ଭୁବନେଶ୍ବର: ରାଜ୍ୟରେ ତୃଣମୂଳସ୍ତରରୁ ହକି ପ୍ରତିଭା ଅନ୍ବେଷଣ ଲକ୍ଷ୍ୟ ସହ ଅନ୍ତର୍ଜାତୀୟ ଖେଳାଳି ଗଢ଼ିବା ଆଶା ନେଇ ଟାଟା ଟ୍ରଷ୍ଟ ଓ ଟାଟା ଷ୍ଟିଲ୍‌ର ଏଚ୍‌ଏଏଫ୍‌ (ହକି ଏସ୍‌ ଫାଉଣ୍ଡେସନ) ଏବଂ ଓଡ଼ିଶା କ୍ରୀଡ଼ା ବିଭାଗ ସହଯୋଗରେ ୨୦୧୯ରେ ଗଠିତ ହୋଇଥିଲା ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି (ଉଚ୍ଚଗୁଣବତ୍ତା କେନ୍ଦ୍ର)। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ଏହି ହକି ଏଚ୍‌ପିସିରୁ ୩ ବର୍ଷ ମଧ୍ୟରେ ୪ ଜଣ ଜ୍ୟୋତି ଛତ୍ରୀ, ଦୀପି ମୋନିକା ‌ଟୋପ୍ପୋ, ନିକିତା ଟୋପ୍ପୋ ଓ ମମିତା ଓରାମ (ସମସ୍ତେ ଓଡ଼ିଶାର) ଅନ୍ତର୍ଜାତୀୟ ଖେଳାଳି ବାହରିଲେଣି। ଏହି ୪ ଜଣ ଭାରତ ପକ୍ଷରୁ ଗତ ମେ’ମାସରେ ଆୟର୍ଲାଣ୍ଡରେ ୨୩ ବର୍ଷରୁ କମ୍‌ ୫ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତକୁ ମଧ୍ୟ ରୌପ୍ୟ ପଦକ ଦେବାରେ ଏମାନେ ଅବଦାନ ରଖିଥିଲେ।

Advertisment

ଏମାନଙ୍କ ବାଦ୍‌ ଗତ ବର୍ଷ ୨ ଜଣ ଓଡ଼ିଶାର ଅଞ୍ଜଳି ବରୱା ଓ ଆସାମର ମୁନମୁନି ଦାସ ମଧ୍ୟ ଜାତୀୟ କନିଷ୍ଠ ଶିବିରରେ ସ୍ଥାନ ପାଇଥିଲେ। ନିକଟରେ ଭୁବନେଶ୍ବରରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା (କ୍ବାଲିଫାୟର)ରେ ଖେଳିଥିବା ଓଡ଼ିଶା ପୁରୁଷ ଦଳର ସମସ୍ତ ଖେଳାଳି ନାଭାଲ ଟାଟା ହକି ଏଚ୍‌ପିସିର ରହିଥିଲେ। ସେହିଭଳି ଓଡ଼ିଶା ମହିଳା ଦଳରେ ୮ ଜଣ ରହିଥିଲେ। ‘‘ରାଜ୍ୟ ପାଖକୁ ଅନେକ ପ୍ରତିଭା ଆସୁଛନ୍ତି। ଏଥିରେ ଅଭାବ ନାହିଁ। କିନ୍ତୁ ଏମାନଙ୍କ ମଧ୍ୟରୁ ବାଛି ଆଗକୁ ନେବାରେ ଅଭାବ ରହୁଛି। ସରକାର ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଉଥିଲା ବେଳେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଆସିବାରୁ ଏହି ଅଭାବ ଦୂର ହୋଇଛି। ସାରା ଦେଶରେ ଏଚ୍‌ପିସି ସ୍ତରର ଏକାଡେମି ବହୁତ କମ୍‌ ରହିଛି। ସାଇ ଏବେ ଏଭଳି କରିବାକୁ ଚେଷ୍ଟା ଚଲାଇଛି। କାରଣ ଏଭଳି ପ୍ରଶିକ୍ଷଣ ମିଳିଲେ ଅନ୍ତର୍ଜାତୀୟସ୍ତରରେ ଖେଳିବା ଲାଗି ଖେଳାଳିଙ୍କ ଦମ୍‌ ରହିବ। ଏହି ଏକାଡେମିରୁ ଦେଶ ପାଇଁ ଏବଂ ଅଲିମ୍ପିଆନ୍‌ ବାହାର କରିବା ଆମର ଲକ୍ଷ୍ୟ’’ ବୋଲି ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ ପ୍ରକାଶ କରିଛନ୍ତି।

ପୂର୍ବତନ ନେଦରଲାଣ୍ଡ୍ସ ହକି ତାରକା ଫ୍ଲୋରିସ ଜାନ ବୋଭେଲାଣ୍ଡରଙ୍କ ବୋଭେଲାଣ୍ଡର ହକି ଫାଉଣ୍ଡେସନ ଏଚ୍‌ଏଏଫ୍‌ର ବୈଷୟିକ ସହଯୋଗୀ ରହିଛି। ସରକାର ଏହି ଏଚ୍‌ପିସିକୁ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇଥିଲା ବେଳେ ଏଠାରେ ଅନ୍ତର୍ଜାତୀୟସ୍ତରୀୟ ପ୍ରଶିକ୍ଷକ ଦ୍ବାରା ପ୍ରଶିକ୍ଷଣ ‌ଦିଆଯାଉଛି। ଏହି ଏଚ୍‌ପିସିରେ ସଂପ୍ରତି ୩୮ ବାଳିକା ଓ ୪୧ ବାଳକ ପ୍ରଶିକ୍ଷାର୍ଥୀ ରହିଛନ୍ତି। ଏହି ୩ ବର୍ଷ ମଧ୍ୟରେ ନାଭାଲ ଟାଟା ହକି ଏଚ୍‌ପିସି ପ୍ରତିଭା ଅନ୍ବେଷଣ ପାଇଁ ୧୪ଟି ତୃଣମୂଳ କେନ୍ଦ୍ର ସୁନ୍ଦରଗଡ଼ (୮), ସମ୍ବଲପୁର (୨), ଦେଓଗଡ଼, ଢେଙ୍କାନାଳ, ରଣପୁର ଓ ଛତ୍ରପୁର (ଗୋଟିଏ ଲେଖାଏଁ ) ପ୍ରତିଷ୍ଠା କରିଛି।