ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା: ମୁଖ୍ୟ ଡ୍ର’ରେ ସ୍ଥାନ ମିଳିବା ଆଶଙ୍କାରେ ଓଡ଼ିଶାର ୪ ଖେଳାଳି

ପ୍ରତିଯୋଗିତାରୁ ଓହରିଲେ ସାଇନା, କାଶ୍ୟପ, ଅଶ୍ବିନୀ

କଟକ: ଓଡ଼ିଶା ଓପନ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ କୋଭିଡ୍‌ କଟକଣା ମଧ୍ୟରେ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ ପାଖାପାଖି ୧୭ ଦେଶରୁ ୩୫୦ରୁ ଉର୍ଦ୍ଧ୍ବ ଖେଳାଳି ଭୁବନେଶ୍ବରରେ ପହଞ୍ଚିସାରିଥିଲାବେଳେ ସୋମବାର ସୁଦ୍ଧା ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। ଏପରିକି ଖେଳାଳିମାନେ ଇଣ୍ଡୋର ଷ୍ଟାଡିୟମକୁ ଆସି ଅଭ୍ୟାସ କରିଛନ୍ତି। ମ୍ୟାଚ ପାଇଁ ୪ଟି କୋର୍ଟ ପ୍ରସ୍ତୁତ ଥିବାବେଳେ ଅଭ୍ୟାସ ପାଇଁ ଆଉ ଗୋଟିଏ କୋର୍ଟ ପ୍ରସ୍ତୁତ କରାଯାଇଛି। ଭାରତୀୟ ଦଳର ପ୍ରଶିକ୍ଷକ ପୁଲେଲା ଗୋପିଚାନ୍ଦ ସୋମବାର ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନରେ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ବେଳେ ଯୋଗଦେଇଥିଲେ।‌ ସେଠାରେ ସେ ଖେଳାଳିମାନଙ୍କ ସହିତ କିଛି ସମୟ ପାଇଁ ଆଲୋଚନା କରିଥିଲେ।

ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ସାଇନା ନେହୱାଲ ଓ ତାଙ୍କ ସ୍ବାମୀ ପାରୁପାଲି କାଶ୍ୟପ ଯଥାକ୍ରମେ ମହିଳା ଏକକ ଓ ପୁରୁଷ ଏକକର ଶୀର୍ଷ ସିଡ୍‌ ମାନ୍ୟତା ପାଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଉଭୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। କାଶ୍ୟପ ଏବେବି ଆହତ ସମସ୍ୟାରୁ ମୁକୁଳି ନଥିବାବେଳେ ସାଇନାଙ୍କ ଓହରିବାର କାରଣ ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଆହତ ଜନିତ ସମସ୍ୟା ଯୋଗୁଁ କାଶ୍ୟପ ଇଣ୍ଡିଆ ଓପନ ଓ ସୟଦ ମୋଦି ଇଣ୍ଟରନ୍ୟାସନାଲ ଓପନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ। ତେବେ ସାଇନା ସୟଦ ମୋଦି ଓପନରେ ଅଂଶଗ୍ରହଣ କରିଥିଲେ ହେଁ ପ୍ରଥମ ରାଉଣ୍ଡରୁ ମାଲଭିକା ବନସୋଦଙ୍କଠୁ ପରାଜିତ ହୋଇ ଶୀଘ୍ର ବିଦା ହୋଇଥିଲେ। ଯଦିଓ ମାଲବିକା ଫାଇନାଲ୍‌ରେ ପି.ଭି. ସିନ୍ଧୁଙ୍କଠୁ ପରାସ୍ତ ହୋଇଥିଲେ, ହେଲେ ସେ ଓଡ଼ିଶା ଓପନ ସୁପର ୧୦୦ରେ ଖେଳିବାକୁ ଆଗ୍ରହ ଦେଖାଇନାହାନ୍ତି। ମହିଳା ଯୁଗଳରେ ଅଶ୍ବିନୀ ପୋନାପ୍ପା ଓ ଏନ୍‌.ସିକ୍କି ରେଡ଼ିଙ୍କ ଯୋଡ଼ି ଶୀର୍ଷ ସିଡ୍‌ ମାନ୍ୟତା ପାଇଥିଲେ ମଧ୍ୟ ଅଶ୍ବିନୀ ଶେଷ ସମୟରେ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ପୂର୍ବରୁ ଇଣ୍ଡିଆ ଓପନ ସମୟରେ ଅଶ୍ବିନୀ କୋଭିଡରେ ସଂକ୍ରମିତ ହୋଇଥିବାରୁ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ଏସବୁବାଦ୍‌ ଶ୍ରେଷ୍ଠ ଖେଳାଳି କିଦାମ୍ବି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍‌, ପୁରୁଷ ଯୁଗଳର ଶ୍ରେଷ୍ଠ ଯୋଡ଼ି ସାତ୍ତ୍ବିକ ସାଇରାଜ ରାନ୍‌କିରେଡ଼ି ଓ ଚିରାଗ ସେଟ୍ଟିଙ୍କ ଭଳି ଖେଳାଳିମାନେ ଓଡ଼ିଶା ଓପନରେ ଅଂଶଗ୍ରହଣ କରୁନଥିବା ଜଣାପଡ଼ିଛି।

ଓଡ଼ିଶା ଓପନ୍‌ରେ ଅଂଶଗ୍ରହଣ କରିବା ପାଇଁ ୫ଟି ଇଭେଣ୍ଟରେ ୫୫ଟି ଦେଶରୁ ୬୯୮ ଜଣ‌ ଖେଳାଳି ପଞ୍ଜୀକରଣ କରିଥିଲେ। ପୁରୁଷ ଏକକ ପାଇଁ ସର୍ବାଧିକ ୨୮୩ଜଣଙ୍କ ନାମ ଆସିଥିଲାବେଳେ, ମହିଳା ଏକକ ପାଇଁ ୧୫୦, ପୁରୁଷ ଯୁଗଳ ପାଇଁ ୧୨୪, ମହିଳା ଯୁଗଳ ପାଇଁ ୫୮, ମିଶ୍ରିତ ଯୁଗଳ ପାଇଁ ୯୧ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ପାଖାପାଖି ଅଧା ଖେଳାଳି ପ୍ରତିଯୋଗିତାରୁ ଓହରି ଯାଇଥିବା ଜଣାପଡ଼ିଥିଲାବେଳେ ଆଉ କିଛି‌ ଖେଳାଳି ମୁଖ୍ୟ ଡ୍ର’ ତାଲିକାରେ ସେମାନଙ୍କ ନାମ ଦେଖିବାକୁ ଅପେକ୍ଷା କରିଛନ୍ତି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଡ୍ର’ ଚୂଡ଼ାନ୍ତ ହୋଇପାରିନଥିବା ଜଣାପଡ଼ିଛି। ତେଣୁ କିଛି ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନେଇ ଆଶଙ୍କାରେ ଅଛନ୍ତି। ଓଡ଼ିଶାରୁ ପଞ୍ଜୀକରଣ କରିଥିବା ସ୍ବାଧିନ ଗୌଡ଼, ପ୍ରଗତି ପରିଡ଼ା, ହର୍ଷିତା ରାଉତ, ବିଶାଖା ଟପ୍ପୋଙ୍କ ନାମ ଏପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ଡ୍ର’ ତାଲିକାରେ ସ୍ଥାନ ପାଇନଥିବାରୁ ସେମାନେ ଚିନ୍ତାରେ ଅଛନ୍ତି। ଏମିତିକି ରାଜ୍ୟ ବ୍ୟାଡମିଣ୍ଟନ ସଂଘ ମଧ୍ୟ ପ୍ରତିଯୋଗିତାର ନୀତିନିୟମ ଭିତରେ ବାନ୍ଧି ହୋଇଥିବାରୁ ଏଦିଗରେ କୌଣସି ସହାୟତା ଯୋଗାଇପାରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର