ଓଡ଼ିଶା ପାଇଁ ଜରୁରି ଏକ ବଳିଷ୍ଠ ‘କ୍ରୀଡ଼ା ନୀତି’

ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଖୁବଶୀଘ୍ର ଏକ ବଳିଷ୍ଠ ‘କ୍ରୀଡ଼ା ନୀତି’ ପ୍ରଣୟନ ହେବ ବୋଲି କିଛି ଦିନ ତଳେ ନୂଆ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଘୋଷଣା କରିଛନ୍ତି। ଏଥିଲାଗି ନିୟମାବଳୀ ପ୍ରସ୍ତୁତ କରାଯାଉଛି। ଯାହା ନିଶ୍ଚିତ ଭାବେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ପଞ୍ଜାବ ଓ ହରିଆଣା ଭଳି ରାଜ୍ୟରେ ବହୁ ବର୍ଷ ତାଳୁ କ୍ରୀଡ଼ା ନୀତି ପ୍ରଣୟନ ହୋଇ ସାରିଛି। ସେଥିଲାଗି ସେହିସବୁ ରାଜ୍ୟରେ କ୍ରୀଡ଼ା ଆଶାତୀତ ଭାବେ ଉନ୍ନତି କରି ପାରିଛନ୍ତି। ସେହି ଦୃଷ୍ଟିରୁ ଓଡ଼ିଶାରେ କ୍ରୀଡ଼ାନୀତି ପ୍ରଣୟନ ନେଇ କରାଯାଉଥିବା ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ। କ୍ରୀଡ଼ା ନୀତି ହେଲେ ରାଜ୍ୟର ଖେଳ ଏବଂ ଖେଳାଳି ହିଁ ଲାଭବାନ ହେବେ। ଓଡ଼ିଶା ଅଧିକରୁ ଅଧିକ ତାରକା ଖେଳାଳି ସୃଷ୍ଟି କରି ପାରିବ।

ସୂଚନା ଅନୁସାରେ ଓଡ଼ିଶା ସରକାର ସ୍ପୋର୍ଟସ କୋଟାରେ ଏପର୍ଯ୍ୟନ୍ତ ୯୮ ଜଣଙ୍କୁ ଚାକିରି ଦେଇଛନ୍ତି। ଏହା ସମୁଦ୍ରକୁ ଶଙ୍ଖେ ଭଳି। କେତେକ ରାଜ୍ୟରେ ଏହି ସଂଖ୍ୟା କିଛି ହଜାରରୁ ଅଧିକ। ସେସବୁ ରାଜ୍ୟରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବାର ଏହାମଧ୍ୟ ଏକ କାରଣ। ସ୍ପୋର୍ଟସ କୋଟାରେ ୧ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ହେଲେ ଏହା ଆଦୌ ଯଥେଷ୍ଟ ନୁହଁ। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତୁଥିବା ଖେଳାଳିଙ୍କ ପାଇଁ କ୍ରୀଡ଼ା ନୀତିରେ ବିଶେଷ ବ୍ୟବସ୍ଥା ହେବା ଉଚିତ। ‌କେନ୍ଦ୍ର ସରକାର ବଜେଟରେ ‘ନ୍ୟାସନାଲ ସ୍ପୋର୍ଟସ ଏଜୁକେସନ୍ ବୋର୍ଡ’ ଗଠନ କରିବା ନେଇ କରିଥିବା ଘୋଷଣା ଏକ ବହୁତ ଭଲ ପଦକ୍ଷେପ। କେନ୍ଦ୍ର ସରକାର ଆଗରୁ କରିଥିବା ପାଇକା ଯୋଜନାରୁ ଆଶାଜନକ ଫଳ ମିଳିନି। ‘ନ୍ୟାସନାଲ ସ୍ପୋର୍ଟସ ଏଜୁକେସନ୍ ବୋର୍ଡ’ ଗଠନ ହୁଏତ, ସେହି ବିଫଳତାକୁ ଦୂର କରିପାରେ। ଓଡ଼ିଶା ସରକାର ଏଥିରୁ ଶିକ୍ଷାନେଇ ଏକ ଭଲ କ୍ରୀଡ଼ାନୀତି ଆଣନ୍ତୁ। ସଂପ୍ରତି ସିବିଏସଇ ପାଠ୍ୟକ୍ରମରେ ଦଶମଶ୍ରେଣୀ ପର୍ଯ୍ୟନ୍ତ କ୍ରୀଡ଼ାକୁ ଅଗ୍ରାଧିକାର ଦିଆଗଲାଣି। ରାଜ୍ୟସରକାର ଏଭଳି ବ୍ୟବସ୍ଥା କଲେ, ଅବିଭାବକଙ୍କ କ୍ରୀଡ଼ା ପ୍ରତି ଅନୁରାଗ ବଢ଼ିବ। ଉପଯୋଗୀ ଖେଳପଡ଼ିଆ, ଉନ୍ନତ ଧରଣର ଉପକରଣ, ପ୍ରଶିକ୍ଷଣ ଉପରେ କ୍ରୀଡ଼ାନୀତି ଗୁରୁତ୍ବ ଦେଲେ ଭଲ। ରାଜ୍ୟ ସରକାର ଭୁବନେଶ୍ବରକୁ ଦେଶର କ୍ରୀଡ଼ା କ୍ୟା‌ପିଟାଲ କରିବାକୁ ଚାହୁଁଛନ୍ତି। ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଓ ବାରବାଟୀରେ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉଛି। ଏସୀୟ ଦୌଡ଼କୁଦ ପ୍ରତିଯୋଗିତା, ଆଇଲିଗ୍, ସୁପରକପ୍, ହକି ବିଶ୍ବକପ୍, ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଆୟୋଜନ କରିବା ପରେ ଓଡ଼ିଶା ବିଶ୍ବ ସ୍ତରରେ ପରିଚିତ ହୋଇ ପାରିଛି। ହେଲେ ଏସବୁ ପ୍ରତିଯୋଗିତାରେ ସ୍ଥାନୀୟ ଖେଳାଳିମାନେ କିଭଳି ଭାବେ ସୁଯୋଗ ପାଇବେ, ସେ ଚେଷ୍ଟା ଏବେଠାରୁ ହେଉ। ଏଥିଲାଗି ଓଡ଼ିଶାରେ ତୃଣମୂଳ ସ୍ତରରୁ କ୍ରୀଡ଼ା ବିକାଶ ପାଇଁ ଚେଷ୍ଟା କରାଯାଉ। ଗତବର୍ଷର ଆଇଲିଗ୍‌ରେ ଭାରତୀୟ ୧୭ ବର୍ଷରୁ କମ୍ ଦଳର ଖେଳାଳିଙ୍କୁ ନେଇ ଗଠିତ ‘ଇଣ୍ଡିଆନ୍ ଆରୋଜ୍’ ଦଳକୁ ଓଡ଼ିଶା ସରକାର ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ହେଲେ ପ୍ରଚାର ପ୍ରସାର ଅଭାବରୁ ଲିଗ୍‌କୁ ଯେତିକି ସମର୍ଥନ ମିଳିବା କଥା , ସେତିକି ମିଳି ନଥିଲା। ଚଳିତ ବର୍ଷ ଦିଲ୍ଲୀ ଡାଇନାମସ୍ କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ କରିଛି। ସେଥିପାଇଁ ଏଠାରେ ଆଇଏସଏଲ୍ ମ୍ୟାଚ୍ ଖେଳାଯିବାର ଆଶା ସଞ୍ଚାର ହୋଇଛି। ଓଡ଼ିଶା କ୍ରୀଡ଼ା ପାଇଁ ଏହା ବହୁତ ଭଲ ଖବର।

ପ୍ରସ୍ତାବିତ କ୍ରୀଡ଼ା ନୀତିରେ ଜିଲ୍ଲା କ୍ରୀଡ଼ା ସଂଘ ସହିତ ପୂରାତନ ଖେଳାଳିମାନଙ୍କୁ ନେଇ କମିଟି ଗଠନ କରାଯାଉ। ଏହି କମିଟିକୁ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଦାୟିତ୍ବ ମିଳୁ। ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ବନ୍ଦ କରାଯାଉ। କ୍ରୀଡ଼ା ନିର୍ଦେଶାଳୟ ଓ ପୁରସ୍କାର ମନୋନୟନ ସମିତି ପ୍ରଦର୍ଶନ ଆଧାରରେ ଯୋଗ୍ୟ ପ୍ରାର୍ଥୀ ବାଛି ସେମାନଙ୍କୁ ପୁରସ୍କୃତ କରିନ୍ତୁ। ବିଭିନ୍ନ କ୍ରୀଡ଼ା ସଂଘରେ ନିୟମିତ ନିର୍ବାଚନ ହେଉ। ନୂଆ ଏବଂ ପେସାଦାର ଖେଳାଳି ଏବଂ ଅଭିଜ୍ଞ କ୍ରୀଡ଼ା ସଂଗଠକଙ୍କୁ ଏଥି‌ରେ ସୁଯୋଗ ମିଳୁ। ସେହିଭଳି ବିଭିନ୍ନ ସଂଘକୁ ମିଳୁଥିବା ଅନୁଦାନର ମାତ୍ରାକୁ ବଢ଼ାଯାଉ। ଏହାର ପରିମାଣ ନିର୍ଧାରଣ ଲାଗି ବିଜ୍ଞାନ ସମ୍ମତ ବ୍ୟବସ୍ଥା କ୍ରୀଡ଼ା‌ ନୀତିରେ ରହୁ। ଏକଥା କିନ୍ତୁ ସତ ଯେ ଖେଳାଳିଙ୍କଠାରୁ ସଂଗଠକ, ଅବିଭାବକ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟ ସରକାରଙ୍କ ଏହି କ୍ରୀଡ଼ା ନୀତିକୁ ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର