ଭୁବନେଶ୍ବର: ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ରେ ଚାଲିଥିବା ଓଡ଼ିଶା ଓପନ୍ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ମହୋତ୍ସବର ‘ବି’ ବର୍ଗରେ ଓଡ଼ିଶାର ଫକିର ମାଝୀ (୮.୫ ପଏଣ୍ଟ) ବିଜେତା ହୋଇଥିଲା ବେଳେ ଓମ୍‌କାର କଡ଼ଭ ଉପବିଜେତା ହୋଇଛନ୍ତି। ଓମ୍‌କାରଙ୍କ ସହ ଓଡ଼ିଶାର ଶ୍ରୀହାନ ସାବତ ସମାନ ୮ ପଏଣ୍ଟ୍ ପାଇଥିଲେ ମଧ୍ୟ ବ୍ଲକ୍ ହୋଲ୍‌ଜରେ ପଛୁଆ ରହି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ବର୍ଗର ପ୍ରଥମ ୧୦ସ୍ଥାନ ମଧ୍ୟରେ ରହିଥିବା ଖେଳାଳିମାନେ ହେଲେ ମହାରାଷ୍ଟ୍ରର ରାହୁଲ ବର୍ମା (୭.୫) ଓଡ଼ିଶାର ସୁଧୀର କୁମାର ବେହେରା (୭.୫), ବିହାରର ମୋହିତ କୁମାର ‌ସୋନି (୭.୫), ତେଲେଙ୍ଗାନାର ପି. କାୟାସିଲ୍ (୭.୫), ଓଡ଼ିଶାର ବିନାୟକ ରଥ (୭.୫), ରବୀନ୍ଦ୍ର କୁମାର ଓଝା (୭.୫) ଓ ଆନ୍ଧ୍ରର ‌ମୋହିତ ଭକଚେରି (୭.୫)। ସେହିଭଳି ‘ଏ’ ବର୍ଗର ପଞ୍ଚମ ରାଉଣ୍ଡ ସୁଦ୍ଧା ଭିଏତନାମର ହେ କ୍ବେକ୍ ଗୁଏନ୍ ପୂରା ୫ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି। 

Advertisment

ବୁଧବାର ପୁରସ୍କାର ବିତରଣୀ ଉତ୍ସବରେ ଅବିନାଶ ସାମଲ, ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଅଲ୍‌ ଓଡ଼ିଶା ଚେସ୍ ସଂଘ ସଂପାଦକ ଦେବବ୍ରତ ଭଟ୍ଟ, ସୋଆ କ୍ରୀଡ଼ା ଅଧିକାରୀ ସୁନିତା ବର୍ମା, ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ପଲ୍ ଆରୋକ୍ୟ ରାଜ ମୁଖ୍ୟ ବିଚାରକ, ତାପସ ମହାନ୍ତି, ସୁରେଶ ଚନ୍ଦ୍ର ସାହୁ ଉପମୁଖ୍ୟ ବିଚାରକ ଏବଂ  ଅପରାଜିତା ଗୋଚ୍ଛିକାର ଓ କବିରାଜ ସାୱନ୍ତ ଫେୟାର ପ୍ଲେ ବିଚାରକ ଦାୟିତ୍ବ ତୁଲାଉଛନ୍ତି।