ଭୁବନେଶ୍ବର: ସନ୍ତୋଷ ଟ୍ରଫି ପାଇଁ ଖେଳାଯାଉଥିବା ୭୬ତମ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ଶୁକ୍ରବାର ଓଡ଼ିଶା ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଗତଥରର ବିଜେତା କେରଳ ନିକଟରୁ ଘରୋଇ ଦଳ ୦-୧ ଗୋଲ୍ରେ ହାରି ଗୋଟିଏ ମ୍ୟାଚ୍ ପୂର୍ବରୁ ଆଗକୁ ବଢ଼ି ନପାରିବା ସମ୍ଭାବନା ବିଷୟରେ ସ୍ପଷ୍ଟ ହୋଇଛି। ଅଧିନାୟକ ଓ ଗୋଲ୍ରକ୍ଷକ ପରିବର୍ତନ କରି ଓଡ଼ିଶା ଅତ୍ୟନ୍ତ ସମନ୍ବୟହୀନ ଖେଳିଥିଲା ଏବଂ ଦୁର୍ବଳ ଫିନିସିଂ କାରଣରୁ ମ୍ୟାଚ୍ ହାରିବାକୁ ବାଧ୍ୟ ହୋଇଥିଲା। କେରଳ ଏକମାତ୍ର ଗୋଲ୍ ପେନାଲ୍ଟିରୁ ପାଇଥିଲା। ୧୬ ମିନିଟରେ ବଲ୍କୁ ଡିଫେଣ୍ଡ କରିବାକୁ ଯିବାବେଳେ ଏହା ଚନ୍ଦ୍ର ମୋହନ ମୁର୍ମୁଙ୍କ କାନ୍ଧ ତଳକୁ ବାଜିଥିଲା। ରେଫରି କିନ୍ତୁ ଏହାକୁ ହ୍ୟାଣ୍ଡ୍ବଲ୍ ଦର୍ଶାଇ ପେନାଲ୍ଟି ଦେଇଥିଲେ। ଯୁବ ତାରକା ନିଜୋ ଗିଲବର୍ଟ ଏହାକୁ ଗୋଲ୍ରେ ପରିଣତ କରି କେରଳକୁ ଆଗୁଆ ରଖିଥିଲେ। ଗିଲବର୍ଟ ମଧ୍ୟ ଚଳିତ ସଂସ୍କରଣରେ ବ୍ୟକ୍ତିଗତ ନବମ ଗୋଲ୍ ଦେଇ ନର ହରି ଶ୍ରେଷ୍ଠଙ୍କ ସହ ମିଳିତ ଶୀର୍ଷରେ ସାମିଲ ହୋଇଛନ୍ତି। ଏହି ଗୋଲ୍ ପରେ ଉଭୟ ଦଳ ପ୍ୟାଚ୍ ପ୍ୟାଚ୍ରେ ଭଲ ଖେଳି ସୁଯୋଗ ସୃଷ୍ଟି କରୁଥିଲେ ମଧ୍ୟ ଗୋଲ୍ ଦେବାରେ ବିଫଳ ହୋଇଥିଲେ।
ଓଡ଼ିଶା ପକ୍ଷରୁ ଅଧିନାୟକତ୍ବ କରିଥିବା ଚନ୍ଦ୍ର ମୋହନ ମୁଦୁଲିଙ୍କ ସହିତ ସେଖ୍ ଫରିଦ, ରାହୁଲ ମୁଖି ପ୍ରମୁଖ ପ୍ରଶଂସନୀୟ ଖେଳିଥିଲେ ମଧ୍ୟ ଏଥିରୁ ଫାଇଦା ମିଳିନଥିଲା। ଅଙ୍କିତ ଭୂ୍ୟାଁଙ୍କ ବଦଳରେ ସିଦ୍ଧାନ୍ତ ପଧାନ ମଧ୍ୟ ଭଲ ଗୋଲ୍କିପିଂ କରିଥିଲେ। ଦ୍ବିତୀୟାର୍ଦ୍ଧରେ ବିଦାୟୀ ଅଧିନାୟକ ପ୍ରବୀଣ ଟିଗା ଏକ ଗୋଲ୍ ବଞ୍ଚାଇଥିଲେ, କିନ୍ତୁ କାର୍ତିକ ହନ୍ତାଳଙ୍କୁ ମିଳିଥିବା ସୁବର୍ଣ୍ଣ ସୁଯୋଗ ବେକାର ଯିବାରୁ ଓଡ଼ିଶା ଖାଲି ହାତରେ ଫେରିବା ସହ ସନ୍ତୋଷ ଟ୍ରଫିର ଅସନ୍ତୋଷକୁ ଜାରି ରଖିଥିଲା। ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ୪ ମ୍ୟାଚ୍ରୁ ୪ ପଏଣ୍ଟ ସହ ଚତୁର୍ଥରେ ରହିଛି। ଶୁକ୍ରବାର ପଞ୍ଜାବ ୩-୧ ଗୋଲ୍ରେ ଗୋଆକୁ ପରାସ୍ତ କରି ୧୦ ପଏଣ୍ଟ ସହ ସେମିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି। ଅନ୍ୟ ଏକ ମ୍ୟାଚ୍ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ୩-୩ ଗୋଲ୍ରେ ଅମୀଂସିତ ରହିଛି। ଫଳରେ ଦ୍ବିତୀୟ ସେମିଫାଇନାଲିଷ୍ଟ ପାଇଁ ଏବେ କର୍ଣ୍ଣାଟକ (୮ ପଏଣ୍ଟ), କେରଳ (୭ ପଏଣ୍ଟ) ଦୌଡ଼ରେ ରହିଛନ୍ତି। ରବିବାର ଓଡ଼ିଶା-କର୍ଣ୍ଣାଟକ, ଗୋଆ-ମହାରାଷ୍ଟ୍ର, ପଞ୍ଜାବ-କେରଳ ମୁକାବିଲା ହେବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ।