ଓଡ଼ିଶାକୁ ଜାତୀୟ ରଗ୍‌ବି ଟ୍ରଫି

ଭୁବନେଶ୍ୱର: ପଞ୍ଜାବର ଚଣ୍ଡୀଗଡ଼ରେ ରବିବାର ଉଦ୍‌ଯାପିତ ଜାତୀୟ ରଗ୍‌ବି ସେଭେନ୍‌ସରେ ଓଡ଼ିଶା ମହିଳା ଦଳ ବିଜେତା ହୋଇଥିବା ବେଳେ ପୁରୁଷ ଦଳ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଏଥି ସହ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଆସନ୍ତା ଜାତୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ମହିଳା ଦଳ କ୍ୱାର୍ଟର ଫାଇନାଲ୍‌ରେ ୨୪-୦ରେ ଦିଲ୍ଲୀକୁ, ସେମିଫାଇନାଲ୍‌ରେ ମହାରାଷ୍ଟ୍ରକୁ ୧୫-୧୦ରେ ଏବଂ ଫାଇନାଲରେ ପଶ୍ଚିମବଙ୍ଗକୁ ୨୨-୦ରେ ପରାସ୍ତ କରିଥିଲା। ହୁପି ମାଝୀଙ୍କ ଅଧିନାୟକତ୍ୱରେ ଖେଳିଥିବା ଓଡ଼ିଶା ମହିଳା ଦଳରେ ଲକ୍ଷ୍ମୀପ୍ରିୟା ସାହୁ, ମୀରାରାଣୀ ହେମ୍ବ୍ରମ୍‌, ଜେମାମଣି ନାଏକ, ମଞ୍ଜୁଲତା ପ୍ରଧାନ, ସରସ୍ୱତୀ ହାଁସଦା, ପାର୍ବତୀ କିସ୍କୁ, ରଜନୀ ଶବର, ପୁନମ ସିଂହ, ସୁମିତ୍ରା ନାୟକ, ଭାଗ୍ୟଲକ୍ଷ୍ମୀ ବାରିକ ଏବଂ ଲିଜା ସର୍ଦାର ପ୍ରମୁଖ ଖେଳିଥିଲେ। ମାନସ କୁମାର ଜେନା ଏବଂ ଧୀରେନ କୁମାର ରାଉତ ଯଥାକ୍ରମେ ପ୍ରଶିକ୍ଷକ ଓ ସହକାରୀ ପ୍ରଶିକ୍ଷକ ଭାବେ ଦଳ ସହ ଚଣ୍ଡୀଗଡ଼ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର