ଓଡ଼ିଶା ଓପନ୍‌ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ ୨୫ରୁ, କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ପ୍ରସ୍ତୁତ

ରୁଦ୍ଧ ଦ୍ବାର ଓ ଜୈବ ବଳୟ ଘେରରେ ଖେଳ ଚାଲିବ, ଆସୁଛନ୍ତି ୩୦୦ରୁ ଅଧିକ ଖେଳାଳି

କଟକ: ଆଉ ୩ ଦିନ ପରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହେବ ଓଡ଼ିଶା ଓପନ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା। ଓଡ଼ିଶା ଓପନ୍‌ର ଏହା ପ୍ରଥମ ସ˚ସ୍କରଣ ହୋଇଥିବାରୁ ଏହାର ସଫଳ ଆୟୋଜନ ପାଇଁ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସ˚ଘ ଓ ଭାରତୀୟ ବ୍ୟାଡ୍‌ମିଣ୍ଟନ ସ˚ଘ ସହିତ କ୍ରୀଡ଼ା ବିଭାଗ ମଧ୍ୟ ଦୀର୍ଘ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କୋଭିଡ୍‌ ପରିସ୍ଥିତି ସମୟରେ ଏଭଳି ଏକ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ରୁଦ୍ଧ ଦ୍ବାର ମଧ୍ୟରେ ଖେଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଖେଳାଳି, ମ୍ୟାଚ୍‌ ପରିଚାଳନା ଅଧିକାରୀ ଏବ˚ ପ୍ରତିଯୋଗିତା ସହିତ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ଜୈବ ବଳୟ ମଧ୍ୟରେ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ଖେଳ ସ୍ଥାନକୁ ଦର୍ଶକ, ଅଭିଭାବକ କିମ୍ବା ଗଣମାଧ୍ୟମ ପ୍ରତିନିଧି କାହାରିକୁ ଯିବାକୁ ଅନୁମତି ନଥିବା କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
ପ୍ରତିଯୋଗିତାରେ ଭାରତ ସମେତ ମୋଟ ୧୮ ଦେଶରୁ ପାଖାପାଖି ୩୦୦ ଖେଳାଳି ଭାଗ ନେଉଛନ୍ତି। ଖେଳାଳିମାନେ ୨୩ ତାରିଖରୁ ଭୁବନେଶ୍ବରରେ ପହଞ୍ଚିବେ।

ସେମାନଙ୍କ ରହିବା ପାଇଁ କିଟ୍‌ ପରିସରରେ ବ୍ୟବସ୍ଥା କରାଯାଇଛି। ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀମାନେ ପହଞ୍ଚିବା ପରେ ସମସ୍ତଙ୍କର ଆର‌୍‌ଟି-ପିସିଆର‌୍‌ କୋଭିଡ୍‌ ପରୀକ୍ଷା କରାଯିବ। ଏଥିସହିତ ସମସ୍ତେ ନିଜ ନିଜର ଟିକାକରଣ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ କୁହାଯାଇଛି। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଖେଳାଳିମାନଙ୍କୁ ଅଭ୍ୟାସ କରିବାକୁ ଓ ମ୍ୟାଚ୍‌ ଖେଳିବାକୁ ଅନୁମତି ଦିଆଯିବ। ହେଲେ ଯେଉଁମାନେ ଆୟୋଜକଙ୍କ ଦ୍ବାରା କରାଯାଇଥିବା ରହଣିସ୍ଥାନରେ ନରହିବେ, ସେମାନଙ୍କର ନିୟମିତ ଅନ୍ତରାଳରେ କୋଭିଡ୍‌ ପରୀକ୍ଷା କରାଯିବ। ଖେଳାଳିମାନଙ୍କୁ ଏସବୁ ନିୟମ ବାବଦରେ ଅବଗତି କରାଇବାକୁ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସ˚ଘକୁ ଦାୟିତ୍ବ ଦିଆଯାଇଛି। ଖେଳାଳିମାନଙ୍କ କୋଭିଡ୍‌ ପରୀକ୍ଷା ଓ ଜୈବ ବଳୟ ଉପରେ ନଜର ରଖିବାକୁ ଭୁବନେଶ୍ବର ମହାନଗର ନିଗମ, କ୍ୟାପିଟାଲ ହସ୍‌ପିଟାଲ ଓ କ୍ରୀଡ଼ା ବିଭାଗର କିଛି ଅଧିକାରୀ ଦାୟିତ୍ବରେ ରହିବେ।
ଓଡ଼ିଶା ଓପନ୍‌ ଆୟୋଜନ ପାଇଁ ଭାରତୀୟ ବ୍ୟାଡ୍‌ମିଣ୍ଟନ ସ˚ଘ ସଭାପତି ହିମନ୍ତ ବିଶ୍ବ ଶର୍ମାଙ୍କୁ ପ୍ରତିଯୋଗିତା ସମିତିର ଅଧ୍ୟକ୍ଷ, ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କୁ ଆୟୋଜନ ସମିତିର ସଭାପତି, ରାଜ୍ୟ ବ୍ୟାଡ୍‌ମିଣ୍ଟନ ସ˚ଘ ସମ୍ପାଦକ ନିଲିନ କୁମାରଙ୍କୁ ସ˚ଗଠନ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି। ମୋଟ ୪ଟି କୋର୍ଟରେ ମ୍ୟାଚ୍‌ସବୁ ଖେଳାଯିବ। ଅଭ୍ୟାସ ପାଇଁ ଅଲଗା ଗୋଟିଏ କୋର୍ଟ ରହିବ। ଖେଳାଳିଙ୍କ ପାଇଁ ପାଖାପାଖି ୬୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି।

ପ୍ରତିଯୋଗିତା ଆୟୋଜନ ପାଇଁ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ମଧ୍ୟ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ। ପ୍ରାୟ ମାସେ ଧରି ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସ˚ଘ, ଭାରତୀୟ ଓ ରାଜ୍ୟ ସ˚ଘର କର୍ମକର୍ତ୍ତା, ବୈଷୟିକ ଅଧିକାରୀମାନେ ନିୟମିତ ଅନ୍ତରାଳରେ ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି। ଶୁକ୍ରବାରଠୁ ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ୟୋନେକ୍ସ ପକ୍ଷରୁ ବ୍ରାଣ୍ତି˚ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କହିବାନୁଯାୟୀ, ଓଡ଼ିଶା ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରୁଛି। ତେଣୁ ସୁରକ୍ଷିତ ପରିବେଶ ମଧ୍ୟରେ ଖେଳ ଆୟୋଜନ କରିବାକୁ ସମସ୍ତଙ୍କ ମିଳିତ ସହଯୋଗ ଲୋଡ଼ା। ପ୍ରତିଯୋଗିତା ଅବସରରେ କୋଭିଡ୍‌ ନୀତିନିୟମକୁ କଡ଼ାକଡି ଭାବେ ପାଳନ କରାଯିବ। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇଆସୁଥିବା ବେଳେ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ସରକାର ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଯାଉଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର