ଓଡ଼ିଶାରେ ୧୮ ହୋଲ୍ ଗଲ୍‌ଫ କୋର୍ସ ଆବଶ୍ୟକ: ଡି’ସୁଜା

ଭୁବନେଶ୍ବର: ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା ଲାଗି ହେଉଥିବା ପ୍ରୟାସ ଭଲ କଥା। କିନ୍ତୁ ରାଜ୍ୟକୁ କ୍ରୀଡ଼ା କ୍ଷେତ୍ରରେ ସାମଗ୍ରିକ ବିକାଶ ପ୍ରଦାନ ଏବଂ କ୍ରୀଡ଼ା ପର୍ଯ୍ୟଟନର ଉନ୍ନତି ଲାଗି ଗଲ୍‌ଫ ଭଳି ରାଜକୀୟ ଖେଳର ପ୍ରସାର ଯେ ଅତ୍ୟନ୍ତ ଅପରିହାର୍ଯ୍ୟ ଏହା ଅନୁଭବ କରିଛନ୍ତି ବିଗତ ଦିନର ଗଲ୍‌ଫ ତାରକା ବ୍ରେଣ୍ଡନ୍ ଡି’ସୁଜା। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ଯଥାର୍ଥ ଭାବେ ବିଶ୍ବ ଦରବାରରେ ପରିଚିତ କରିବା ଲାଗି ଭୁବନେଶ୍ବରରେ ୧୮ହୋଲ୍‌ ବିଶିଷ୍ଟ ଗଲ୍‌ଫ କୋର୍ସ ଆବଶ୍ୟକ ବୋଲି କହିଥିଲେ ଏସିଆ ପାସିଫିକ୍ ବିଶ୍ବକପ୍ ବିଜେତା ବ୍ରେଣ୍ଡନ୍। ବର୍ତମାନର ଭୁବନେଶ୍ବର ଗଲ୍‌ଫ କୋର୍ସ (ବିଜିସି) ଅତି‌ ଛୋଟ। ଏହା ୯ ହୋଲ୍ ବିଶିଷ୍ଟ। ପେସାଦାର ଖେଳାଳିଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ। ଓଡ଼ିଶା ସରକାର ଏକ ୧୯ ହୋଲ୍ ବିଶିଷ୍ଟ କୋର୍ସ କରିବେ ବୋଲି ମୁଁ ବିଗତ ୩ ବର୍ଷ ହେବ ଶୁଣି ଆସୁଛି, କିନ୍ତୁ ଏ ଦିଗରେ ସେଭଳି ଅଗ୍ରଗତି ହେବା ଭଳି ମନେ ହେଉ ନାହିଁ। ଗଲ୍‌ଫ କୋର୍ସର ଉନ୍ନତି ଘଟିଲେ ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହୋଇପାରନ୍ତେ‌ ବୋଲି କହିଥିଲେ ଏହି ୫୯ ବର୍ଷୀୟ ଭାରତୀୟ ଗଲ୍‌ଫ ଗୁରୁ। ଭୁବନେଶ୍ବର ଆସିଥିବା ବେଳେ ‘ସମ୍ବାଦ’କୁ ପ୍ରଦାନ କରିଥିଲେ ସ୍ବତନ୍ତ୍ର ସାକ୍ଷାତକାର।

ଅଡି କ୍ବାଟ୍ରୋ‌ କପ୍‌: ଅଡି କ୍ବାଟ୍ରୋ କପ୍ ଗଲ୍‌ଫ ହେଉଛି ଦ୍ବିତୀୟ ଶ୍ରେଣୀୟ ଏବଂ ସୌଖିନ ଗଲ୍‌ଫ ପ୍ରତିଯୋଗିତା। ସାଧାରଣତଃ ଅଡି ଗ୍ରାହକ ଏବଂ ଏହାର ସମ୍ଭାବ୍ୟ ଗ୍ରାହକଙ୍କୁ ମନୋରଂଜନ ଯୋଗାଇବା ସହିତ ଗଲଫ ଦୁନିଆକୁ ଆସିବାକୁ ଏହା ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ। ୯ ବ‌ର୍ଷରୁ ଆରମ୍ଭ: ମୁଁ ମାତ୍ର ୯ ବର୍ଷ ବୟସରେ ଗଲ୍‌ଫ ଖେଳିବା ଆରମ୍ଭ କରିଥିଲି। କୋଲକାତା ଏବଂ ବେଙ୍ଗାଲୁରୁ କୋର୍ସରେ ମୋ ସଫଳତା ଅଧିକ ଥିଲା। ଆଞ୍ଚଳିକ ସ୍ତରରେ ୨୬ ଟ୍ରଫି ଜିତିଥିଲି। ଦେଶ ପାଇଁ ୧୭ ଥର ପ୍ରତିନିଧିତ୍ବ କରିବାର ଗୌରବ ବି ପାଇଥିଲି। କିନ୍ତୁ ୧୯୮୪ ମସିହାରେ ଆମେ ଫିଜିରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌କୁ ହରାଇ ଏସିଆ ପ୍ୟାସିଫିକ୍ ବିଶ୍ବକପ୍ ଜିତିବା ମୋ ପାଇଁ ଚିର ସ୍ମରଣୀୟ ରହିଛି। ତ୍ରିରଙ୍ଗା ଉଡ଼ାଇବା ବେଳେ ଏହା ନିଆରା ଅନୁଭବ ଦେଇଥିଲା। ମାଲେସିଆ ଏବଂ ସିଙ୍ଗାପୁର ମୋ ପାଇଁ ସ୍ମରଣୀୟ ଗଲ୍‌ଫ କୋର୍ସ ଥିଲା, ଯେଉଁଠି ମୁଁ ଏକାଧିକ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର୍ ପାଇଥିଲି। ଗଲଫ୍ ଏକ ଭଲ ଖେଳ। ଏହାକୁ ଅନୁସରଣ କରିବା ଦ୍ବାରା ବଡ଼ ଲୋକଙ୍କ ସଂସ୍ପର୍ଶରେ ଅସିବାର ଫାଇଦା ମିଳିଥାଏ। କପିଳ ଦେବଙ୍କଠାରୁ ମୁକେଶ ଅମ୍ବାନିଙ୍କ ପର୍ଯ୍ୟନ୍ତ ଗଲ୍‌ଫ ପଡ଼ିଆ ପରିଚୟରୁ ହିଁ ସେମାନେ ମୋର ଭଲ ବଂଧୁ ହୋଇପାରିଛନ୍ତି।

ଗଲ୍‌ଫ ଭବିଷ୍ୟତ ଉଜ୍ବଳ: ଏହି ଖେଳର ଭବିଷ୍ୟତ ଅତି ଉଜ୍ବଳ। ଚୌରାସିଆ, ଅନିର୍ବାଣ, ଭୁଲାର, ଚିକା, ଖଲିଲ, ବିରାଜ, ଅଦିତି ଆଦି ପ୍ରମାଣ କରିଛନ୍ତି ଭାରତରେ ପ୍ରତିଭାର ଅଭାବ ନାହିଁ। କେବଳ ସଂଖ୍ୟା ନୁହେଁ ଆମେ ଭଲ ଖେଳି ପାରୁ ଏବଂ ଭଲ ଆୟୋଜନ କରୁ ବୋଲି ବିଗତ କିଛି ବର୍ଷ ପ୍ରମାଣିତ ହୋଇଛି। ଏହା ଏକ ଛୁପା ‌ହୋଇ ରହିଯାଥିବା ଖେଳ। ଗଣମାଧ୍ୟମର ସହଯୋଗ ଏଥି ପାଇଁ ଲୋଡ଼ା। ଲୋକମାନଙ୍କୁ ଗଲ୍‌ଫ ଶିକ୍ଷା ମିଳିଲେ ଏହି ଖେଳ ଅଧିକ ପ୍ରଚାର ଓ ପ୍ରସାର ପାଇପାରିବ। ଏବେ ଦେଶର ବହୁ ଯୁବ ଖେଳାଳି ସ୍ବଳ୍ପ ବୟସରୁ ହିଁ କୋଟି କୋଟି ପୁରସ୍କାର ରାଶି ଜିତି ପାରୁଛନ୍ତି ବୋଲି କହିଥିଲେ ଦେଶର ଗଲ୍‌ଫ ପରିଚାଳନା ସହ ଓତଃପ୍ରୋତଃ ଜଡ଼ିତ ଡି’ସୁଜା।

ସମ୍ବନ୍ଧିତ ଖବର