ରଣଜୀ ଟ୍ରଫି: ୧୪ ବର୍ଷ ପରେ ଓଡ଼ିଶା-ମଧ୍ୟପ୍ରଦେଶ ଭେଟ

କଟକ: ଇନ୍ଦୋରର ହୋଲ୍‌କର ଷ୍ଟାଡିୟମରେ ଶନିବାରଠୁ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଚଳିତ ରଣଜୀ ଋତୁର ଶେଷ ଲିଗ୍‌ ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ଗ୍ରୁପ୍‌ ସି’ରେ ମଧ୍ୟପ୍ରଦେଶ ୧୫ ପଏଣ୍ଟ ସହ ଦ୍ୱିତୀୟ ଏବଂ ଓଡ଼ିଶା ୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ୧୯ ପଏଣ୍ଟ ପାଇ ନକ୍‌ଆଉଟ୍‌କୁ ଯୋଗ୍ୟତା ଆର୍ଜନ କରିସାରିଥିଲେ ବି ଦ୍ୱିତୀୟ ଦଳ ପାଇଁ ମଧ୍ୟପ୍ରଦେଶ ଓ ମୁମ୍ବାଇ (୧୪) ମଧ୍ୟରେ ପଏଣ୍ଟ ଲଢେଇ ହେବ। ତେଣୁ ଓଡ଼ିଶା ବିପକ୍ଷ ମ୍ୟାଚ୍‌ ମଧ୍ୟପ୍ରଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅନ୍ୟପକ୍ଷରେ ଗ୍ରୁପ୍‌ରେ ତିଷ୍ଠି ରହିବା ପାଇଁ ଓଡ଼ିଶାକୁ ଅଧିକ ପଏଣ୍ଟ ଅକ୍ତିଆର କରିବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ତ୍ରିପୁରା ୪ ପଏଣ୍ଟ ପାଇ ଶେଷ ସ୍ଥାନରେ ରହିଛି।

ଉଭୟ ଓଡ଼ିଶା ଓ ମଧ୍ୟପ୍ରଦେଶ ଦୀର୍ଘ ୧୪ ବର୍ଷ ପରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଇଛନ୍ତି। ତେବେ ଏ ମଧ୍ୟରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇସାରିଛି। ପୂର୍ବରୁ ୫ ଦିନିଆ ମ୍ୟାଚ୍‌ ଖେଳାଯାଉଥିବା ବେଳେ ସେତେବେଳର ଓଡ଼ିଶା ଖେଳାଳି ମଧ୍ୟ ଏବେ ଦଳରେ ନାହାନ୍ତି। କେବଳ ମଧ୍ୟପ୍ରଦେଶ ଦଳରେ ନମନ ଓଝା ଓ ଅଧିନାୟକ ତଥା ବରିଷ୍ଠ ଖେଳାଳି ଦେବେନ୍ଦ୍ର ବୁନ୍ଦେଲା ୧୪ ବର୍ଷ ତଳରେ ଓଡ଼ିଶା ବିପକ୍ଷରେ ଖେଳିଥିଲେ। କିନ୍ତୁ ସମୟ ଓ ଖେଳାଳିଙ୍କ ମଧ୍ୟରେ ଫରକ ଆସିଥିବାରୁ ଏହାର କିଛି ଅର୍ଥ ରହିବ ନାହିଁ। ତଥାପି ପରସ୍ପର ମଧ୍ୟରେ ଶେଷ ମୁକାବିଲାରେ ମଧ୍ୟପ୍ରଦେଶ ୫ ଓ୍ଵିକେଟରେ ଓଡ଼ିଶାକୁ ହରାଇଥିଲା।

ଶେଷ ଥର ପାଇଁ ଦୁଇ ଦଳ କଟକରେ ପ୍ଲେଟ୍‌ ଗ୍ରୁପ୍‌ର ଏକ ସେମିଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ। ସେଥିରେ ଓଡ଼ିଶା ଟସ୍‌ ଜିତି ବ୍ୟାଟିଂ କରିଥିଲା। ସଞ୍ଜୟ ରାଉଳଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ପ୍ରଥମ ପାଳିରେ ୩୧୮ ରନ୍‌ କରିଥିଲା। ପ୍ରଭଞ୍ଜନ ମଲ୍ଲିକ ଅପରାଜିତ ୧୪୨ ରନ୍‌ କରିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବିବିସିସି ମହାପାତ୍ର ୧୩, ସୁବ୍ରତ ବେହେରା ୧୯, ରଶ୍ମିରଂଜନ ପରିଡ଼ା ୩୪, ସଂଜୟ ରାଉଳ ୧୧, ନିରଂଜନ ବେହେରା ୪୧, ସୁଖବିନ୍ଦର ସିଂହ ୮, ସଂଜୟ ଶତପଥୀ ୨୬, ଦେବାଶିଷ ମହାନ୍ତି ୧୨ ଓ ଶ୍ରୀକାନ୍ତ ଜେନା ୧ ରନ୍‌ କରିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ଯୋଗେଶ ଗୋଲଓ୍ଵାଲକର ୬ ଓ ହରବିନ୍ଦର ସୋଧି ୨ ଓ୍ଵିକେଟ ଅକ୍ତିଆର କରିଥିଲେ। କିନ୍ତୁ ଦୀପକ ମଙ୍ଗରାଜ (୩) ଓ ସଂଜୟ ଶତପଥୀ (୪)ଙ୍କ ଘାତକ ବୋଲିଂରେ ମଧ୍ୟପ୍ରଦେଶ ପ୍ରଥମ ପାଳିରେ ୨୫୮ ରନ୍‌ରେ ସୀମିତ ରହିଥିଲା। ନମନ ଓଝା ସର୍ବାଧିକ ୭୪, ନିଖିଲ ପଟବର୍ଦ୍ଧନ ୭୧ ଓ ଦେବେନ୍ଦ୍ର ବୁନ୍ଦେଲା ୩୦ ରନ୍‌ କରିଥିଲେ। ୬୦ ରନ୍‌ର ଅଗ୍ରଣୀ ପାଇସାରିଥିବା ଓଡ଼ିଶା ଦ୍ୱିତୀୟ ପାଳିରେ ୨୫୩ ରନ୍‌ କରିବା ସହ ମଧ୍ୟପ୍ରଦେଶ ସମ୍ମୁଖରେ ୩୧୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରଶ୍ମିରଂଜନ ପରିଡ଼ା ୭୪ ଓ ସଂଜୟ ରାଉଳ ୮୭ ରନ୍‌ କରିଥିଲେ। ଏହି ପାଳିରେ ମଧ୍ୟ ଗୋଲଓ୍ଵାଲକର ଓ ନରେନ୍ଦ୍ର ହିରଓ୍ଵାନୀ ୪ ଲେଖାଏଁ ଓ୍ଵିକେଟ ନେଇ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ତେବେ ୩୧୪ ରନ୍‌ର ଲକ୍ଷ୍ୟକୁ ମଧ୍ୟପ୍ରଦେଶ ୫ ଓ୍ଵିକେଟ ବିନିମୟରେ ହାସଲ କରିନେଇଥିଲା। ନମନ ଓଝା ୫୪, ସଚିନ୍‌ ଢୋଲପୁରେ ୩୩, ସୋଧି ୪୭, ବୁନ୍ଦେଲା ୩୮ ରନ୍‌ କରି ଆଉଟ ହୋଇଥିଲା ବେଳେ ଆବାସ ଅଲ୍ଲି ୯୦* ଓ ପଟବର୍ଦ୍ଦନ ୧୪* ରନ୍‌ କରି ଦଳକୁ ଜିତାଇଥିଲେ।

ହୋଲକର ଷ୍ଟାଡିୟମରେ ଚଳିତ ଋତୁରେ ମଧ୍ୟପ୍ରଦେଶ ଦୁଇଟି ମ୍ୟାଚ୍‌ ଖେଳିସାରିଛି। ଗୋଟିଏ ମ୍ୟାଚ୍‌ରେ ବରୋଦାକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଥିଲାବେଳେ ତାମିଲନାଡୁ ବିପକ୍ଷ ଅମୀମାଂସିତ ମ୍ୟାଚ୍‌ରୁ ଘରୋଇ ଦଳ ୧ ପଏଣ୍ଟ ପାଇଥିଲା। ହୋଲକର ଷ୍ଟାଡିୟମ୍‌ର ଏହି ସ୍ପୋର୍ଟିଂ ପିଚ୍‌ରେ ଟସ୍‌ ଜିତୁଥିବା ଦଳ ପ୍ରଥମେ ବୋଲିଂ କରିବାକୁ ଅଧିକ ପସନ୍ଦ କରିଆସୁଛନ୍ତି। କିନ୍ତୁ ପ୍ରଥମ ପାଳିରେ ହାରାହାରି ୪୦୦ ରନ୍‌ ହୋଇପାରୁଛି। ତେଣୁ ଟସ୍‌ର ଭୂମିକା ଅପେକ୍ଷା ଓଡ଼ିଶା ନିଜର ଶକ୍ତି ଉପରେ ଅଧିକ ଧ୍ୟାନ ଦେଲେ ମ୍ୟାଚ୍‌ରେ ଅଧିକ ସଫଳତା ପାଇପାରିବ ବୋଲି କୁହାଯାଉଛି। ପୂର୍ବ ମ୍ୟାଚ୍‌ରେ ଶୁଭ୍ରାଂଶୁ ସୋନାପତି ଫର୍ମକୁ ଆସିଥିବା ସୂଚନା ଦେଇସାରିଥିଲା ବେଳେ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ରାଜେଶ ଧୂପର, ଶାନ୍ତନୁ ମିଶ୍ର ଓଡ଼ିଶାର ମଧ୍ୟକ୍ରମକୁ ମଜବୁତ୍‌ ରଖିଛନ୍ତି। ତେବେ ପ୍ରାରମ୍ଭିକ ଯୋଡିକୁ ନେଇ ଚିନ୍ତା ଦୂର ହୋଇନ ଥିଲାବେଳେ ବୋଲିଂକ୍ରମରେ କିଛିଟା ପରିବର୍ତ୍ତନ ହେବା ନେଇ ଚିନ୍ତା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର