ଗୋପିଙ୍କ କ୍ରୀଡ଼ା କଥନ, ଓଡ଼ିଶା ଲୋକ ଦେଶର ଦ୍ରୁତତମ

ଭୁବନେଶ୍ୱର: ‘‘ଓଡ଼ିଶା ବହୁତ ବିଶ୍ୱ ସ୍ତରୀୟ ହକି ଖେଳାଳି ସୃଷ୍ଟି କରିଛି। ଏହାକୁ ହକିର ଗଡ଼ ବୋଲି କୁହାଯାଏ। ହେଲେ ଆମେ ଏକଥା ଭୁଲି ଯାଉଛେ ଯେ ଓଡ଼ିଶାରୁ ରଚିତା ମିସ୍ତ୍ରୀ (ପଣ୍ଡା), ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଅମିୟ ମଲ୍ଲିକଙ୍କ ଭଳି ଧାବିକା, ଧାବକ ସୃଷ୍ଟି ହୋଇଛନ୍ତି। ଏମାନଙ୍କ ପ୍ରଦର୍ଶନ ଏବଂ ସଫଳତାକୁ ତର୍ଜମା କଲେ ସ୍ପଷ୍ଟ ହୋଇଯାଏ ଯେ ଉତ୍କଳୀୟମାନେ ହେଉଛନ୍ତି ଭାରତର ଦ୍ରୁତତମ ଲୋକ। ଏହାକୁୁ କେବଳ ଯାହା ଆନୁଷ୍ଠାନିକ ସ୍ୱୀକୃତି ମିଳିନି। ସୁବିଧା, ସୁଯୋଗ ତଥା ନିରବଚ୍ଛିନ୍ନ ସହଯୋଗ ମିଳିଲେ ଓଡ଼ିଶାରୁ ଆଗାମୀ ସମୟରେ ଆହୁରି ଅନେକ ବିଶ୍ୱସ୍ତରୀୟ ଧାବକ ସୃଷ୍ଟି ହେବାରେ କୌଣସି ଅସୁବିଧା ନାହିଁ’’

ରବିବାର ସଂଧ୍ୟାରେ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଜଗତର କିମ୍ବଦନ୍ତୀ ପୁରୁଷ ତଥା ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋପୀଚାନ୍ଦ ଏହା କହିଛନ୍ତି। ସେହିଭଳି ପୁରସ୍କାର ବିଜେତା ଦୀପସାନ ତିର୍କି ଏବଂ ସ୍ୱତନ୍ତ୍ର ଭାବେ ସମ୍ବର୍ଧିତ ହୋଇଥିବା ଧାବକ ଅମିୟ ମଲ୍ଲିକ ତଥା ଦୀପଗ୍ରେସ୍‌ ଏକ୍କାଙ୍କର ଭୂୟଶୀ ପ୍ରଶଂସା କରିବା ସହ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଓଡ଼ିଶା ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱ ଲିଗ ଭଳି ବୃହତ୍‌ ପ୍ରତିଯୋଗିତା ଆୟୋଜନ କରି ବିଶ୍ୱ ସ୍ତରରେ ପରିଚିତ ହୋଇ ପାରିଛି। ଭୁବନେଶ୍ୱରର ଛବି ବଦଳାଇବାରେ ଏହି ଦୁଇ ପ୍ରତିଯୋଗିତା ପ୍ରମୁଖ ଭୁମିକା ତୁଲାଇଛନ୍ତି। ମୁଁ ଭାବୁଛି ଏକ ରାଜ୍ୟ ଏବଂ ଦେଶରୁ ଯେତେ ଅଧିକ ଖେଳାଳି ସୃଷ୍ଟି ହେବେ ସେ ରାଜ୍ୟ ବା ଦେଶ ସେତେ ଲୋକପ୍ରିୟ ଏବଂ ପରିଚିତ ହୋଇ ପାରିବ। ଏହି କ୍ଷେତ୍ରରେ ଆମେ ମହେନ୍ଦ୍ର ସିଂହ ଧୋନି କିମ୍ବା ପିଭି ସିନ୍ଧୁଙ୍କ ଉଦାହରଣ ନେଇ ପାରିବା। ଧୋନିଙ୍କ ପାଇଁ ଝାଡ଼ଖଣ୍ଡ ଏବଂ ସିନ୍ଧୁ, ସାଇନାଙ୍କ ପାଇଁ ହାଇଦ୍ରାବାଦ ଏବେ ବିଶ୍ୱର କୋଣ ଅନୁକୋଣରେ ପରିଚିତ। ନିଜ ଖେଳାଳିଙ୍କ ପାଇଁ ମଧ୍ୟ ଓଡ଼ିଶା ବିଶ୍ୱ ଦରବାରରେ ନିଜ ସ୍ଥିତିକୁ ଜାହିର କରି ପାରିବ ବୋଲି ଏହି ଅବସରରେ ଗୋପୀ ମତବ୍ୟକ୍ତ କରିଥିଲେ।

ନେତାଙ୍କୁ ଆହ୍ଵାନ
ଦ୍ୱିତୀୟ ଭାରତୀୟ ଭାବେ ସମ୍ମାନଜନକ ଅଲଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଜିତିଥିବା ତଥା ସାଇନା ନେହଓ୍ଵାଲ, ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତଙ୍କ ଭଳି ଖେଳାଳି ସୃଷ୍ଟି କରି ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ମାନଚିତ୍ରରେ ଭାରତ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ଗୋପୀଚାନ୍ଦ ଆହୁରି କହିଥିଲେ ମୁଁ ହୃଦୟଙ୍ଗମ କରୁଛି ଯେ ଆମ ଦେଶରେ ସାଧାରଣ ଭାବନା ହେଉଛି ପାଠ ପଢ଼ାରେ ସବୁ କିଛି ଅଛି। ଏପରିକି ଦେଶ ଗଠନରେ ବଳିଷ୍ଠ ଭୂମିକା ନେଉଥିବା ବୁଦ୍ଧିଜୀବୀ ଓ ରାଜନେତାମାନେ ଖେଳର ମହତ୍ୱ ବୁଝୁ ନାହାନ୍ତି। ମୁଁ ଏମିତି ଅନେକ ରାଜନେତାଙ୍କୁ ଜାଣିଛି ଏବଂ ସେମାନଙ୍କ ମୁହଁରୁ ଶୁଣିଛି ଯେ ଖେଳ ହେଉଛି ଏମିତି ଏକ ବସ୍ତୁ ଯାହାକୁ ଧନୀକ ସମାଜ ଖାଦ୍ୟ ହଜମ କରିବାର ମାଧ୍ୟମ କରିଥାଆନ୍ତି। ଏପରିକି ଗୋଟିଏ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଏବଂ ଆମ ଦେଶର ଜଣେ ଖେଳମନ୍ତ୍ରୀଙ୍କ ଖେଳକୁ ନେଇ ନକାରାତ୍ମକ କଥା କହୁଥିବା ମୁଁ ନିଜ କାନରେ ଶୁଣିଛି। ଆମକୁ ଏହି ଧାରଣା ବଦଳାଇବାକୁ ହେବ। ରାଜନେତା ଏବଂ ଦେଶ ନିର୍ମାଣକାରୀଙ୍କୁ ଖେଳକୁ ତା’ର ନାଯ୍ୟ ହକ୍‌ ଦେବାକୁ ହେବ। ମୋ ମତରେ ଖେଳ ଖେଳୁଥିବା ସମସ୍ତ ଲୋକ ଜଣେ ଜଣେ ବିଜେତା। କେବେ କେବେ କୌଣସି କାରଣରୁ ଖେଳ ବିବାଦୀୟ ହୋଇ ଯାଉଛି। ହେଲେ ଖେଳ ଏମିତି ଏକ ବସ୍ତୁ ଯାହା ସମଗ୍ର ସମାଜ ଏବଂ ଦେଶ ତଥା ରାଜ୍ୟକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ।

ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ବିଜେତା
କେବଳ ଜିତିବା ନୁହେଁ, ଖେଳିବା ଏବଂ ଖେଳକୁ ଉପଯୋଗ କରିବା ପାଇଁ ପଡ଼ିଆକୁ ଓହ୍ଲାଇବାକୁ ସମସ୍ତଙ୍କୁ ଗୋପୀ ଆହ୍ଵାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ମୋ ପାଇଁ ଖେଳର ମାନେ ଥିଲା ଶ୍ରେଷ୍ଠ ପ୍ରତିଭା ଚିହ୍ନଟ କରି ବିଜେତା ସୃଷ୍ଟି କରିବା। ହେଲେ କିଛି ବର୍ଷ ତଳେ ମୋ ଏକାଡେମିରେ ପ୍ରଶିକ୍ଷଣ ନେଉଥିବା ଗୋଟିଏ ଛୋଟ ଝିଅର ନୀରିହ ପ୍ରଶ୍ନ ମୋତେ ଅନେକ କିଛି ଶିଖାଇ ଦେଇଥିଲା। ତା’ ପରେ ମୋ ଜୀବନବଦଳି ଯାଇଥିଲା। ଖେଳକୁ ମୁଁ ଆଉ କେବଳ ସଫଳତାର ମାଧ୍ୟମ ଭାବେ ଦେଖି ନଥିଲି। ମୁଁ ଭାବେ ଯେ ଖେଳ ଖେଳୁଥିବା ପ୍ରତ୍ୟେକ ଲୋକ ଜଣେ ଜଣେ ବିଜେତା। କାରଣ ଜିତିବା ସବୁ କିଛି ନୁହେଁ। ମୁଁ ଅନେକ ସଫଳତା ଲାଭ କରିଛି। ବିଫଳକୁ ବି ପାଖରୁ ଦେଖିଛି। ଏଣୁ ଖେଳାଳି ପାଇଁ ପଦକ ସବୁକିଛି ନୁହେଁ ବୋଲି ଭାବୁଛି। ଏବେକାର ପିଲାଙ୍କ ପାଖରେ ସବୁ କିଛି ଅଛି। ସେମାନଙ୍କ ହାତପାହାନ୍ତାରେ ମନୋରଞ୍ଜନର ଅନେକ ମାଧ୍ୟମ ରହିଛି। ସେମାନେ ଆମ ଭଳି ଦୌଡ଼ିବା, ଗଛରେ ଚଢ଼ିବା ଭଳି ଛୋଟ ଛୋଟ କାମ ଶିଖୁ ନାହନ୍ତି। ଦେଶର ପ୍ରଗତି ଦେଖି ଆମେ ବହୁତ ଖୁସି ହେଉଛେ। ହେଲେ ପିଲାମାନଙ୍କୁ କ’ଣ ଦେଇଛେ? ସେମାନଙ୍କୁ ସବୁ କ୍ଷେତ୍ରର ଜଣେ ପ୍ରଶିକ୍ଷକଙ୍କ ଆବଶ୍ୟକତା ହେଉଛି। ଏହାକୁ ସର୍ବାଙ୍ଗିନ ବିକାଶ କୁହା ଯାଇ ନପାରେ। ଖେଳ ପ୍ରତି ସୃଷ୍ଟି ହୋଇଥିବା ସଚେତନତା ଦେଖି ଅବଶ୍ୟ ବହୁତ ଖୁସି ଲାଗୁଛି। ଆମେ ଏବେ ସଠିକ୍‌ ପଥର ପଥିକ ବୋଲି ଭାବୁଛି।

କ୍ରୀଡ଼ାର ଅନ୍ୟନାମ ଆନନ୍ଦ
ଗୋପୀ ଆହୁରି କହିଥିଲେ ଯେ ଆମେ ଯେତେବେଳେ କୌଣସି ଶାରୀରିକ ଶିକ୍ଷା ଶ୍ରେଣୀକୁ ଯାଏ, ସେତେବେଳେ ଦେଖିବାକୁ ପାଇଥାଉ ଯେ ଶିକ୍ଷକ ସବୁଠାରୁ ଭଲ ପଢ଼ୁଥିବା ଖେଳାଳିଙ୍କୁ ପ୍ରଶିକ୍ଷଣ ପାଇଁ ଅନେକ ସମୟରେ ବାଛନ୍ତି ନାହିଁ। କାରଣ ସେ ହୃଦୟଙ୍ଗମ କରିନ୍ତି ଯେ ସବାଶେଷରେ ରହୁଥିବା ପିଲାମାନେ ହିଁ ଶାରୀରିକ ଶିକ୍ଷାକୁ ମନଭରି ଉପଭୋଗ କରନ୍ତି। ଦୌଡ଼କୁଦର ଶେଷ ସ୍ଥାନରେ ରହୁଥିବା ପିଲା ବି ତା’ ଦୌଡ଼କୁ ଉପଭୋଗ କରେ। କହିବାର ତାତ୍ପର୍ଯ୍ୟ ଏହିକି ଯେ ସବୁବେଳେ ଜଣେ ଖେଳାଳି ଯେ ଜିତିବ ତାହା କହିହେବ ନାହିଁ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ହିଁ ସବୁଠାରୁ ବଡ଼ କଥା। ତା ମାନେ ନୁହେଁ ଯେ ଆମେ ଶ୍ରେଷ୍ଠ ହେବାକୁ ଚେଷ୍ଟା କରିବାନି? ସଂପ୍ରତି ଓଡ଼ିଶାରେ ଖେଳକୁ ମିଳୁଥିବା ପ୍ରୋତ୍ସାହନ ଓ ଭଲ ପାଇବା ଦେଖି ମୋତେ ବହୁତ ଖୁସି ଲାଗୁଛି। ଆଗାମୀ ସମୟରେ ଏହା ଏହି ରାଜ୍ୟକୁ ନିଶ୍ଚିତ ଭାବେ ଆଗକୁ ନେବ। ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଖେଳକୁ ଅନେକ ଗୁୁରୁତ୍ୱ ଦିଅନ୍ତି। ମୁଁ ଭାବେ ଖେଳ ଗୋଟିଏ ଦେଶକୁ ଉପରକୁ ନେଇ ଯାଇଥାଏ। ବିଜେତା କେବଳ ତାଙ୍କୁ କିମ୍ବା ତା’ ପରିବାରକୁ ଖୁସି ଦେଇ ନଥାଏ। ସମଗ୍ର ଦେଶକୁ ଆନନ୍ଦ ହେବାର କାରଣ ପ୍ରଦାନ କରିଥାଏ। ପିଭି ସିନ୍ଧୁ ଯେତେବେଳେ ଅଲମ୍ପିକ୍ସ ପଦକ ଜିତିଲେ ଏହି ଖବରରେ ସାରା ଦେଶ ଉଲ୍ଲସିତ ହୋଇ ଯାଇଥିଲା। ଏହି ଭାବନା କେବଳ ଖେଳରୁ ମିଳି ପାରିବ। ଯେତେ ଟଙ୍କା ଥିଲେ ମଧ୍ୟ ଖୁସିକୁ କେବେ କିଣି ହେବନି। ଏଣୁ ଯୁବ ଖେଳାଳିମାନେ ପଦକ ଜିତି ଆମ ଦେଶକୁ ଯେଉଁ ଖୁସି ଦିଅନ୍ତି ସେତେ ଖୁସି ଅନ୍ୟ କେହି ଦେଇ ପାରନ୍ତି ନାହିଁ। କ୍ରୀଡ଼ାର ଅନ୍ୟନାମ ହିଁ ଆନନ୍ଦ। ଏହା ଦୁଃର୍ମୂଲ୍ୟ। କର୍ଣ୍ଣମ ମାଲେଶ୍ୱରୀଙ୍କ ଅଲିମ୍ପିକ୍ସ ପଦକ ମୋତେ ଖେଳକୁ ଆସିବାକୁ ପ୍ରେରଣା ଦେଇଥିଲା। ଏବେକାର ଖେଳାଳିଙ୍କ ସଫଳତା ଅଧିକରୁ ଅଧିକ ଅବିଭାବକଙ୍କୁ ନିଜ ପିଲାଙ୍କୁ କ୍ରୀଡ଼ା କ୍ଷେତ୍ରକୁ ଛାଡ଼ିବା ଲାଗି ଅନୁପ୍ରେରିତ କରିବ ବୋଲି ଭାବୁଛି।

ରୌପ୍ୟ ଜୟନ୍ତୀରେ ଦୀପସାନ୍‌ ଏକଲବ୍ୟ
ଅମିୟ, ଦୀପଗ୍ରେସ୍‌ ସମ୍ମାନିତ

 

ଚନ୍ଦ୍ରଶେଖରପୁର: ଦାତବ୍ୟ ଅନୁଷ୍ଠାନ ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ‘ଏକଲବ୍ୟ କ୍ରୀଡ଼ା ପୁରସ୍କାର’ର ରୌପ୍ୟ ଜୟନ୍ତୀ ବିଜେତା ହୋଇଛନ୍ତି ହକି ତାରକା ଦୀପସାନ୍‌ ତିର୍କି। ରବିବାର ସଂଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦୀପସାନ୍‌ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ତାଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ସେହିଭଳି ରାଜ୍ୟ କ୍ରୀଡ଼ା ଜଗତର ଅନ୍ୟ ଦୁଇ ସଫଳ ତାରକା ଧାବକ ଅମିୟ ମଲ୍ଲିକ ଏବଂ ମହିଳା ହକି ତାରକା ଦୀପଗ୍ରେସ୍‌ ଏକ୍କାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ଉଭୟ ପ୍ରଶସ୍ତିପତ୍ର ସହ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ଏସୀୟ ହକି ପ୍ରତିଯୋଗିତା ବିଜେତା ଦଳର ସଦସ୍ୟ ଦୀପସାନ୍‌ ଏବଂ ଦେଶର ଦ୍ରୁତତମ ଧାବକ ଅମିୟ ବ୍ୟକ୍ତିଗତ ଭାବେ ଏହି ପୁରସ୍କାର ଗ୍ରହଣ କରିଥିଲେ। ତେବେ ସଂପ୍ରତି ଜାତୀୟ ପ୍ରଶିକ୍ଷଣ ଶିବିରରେ ଥିବାରୁ ଦୀପଗ୍ରେସ୍‌ଙ୍କ ବଦଳରେ ତାଙ୍କ ଭାଇ ଦୀନେଶ ଏକ୍କା ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ରୌପ୍ୟ ଜୟନ୍ତୀ ବର୍ଷ ଉପଲକ୍ଷେ ଉତ୍ସବରେ ଉପସ୍ଥିତ ଥିବା ଅନକେ ପୂର୍ବ ବିଜେତାଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ୨୦୧୬ରେ ଦୀପସାନ୍‌ ସମ୍ମାନିତ ହୋଇଥିଲା ବେଳେ ୨୦୧୭ରେ ଏକଲବ୍ୟ ପୁରସ୍କାର ଲାଭ କରିବା ତାଙ୍କ ପାଇଁ ସ୍ୱତନ୍ତ୍ର ଅନୁଭୂତି ଥିଲା।

ଆଜି ଭୁବନେଶ୍ୱର ଏକ୍ସଆଇଏମବିରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି, ବ୍ୟାଡ଼୍‍ମିଣ୍ଟନ ଜଗତର ଅଗ୍ରଣୀ ନାମ ତଥା କୋଚ୍‌ ପୁଲେଲା ଗୋପୀଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ। ଅଗ୍ନୀସେବା ବିଭାଗ ଡିଜି ବି କେ ଶର୍ମା ଇମ୍ପାକ୍ଟ ଟ୍ରଷ୍ଟି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସମ୍ମାନିତ ଅତିଥି ଥିଲେ।

ଏକଲବ୍ୟ କମିଟି ଆବାହକ ଅଶୋକ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜୁରୀ କମିଟି ସଦସ୍ୟ ଏସ୍‌ ଏମ୍‌ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଅଲିମ୍ପିଆନ୍‌ ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, କରାଟେ କୁଇନ୍‌ ଭାଲିନା ଭାଲେଣ୍ଟିନା, ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଲାଜରୁସ୍‌ ବାର୍ଲା, ନୌଚାଳନା ତାରକା ପ୍ରତିମା ପୁହାଣ, ବର୍ଷିୟାନ କ୍ରିକେଟ୍‌ ପ୍ରଶିକ୍ଷକ କିଶୋାର ମାଣିଆ, ଚେସ୍‌ ତାରକା ପଦ୍ମିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଦୀପାସନ୍‌ ଏବଂ ଅମୀୟ ପୁରସ୍କାର ଲାଗି ଇମ୍ପାକ୍ଟକୁ ଧନ୍ୟବାଦ ଦେବା ସହ ଆଗାମୀ ସମୟରେ ମଧ୍ୟ କ୍ରୀଡ଼ାବିତଙ୍କୁ ଏହିଭଳି ସମର୍ଥନ ଜାରି ରଖିବାକୁ ଇମ୍ପାକ୍ଟ କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ। ଦୀର୍ଘ ୨୫ ବର୍ଷ ଧରି ଇମ୍ପାକ୍ଟ ଏହି ପୁରସ୍କାର ମାଧ୍ୟରେ ରାଜ୍ୟର ଉଦୀୟମାନ କ୍ରୀଡ଼ା ତାରକାଙ୍କୁ ଉତ୍ସାହିତ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ବଳିଷ୍ଠ ପଦକ୍ଷେପ ବୋଲି ଉଭୟ ମତ ରଖିଥିଲେ। ସେହିଭଳି ରାଜ୍ୟର କର୍ପୋରେଟ୍‌ ଜଗତ ନିଜର ସିଏସ୍‌ଆର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ କ୍ରୀଡ଼ା ଜଗତକୁ ସହାୟତାର ହାତ ବଢ଼ାଇବାକୁ ଦୁଇ ଜଣ ଯାକ ଆହ୍ଵାନ କରିଥିଲେ।

ସମ୍ବନ୍ଧିତ ଖବର