣେଶ ଏବେ ଦୁଇ ଦଶନ୍ଧୀର ଅନୁଷ୍ଠାନ ‘ଆସା’ ଜରିଆରେ ରାଜ୍ୟର ଉଦୀୟମାନ ଦୁଃସାହସିକ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରି ଆସୁଛନ୍ତି। ଓଡ଼ିଶା ଦଳରେ ତାପସ କୁମାର ସାହୁ, ରାକେଶ କୁମାର ପଟ୍ଟନାୟକ, ଶିଶିର କୁମାର ସେନାପତି,ଅଜିତ କୁମାର ଦାସ, ଦେବାଶିଷ ଲେଙ୍କା, ଅଜୟ କୁମାର ସାହୁ, ଡି କାନ୍ତା ରାଓ, ଅଶ୍ୱିନ୍‌ ସୁନ୍ଦରାୟ, ରଂଜନ ମହାପାତ୍ର, ବିଭାରାଣୀ ପାତ୍ର ଏବଂ ଅନୀତା ସ୍ୱାଇଁ ପ୍ରମୁଖ ସାମିଲ ହୋଇ ଏହି ଜାତୀୟ ଦୁଃସାହସିକ ମହୋତ୍ସୋବରେ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର