ଓଡ଼ିଶା ନାଭାଲ୍-ଟାଟା ଗ୍ରାସରୁଟ୍‌ ହକି ଦଳ ଚୟନର ଶୁଭାରମ୍ଭ

ଛତ୍ରପୁର: ତୃଣମୂଳସ୍ତରରେ ୧୬ ବର୍ଷ ବୟସରୁ କମ୍ ହକି ପ୍ରତିଭାଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ସୋମବାର ତୃତୀୟ ଓଡ଼ିଶା ନାଭାଲ୍ ଟାଟା ହକି ଗ୍ରାସ୍‌ରୁଟ୍ ଲିଗ୍ ଆରମ୍ଭ ହୋଇଛି। ଏଠାରୁ ଗଞ୍ଜାମ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ମୋଟ ଆଠଟି ଜିଲ୍ଲାରୁ ୧୧ଟି ବାଳକ ଓ ବାଳିକା ଦଳଙ୍କୁ ଚୟନ କରାଯିବ। ଏହି ଅବସରରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ରୂପେ ‌ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲ୍ଲା ହକି ଖେଳରେ ଅନେକ ସୁନାମ ଆଣିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ର‌ଚେଷ୍ଟାରେ ଏଠାରେ ଖୋଲିଥିବା ହକି ପ୍ରଶିକ୍ଷଣ କେନ୍ଦ୍ର ଦ୍ବାରା ବାଳକ ଓ ବାଳିକା ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ। ଯେଉଁମାନେ ଭବିଷ୍ୟତରେ ନିଶ୍ଚିତ ଭାବେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ଏହି ଚୟନ ପ୍ରକ୍ରିୟା ଚାଲିବ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଇନିଂ କର୍ପୋରେସନ୍ (ମାନବସମ୍ବଳ) ପ୍ରକଳ୍ପ ନିର୍ଦ୍ଦେଶକ ଆଲୋକ କୁମାର ପାଲ୍ ଓ ଓଡ଼ିଶା ନାଭାଲ୍ ଟାଟା ହକିର ମୁଖ୍ୟ କାର୍ଯ୍ୟ ସେଣ୍ଟର୍ ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍ ପ୍ରମୁଖ ଯୋଗ ଦେଇଥିଲେ ହକି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅବଦାନ ପ୍ରେରଣାଦାୟୀ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷକ ରାଜନ୍ ଏକ୍କା, ବରିଷ୍ଠ ଜାତୀୟ ଖେଳାଳି ଦୀପକ ଜେ.କେରେକେଟା, ସୁଧୀର ଏକ୍କା ଏବଂ ନାଭାଲ୍ ଟାଟା ଗ୍ରାସ୍‌ରୁଟ୍ ହକି ସଂଯେୋଜକ ଶେଖରଚନ୍ଦ୍ର ବେହେରା, ବୈଷୟିକ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ପ୍ରଶିକ୍ଷକ ପିଟର ସୋରେନ୍, ବୈଷୟିକ ନିର୍ଦ୍ଦେଶକ ତଥା ବରିଷ୍ଠ ଜାତୀୟ କ୍ରୀଡ଼ାବିତ୍ ଜି.ତେଜେଶ୍ବର ରାଓ ଓ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପରିଚାଳନା କରିଥିଲେ। ଗଞ୍ଜାମ ହକି ସଂଘର ସମ୍ପାଦକ ଶତ୍ରୁଘ୍ନ ନାହାକ ଏବଂ ଉପସଭାପତି ଟି.ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ କ୍ରୀଡ଼ାବିତ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର