ମୁମ୍ବାଇ: ଓଡ଼ିଶା ଏବଂ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିଥିବା ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ରବିନ‌ ମୋରିସ୍‌ଙ୍କୁ ସୋମବାର ଆଇପିଏଲ୍‌ ବେଟିଂ ଅଭିଯୋଗରେ ଗିରଫ କରାଯାଇଛି। କାନାଡ଼ା ଜନ୍ମିତ ଭାରତୀୟ ମୋରିସଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀ, ଲାପଟପ୍‌,‌ ସେଲ୍‌ଫୋନ୍‌ ଆଦି ଜବତ କରାଯାଇଛି। ୧୯୯୫ରୁ ୨୦୦୭ ମସିହା ମଧ୍ୟରେ ମୋରିସ୍ ୪୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ୫୧ଟି ଲିଷ୍ଟ୍ ‘ଏ’ ମ୍ୟାଚ୍‌ (ଘରୋଇ ଦିନିକିଆ) ଖେଳିଥିଲେ। ମୁମ୍ବାଇର ୟାରି ରୋଡ ଭେର୍ସୋଭାସ୍ଥିତ ମୋରିସଙ୍କ ବାସଭବନରେ ବେଟିଂ ଚାଲିଥିବାରୁ ସେମାନଙ୍କୁ ଆଇପିସି ଏବଂ ଗାମ୍ବଲିଂ ଆକ୍ଟ ଅନୁସାରେ ଗିରଫ କରାଯାଇଛି। ୫୪ ବର୍ଷୀୟ ମୋରିସଙ୍କୁ ମାଜିଷ୍ଟ୍ରେଟ୍‌ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

Advertisment

ଗତବର୍ଷଠାରୁ ‌ରବିନ‌ ମୋରିସଙ୍କ ଉପରେ ନଜର ରହିଥିଲା। ଏକ ଷ୍ଟିଙ୍ଗ୍ ଅପରେସନ୍‌ରେ ସେ ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ରହିଥିବା ଅଲ ଜଜୀରା ଟିଭି ପ୍ରକାଶ କରିଥିଲା। ପୂର୍ବତନ ପାକିସ୍ତାନ ବ୍ୟାଟସମ୍ୟାନ୍‌ ହାସନ ରାଜାଙ୍କ ସହ ବସି ସେ କିଭଳି ଟି-୨୦ ପ୍ରତିଯୋଗିତାର ମ୍ୟାଚ୍‌ ଫିକ୍ସିଂରେ ସହାୟତା କରୁଥିଲେ ପ୍ରକାଶ କରିଥିଲେ। ମୋରିସ୍ କିନ୍ତୁ ଏସବୁକୁ ଅସ୍ବୀକାର କରି କହିଥିଲେ ‘ଅଲ ଜଜୀରା ‌ମୋତେ ଅଡିସନ୍ ପାଇଁ ଡାକି ଏହି ସିନେମା ପ୍ରସ୍ତୁତ କରିଥିଲା’। ପୂର୍ବରୁ ବିଦ୍ରୋହୀ କ୍ରିକେଟ୍ ଲିଗ୍‌ରେ ମୋରିସ୍‌ ଖେଳିଥିଲେ ମଧ୍ୟ ବିସିସିଆଇର ରାଜକ୍ଷମା ନେଇଥିଲେ।