କଳିଙ୍ଗରେ ଆଜି ଓଡ଼ିଶା-ମୁମ୍ବାଇ ମୁହାଁମୁହିଁ, ପିଚ୍‌କୁ ନେଇ ଅସନ୍ତୋଷ

ଭୁବନେଶ୍ବର: ବିଗତ ଦୁଇ କଳିଙ୍ଗ ଷ୍ଟାଡିୟମ୍‌ ମ୍ୟାଚ୍‌ରୁ ପୂରା ପଏଣ୍ଟ୍ ପକେଟସ୍ଥ କରି ଦୃଢ଼ ଆତ୍ମବିଶ୍ବାସରେ ରହିଥିବା ଓଡ଼ିଶା ଏଫ୍‌ସି ଆଗରେ ଶନିବାର ରହିଛି ମୁମ୍ବାଇ ସିଟି ଏଫ୍‌ସି। ପଏଣ୍ଟ ଟେବୁଲ୍‌ରେ ମୁମ୍ବାଇ ସିଟି ଘରୋଇ ଓଡ଼ିଶା ଏଫ୍‌ସି ଉପରେ ଚତୁର୍ଥ ସ୍ଥାନରେ ରହିଛି। ମୁମ୍ବାଇ ୧୬ ଏବଂ ଓଡ଼ିଶା ୧୫ ପଏଣ୍ଟ୍ ପାଇ ପାଖାପାଖି ରହିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପୂର୍ବ ମୁକାବିଲାରେ ମୁମ୍ବାଇର ଆରେନାରେ ମୁମ୍ବାଇ ସିଟି ଏଫ୍‌ସିକୁ ୪-୨ରେ ମାତ୍ ଦେଇଥିବା ଓଡ଼ିଶା ଦଳ ଏହାକୁ ଦୋହରାଇବା ସହିତ ପଏଣ୍ଟ ଟେବୁଲ୍‌ର ଶୀର୍ଷ ୪ ଭିତରକୁ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ସବୁ କିଛି ଓଡ଼ିଶା ଏଫ୍‌ସି ସପକ୍ଷରେ ରହିଛି। ପଡ଼ିଆ, ପିଚ୍‌, ପ୍ରଶଂସକ ଓ ପରିବେଶ ସହିତ ନିଜକୁ ଖାପ ଖୁଆଇ ନେଇଥିବା‌ ଯୋସେପ୍‌ ଗମ୍ଭାଉ ଏବଂ ମାର୍କସ ଟେବରଙ୍କ ଓଡ଼ିଶା ଦଳ ହ୍ୟାଟ୍ରିକ୍ ବିଜୟ ସହ ପ୍ଲେ ଅଫ୍‌ ଦୌଡ଼ରେ ନିଜକୁ ସାମିଲ କରିବା ଲକ୍ଷ୍ୟରେ ରହିବ। କଳିଙ୍ଗ ଷ୍ଟାଡିୟମ୍‌ରେ ବିଗତ ଦୁଇ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଯଥାକ୍ରମେ ଜାମସେଦପୁର ଏଫ୍‌ସିକୁ ୨-୧ରେ ଏବଂ ଚେନ୍ନାୟିନ୍‌ ଏଫ୍‌ସିକୁ ୨-୦ରେ ହରାଇ ନିଜ ସ୍ଥିତିରେ ବଡ଼ ସୁଧାର ଆଣିଛି। ଅନ୍ୟପକ୍ଷରେ ଓଡ଼ିଶା ନିକଟରୁ ନିଜ ଘରୋଇ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ମୁମ୍ବାଇ ସିଟି ଏହାର ପ୍ରତିଶୋଧ ନେବା ସହିତ‌ ପ୍ଲେ ଅଫ୍‌ ଦୌଡ଼ରେ ଆଗକୁ ବଢ଼ିବା ଯୋଜନା କରିଛି। ହ୍ୟାଟ୍ରିକ୍ ବିଜୟ ପରେ ରଣବୀର କାପୁରଙ୍କ ଦଳ ଗତ ମ୍ୟାଚ୍‌ରେ କିନ୍ତୁ ଏଟିକେ ନିକଟରୁ ପରାଜୟ ବରଣ କରି ଏଠାକୁ ଆସିଛି।

ଓଡ଼ିଶା କେତେବେଳେ ଆକର୍ଷଣୀୟ ଫୁଟ୍‌ବଲ୍‌‌ ଖେଳୁଥିଲେ ମଧ୍ୟ ଅସ୍ଥିର ପ୍ରଦର୍ଶନ ଦେଇ ଗତି କରିଛି। ଶନିବାର ଆଇଏସ୍‌ଏଲ୍‌ର ଦୁଇ ତୃତୀୟାଂଶ ଶେଷ ହେଉଛି। ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଏବଂ ଏହି ମ୍ୟାଚ୍‌ ୬ ପଏଣ୍ଟ ସଦୃଶ। କଠିନ ପରିଶ୍ରମ କରିଥିବା ଖେଳାଳିମାନେ ଆତ୍ମବିଶ୍ବାସରେ ବି ଅଛନ୍ତି ଏବଂ ବିଜୟ ପାଇଁ ଭୋକିଲା ଥିବାରୁ ସେମାନେ କରିଦେଖାଇବେ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଦଳର ପ୍ରଶିକ୍ଷକ ଯୋସେପ୍‌ ଗମ୍ଭାଉ। ରାଜ୍ୟ ବାହାରେ ୯ ମ୍ୟାଚ୍‌ ଖେଳି ଓଡ଼ିଶା ଫେରିବା ପରେ ପ୍ରଶଂସକଙ୍କଠାରୁ ଢେର ସମର୍ଥନ ମିଳିଛି। ଏହି ଅତିରିକ୍ତ ପ୍ରେରଣା ହିଁ ଦଳକୁ ବିଜୟମୁହାଁ କରିଛି ବୋଲି ସ୍ବୀକାର କରିଥିଲେ ଗମ୍ଭାଉ। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଓଡ଼ିଶା ଦଳର ଅଗ୍ରଣୀ ‌ଗୋଲ୍‌ ସ୍କୋରର୍‌ ଆରିଡାନ୍‌ ସଣ୍ଟାନା ମଧ୍ୟ ପ୍ରଶଂସକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଅଧିକ ଉତ୍ସାହ ମିଳିଛି‌ ଏବଂ ପ୍ଳେ ଅଫ୍‌ ଲକ୍ଷ୍ୟରେ ରହିଛୁ ବୋଲି ପ୍ରକାଶ କରିଥିଲେ। ମୁମ୍ବାଇ ସିଟି ମଧ୍ୟ ଓଡ଼ିଶା ମୁକାବିଲାକୁ ନେଇ ପ୍ରସ୍ତୁତ ବୋଲି କହିଛି। ‘‘ଆଗରୁ ଦଳ ପାଖରେ କିଛି ଶାରୀରିକ ସମସ୍ୟା ଥିଲା। ସେ ସବୁ ଦୂର ହୋଇଛି। ଆମେ ଏବେ ଭଲ ପ୍ରସ୍ତୁତି କରିଛୁ ଏବଂ ଶନିବାର ମ୍ୟାଚ୍‌ ପାଇଁ ପ୍ରସ୍ତୁତ। ଓଡ଼ିଶା ନିକଟରେ ଅସ୍ତ୍ର ଥିଲେ ବି ଆମ ନିକଟରେ ଅସ୍ତ୍ର ରହିଛି’ ବୋଲି କହିଛନ୍ତି ଦଳର ସହକାରୀ ପ୍ରଶିକ୍ଷକ ମାର୍କୋ ଲିଟ୍‌।

ପିଚ୍‌କୁ ନେଇ ଅସନ୍ତୋଷ
କଳିଙ୍ଗ ଷ୍ଟାଡିୟମ୍‌ ଫୁଟ୍‌ବଲ୍‌ ପିଚ୍‌କୁ ନେଇ ଅ‌ସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଓଡ଼ିଶା ଏଫ୍‌ସି ଏବଂ ମୁମ୍ବାଇ ସିଟି ଏଫ୍‌ସି। ‘ଭୁବନେଶ୍ବର ପିଚ୍‌ ମୁଁ ଦେଖିନି, କିନ୍ତୁ ଗତ ଓଡ଼ିଶା-ଚେନ୍ନାୟିନ୍‌ ମ୍ୟାଚ୍‌କୁ ଦେଖିଥିଲି। ପିଚ୍‌ ଅବସ୍ଥା ଭଲ ସ୍ଥିତିରେ ନାହିଁ, ଏହା ଯଦି ଆମ ପାଇଁ ଭଲ ହେବନି, ଓଡ଼ିଶା ଏଫ୍‌ସି ପାଇଁ ମଧ୍ୟ ଭଲ ରହିବ ନାହିଁ। କିନ୍ତୁ ଘରୋଇ ଦଳ ଦୁଇଟି ମ୍ୟାଚ୍‌ ସେଠାରେ ଖେଳି ସାରିଥିବାରୁ ନିଶ୍ଚିତ ଫାଇଦାରେ ରହିବ’‌ ବୋଲି କହିଥିଲେ ମୁମ୍ବାଇ ସିଟିର ସହକାରୀ ପ୍ରଶିକ୍ଷକ ମାର୍କୋ ଲିଟ୍‌। ଓଡ଼ିଶା ପ୍ରଶିକ୍ଷକ ଯୋସେପ୍‌ ଗମ୍ଭାଉ ଏବଂ ତାରକା‌ ଖେଳାଳି ଆରିଡାନ୍ ସାଣ୍ଟାନା ମଧ୍ୟ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଏହା ଉଭୟ ଦଳର ଖେଳାଳିଙ୍କୁ ସମାନ ଭାବେ ପ୍ରଭାବିତ କରିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର