କଟକ: ସ୍ଥାନୀୟ ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମରେ ମଙ୍ଗଳବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ୪୪ତମ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା। ଏଥିସହିତ କବାଡ଼ିର କୌଣସି ଜାତୀୟ ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ ଇନ୍ଡୋର ହଲ୍ରେ ଆୟୋଜନ କରି ଓଡ଼ିଶା ଇତିହାସ ସୃଷ୍ଟି କରିଛି। ପୂର୍ବରୁ ପ୍ରତିଯୋଗିତା ଖୋଲା ଆକାଶ ତଳେ ଖେଳାଯାଉଥିବା ବେଳେ ଚଳିତ ଋତୁଠୁ ଇନ୍ଡୋର ହଲ୍ରେ ଆୟୋଜନ ପାଇଁ ଭାରତୀୟ କବାଡ଼ି ମହାସଂଘ ବିଚାର କରିଥିଲା। ତେଣୁ ଡିସେମ୍ବର ୩୧ ତାରିଖରେ ହାଇଦ୍ରାବାଦରେ ଜାତୀୟ ବରିଷ୍ଠ କବାଡ଼ି ପ୍ରତିଯୋଗିତାକୁ ଇନ୍ଡୋର୍ ହଲ୍ରେ ଆୟୋଜନ କରିବାକୁ ଯୋଜନା ହୋଇଥିଲା ବେଳେ ଓଡ଼ିଶାରେ ଏହାର କିଛି ଦିନ ପୂର୍ବରୁ କନିଷ୍ଠ ପ୍ରତିଯୋଗିତାକୁ ଇନ୍ଡୋର ହଲ୍ରେ ଆୟୋଜନ କରାଯାଇପାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ଏତିକି ନୁହେଁ ଗୋଟିଏ ସମୟରେ ୪ ମ୍ୟାଚ୍ ଖେଳାଯାଇପାରିବା ଭଳି ମ୍ୟାଟ୍ ମଧ୍ୟ ପକାଯାଇଛି। ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉଦ୍ଘାଟନ କରିଥିଲା ବେଳେ ସାଂସଦ ତଥା ପ୍ରତିଯୋଗିତାର କ୍ରୀଡ଼ାଦୂତ ଅନୁଭବ ମହାନ୍ତି, ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ସିଏମ୍ସି ଡେପୁଟି ମେୟର ଅଜୟ ବାରିକ, ପେସାଦାର ଭାରତୀୟ କବାଡ଼ି ମହାସଂଘର ସଭାପତି ମ୍ରିଦୁଲ ଭଦୁରିଆ, ସଂପାଦକ ଦୀନେଶ ପଟେଲ୍, ଓଡ଼ିଶା କବାଡ଼ି ସଂଘ ସଭାପତି ଶରତ କୁମାର ସାହୁ, ସଂପାଦକ ଅଜୟ କୁମାର ବେହେରା, ଗଣମାଧ୍ୟମ ସମିତି ଅଧ୍ୟକ୍ଷ ଶୁଭେନ୍ଦୁ ଭୂୟାଁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶାର ପୂର୍ବତନ ଖେଳାଳି ଗଙ୍ଗାଧର ଗରୁଡ଼ଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ସମ୍ବର୍ଧିତ କରାଯାଇଥିଲା।
ଶ୍ରୀ ଗରୁଡ଼ଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଏହା ଗ୍ରହଣ କରିଥିଲେ। ପୂର୍ବରୁ ଏକ ଶୋଭାଯାତ୍ରାରେ ସମସ୍ତ ରାଜ୍ୟର ଖେଳାଳିମାନଙ୍କୁ ଷ୍ଟାଡିୟମକୁ ପାଛୋଟି ଅଣାଯାଇଥିଲା। ଉଦ୍ଘାଟନୀ ସମାରୋହରେ ବିଜେତା ଟ୍ରଫି ଅନାବରଣ ହୋଇଥିଲା। ଆରାଧନା ଗ୍ରୁପ୍, ଜେମ୍ସ ଗ୍ରୁପ୍, ଫେଟ୍ ଫାଇଟର୍ସ ଆନ୍ତର୍ଜାତିକ ଦଳ, ଆରାଧନା ଇତ୍ୟାଦି ଗ୍ରୁପ୍ ନୃତ୍ୟ ପ୍ରଦର୍ଶନ କରିଥିଲା ବେଳେ ସତ୍ୟଜିତ ପ୍ରଧାନ, ଅନନ୍ୟା ନନ୍ଦ ସଂଗୀତ ପରିବେଷଣ କରିଥିଲେ।
ପ୍ରତିଯୋଗିତାରେ ମୋଟ ୨୯ ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତ୍ୟେକ ବିଭାଗରେ ୮ଟି ଗ୍ରୁପ୍ କରାଯାଇଥିଲା ବେଳେ ଶ୍ରେଷ୍ଠ ଦୁଇ ଲେଖାଏଁ ଦଳ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଗତବର୍ଷ ପ୍ରି-କ୍ୱାର୍ଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିବା ଓଡ଼ିଶାର ବାଳକ ଓ ବାଳିକା ଖେଳାଳିଙ୍କ ପାଇଁ ଏହା ଉତ୍ତମ ସୁଯୋଗ ରହିବ। କାରଣ ଏଥର ବିଜେତା କିମ୍ବା ଉପବିଜେତା ହେଲେ ଓଡ଼ିଶାର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି।
ଉତ୍ତରାଖଣ୍ଡଠୁ ଜିତିଲା ଓଡ଼ିଶା
ପ୍ରଥମ ଦିବସରେ ଓନିଶା ବାଳକ ଦଳ ୪୮-୨୬ରେ ଉତ୍ତରାଖଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ପଶ୍ଚିମବଙ୍ଗ ଓ ହରିଆନାର ବାଳିକା ଦଳକୁ ଯୁଗଳ ବିଜୟ ମିଳିଛି। ପଶ୍ଚିମବଙ୍ଗ ବାଳିକା ତ୍ରିପୁରାକୁ ୬୧-୧୫ ଓ ଆସାମକୁ ୪୪-୧୯ରେ ପରାସ୍ତ କରିଥିଲା ବେଳେ ହରିଆନା ପଣ୍ଡିଚେରୀକୁ ୬୯-୩ ଓ କେରଳକୁ ୩୦-୨୧ରେ ହରାଇଛି। ତାମିଲନାଡୁ ୪୦-୨୧ରେ ମଧ୍ୟପ୍ରଦେଶକୁ, ଛତିଶଗଡ଼ ୮୪-୮ରେ ଉତ୍ତରାଞ୍ଚଳକୁ, ମହାରାଷ୍ଟ୍ର ୪୨-୨୩ରେ ବିଦର୍ଭକୁ, ଆନ୍ଧ୍ରପ୍ରଦେଶ ୩୪-୩୨ରେ ଛତିଶଗଡ଼କୁ ହରାଇଛି। ବାଳକରେ ରାଜସ୍ଥାନ ୪୩-୩୩ରେ ବିଦର୍ଭକୁ, ଗୁଜୁରାଟ ୭୮-୨୪ରେ ତ୍ରିପୁରାକୁ, ଦିଲ୍ଲୀ ୭୯-୩୬ରେ ଝାଡ଼ଖଣ୍ଡକୁ, ମହରାଷ୍ଟ୍ର ୪୮-୧୨ରେ ମଣିପୁରକୁ, କେରଳ ୫୫-୨୬ରେ ବିହାରକୁ, ପଞ୍ଜାବ ୩୪-୩୧ରେ ଛତିଶଗଡ଼କୁ, ତାମିଲନାଡୁ ୫୦-୧୪ରେ ଜାମ୍ମୁ କାଶ୍ମୀରକୁ, ଉତ୍ତରପ୍ରଦେଶ ୫୪-୧୪ରେ ଆନ୍ଧ୍ରପ୍ରଦେଶକୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।