ଓଡ଼ିଶା ଓପନ୍ ଟେନିସ୍ କବିରଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ଭୁବନେଶ୍ବର କ୍ଲବ୍ ଟେନିସ୍ କଂପ୍ଲେକ୍ସରେ ଚାଲିଥିବା କେଡିଟିଏ ଓଡ଼ିଶା ଓପନ୍ ଟେନିସ୍ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦୀୟମାନ ତାରକା କବିର ହଂସ ଉଭୟ ପୁରୁଷ ଏକକ ଏବଂ ଯୁଗଳ ଟ୍ରଫି ଜିତି ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଏକକ ଫାଇନାଲରେ ସେ ନିଜ ସହର ସାଥୀ ଅଂଶୁ କୁମାର ଭୂୟାଁଙ୍କୁ ୬-୪, ୬-୪ରେ ହରାଇ ୧୫,୦୦୦ ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ହାତେଇଥିଲେ। ଏହା ପୂର୍ବରୁ କବିର ପୂର୍ବତନ ଏକ ନମ୍ବର ତଥା ଟେନିସ୍ ଗୁରୁ ଅଜୟ କୁମାର ନିଶଙ୍କଙ୍କୁ ସାଥି କରି ପୁରୁଷ ଯୁଗଳ ଫାଇନାଲରେ ଅଂଶୁ କୁମାର ଭୂୟାଁ ଓ ଆଶୁତୋଷ ଦାସଙ୍କ ଯୋଡ଼ିକୁ ୬-୪, ୬-୩ରେ ହରାଇ ଦେଇଥିଲେ। ମିଶ୍ରିତ ଯୁଗଳ ଫାଇନାଲରେ ଋତୁପର୍ଣ୍ଣା ଚୌଧୁରୀ ଓ ସତୀର୍ଥ ପଟ୍ଟନାୟକ ଯୋଡ଼ି ୬-୪, ୬-୩ରେ ଅନନ୍ୟା ଯାଦବ ଓ ଆଶୁ‌ତୋଷ ଦାସଙ୍କୁ ହରାଇ ବିଜେତା ହୋଇଥିଲେ। ଭେଟେରାନ ଯୁଗଳ ବର୍ଗରେ ୪୫ ବର୍ଷରୁ ଊର୍ଧ୍ବରେ ଗଙ୍ଗାଧର ଲେଙ୍କା-ବନ୍ଧୁ ମହାନ୍ତିଙ୍କୁ ୯-୧ରେ ହରାଇ ଝାଡ଼େଶ୍ବର ଦାସ-ପ୍ରଭଞ୍ଜନ ମଲ୍ଲିକ, ୫୫ ବର୍ଷରୁ ଊର୍ଧ୍ବରେ ଗଙ୍ଗାଧର ଲେଙ୍କା-ସୋମେନ ଘୋଷଙ୍କୁ ୮-୦ରେ ହରାଇ ରବୀନ୍ଦ୍ର ସେନାପତି-ବିରଞ୍ଚି ମହାନ୍ତି ଏବଂ ୬୫ ବର୍ଷରୁ ଊର୍ଧ୍ବରେ ପ୍ରଭାତ ବକ୍ସି-ଭି ରମଣଙ୍କୁ ୭-୨ରେ ହରାଇ ଅରୁଣ ବୀର୍ଲା-ପ୍ରମୋଦ ପଟ୍ଟନାୟକ ବିଜେତା ଟ୍ରଫି ନେଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଓଡ଼ିଶା ଟେନିସ୍ ସଂଘ ସଭାପତି ଅସିତ ତ୍ରିପାଠୀ, ଜଗଦାନନ୍ଦ ମହାପାତ୍ର, କେଡିଟିଏ ସଭାପତି ମଧୁସୂଦନ ପାଢ଼ୀ, ସମ୍ପାଦକ ଅସିତ ପ୍ରଧାନ, ପ୍ରତିଯୋଗିତା ରେଫରି ଯତିନ ବତ୍ସ୍ୟ, ସହକାରୀ ଶିବୁ ସାମଲ ଏବଂ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର