ଭାଗ୍ୟ ଖୋଲିବା ଲକ୍ଷ୍ୟରେ ଓଡ଼ିଶା: ଆଜି ବେଙ୍ଗାଲୁରୁକୁ ଭେଟିବ, କ୍ରିଷ୍ଣାଙ୍କ ଗୋଲ୍‌ରେ ଜିତିଲା ଏଟିକେ ମୋହନବାଗାନ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସଂଘର୍ଷ କରୁଥିବା ଓଡ଼ିଶା ଏଫ୍‌ସି ନିଜ ଭାଗ୍ୟ ଖୋଲିବା ଲକ୍ଷ୍ୟ ନେଇ ଗୁରୁବାର ବାମ୍ବୋଲିମସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ‌। ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥିତି ଭଲ ନାହିଁ। ୫ ମ୍ୟାଚ୍‌ ଖେଳି କେବଳ ଗୋଟିଏ ପଏଣ୍ଟ୍‌ ପାଇଥିଲା ବେଳେ ମାତ୍ର ଦୁଇଟି ଗୋଲ୍‌ କରିଛି। ଏହି ଦୁଇଟି ଯାକ ଗୋଲ୍‌ ୧୦ ଜଣିଆ ଜାମସେଦପୁର ଏଫ୍‌ସି ବିପକ୍ଷରେ ଓଡ଼ିଶା କରିଥିଲା। ଗୁରୁବାର ଭୁବନେଶ୍ବରର ଏହି ଦଳ ପୂବର୍ତନ ବିଜେତା ତଥା ଏପର୍ଯ୍ୟନ୍ତ ଚଳିତ ଋତୁରେ ଅପରାଜେୟ ଥିବା ସୁନିଲ ଛେତ୍ରୀଙ୍କ ନେତୃତ୍ବାଧୀନ ବେଙ୍ଗାଲୁରୁକୁ ଭେଟିବ।

ଷ୍ଟୁଆର୍ଟ ବାକ୍ସଟରଙ୍କ ଦଳର ମ୍ୟାଚ୍‌ ପ୍ରତି ହାରାହାରି ଟାର୍ଗେଟ୍‌ ସଟ୍‌ ୨.୪ ରହିଛି। ଫଳରେ ଏହା ଇଂଲିସ ପ୍ରଶିକ୍ଷକଙ୍କୁ ଚିନ୍ତାରେ ପକାଇଛି। ଆଗାମୀ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଖେଳ ଉପରେ ସେ ଜୋର୍‌ ଦେଇପାରନ୍ତି। ‘‘ଆମର ଆକ୍ରମଣସ୍ତରକୁ ବଢ଼ାଇବାକୁ ପଡ଼ିବ। ଯଦି ଆମେ ଗତି ହାସଲ କରିବା ସହ ପ୍ରତିପକ୍ଷର ଗତିକୁ ନେଇପାରିବା ତେବେ ଏହା ସହଯୋଗ କରିପାରେ। ମୁଁ ଭାବୁନି ଯେ ଗୋଲ୍‌ ବରଣରେ ସେଣ୍ଟରବ୍ୟାକ୍‌ର ଭୂମିକା ରହିଛି। ଆମେ କିଛି ମ୍ୟାଚ୍‌ରେ ଭଲ ଗୋଲ୍‌ ଅଟକାଇଛୁ। ଦଳର ସମସ୍ତ ବିଭାଗକୁ ପ୍ରଦର୍ଶନ କରିବାକୁ ପଡ଼ିବ’’ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ବାକ୍ସଟର ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛି। ୫ ମ୍ୟାଚ୍‌ ଖେଳି ୨ ବିଜୟ ଓ ୩ ଅମୀମାଂସିତରୁ ୯ ପଏଣ୍ଟ ପାଇ ଟେବୁଲର ଚତୁର୍ଥରେ ରହିଛି। ଦଳର ଦୁଇ ତାରକା ଖେଳାଳି ସ୍ଲେଇଟନ ସିଲ୍‌ଭା ଓ ସୁନିଲ ଛେତ୍ରୀଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। କେରଳ ବିପକ୍ଷ ଗତ ମ୍ୟାଚ୍‌ରେ ‌ବଡ଼ ବିଜୟ ପାଇଥିବାରୁ ଏହା ଦଳର ମ‌ନୋବଳକୁ ଦୃଢ଼ କରିଛି। ଏହି ଦଳକୁ ନେଇ ଓଡ଼ିଶା ‌ବିପକ୍ଷରେ ଖେଳିବାକୁ ବେଙ୍ଗାଲୁରୁ ପ୍ରଶିକ୍ଷକ କାର୍ଲେସ କୁଆଡ୍ରାଟ ଯୋଜନା କରିଛନ୍ତି। ‘‘ମୁଁ ଜାଣିଛି ମୋ ଖେଳାଳିଙ୍କ କିଛି ଆତ୍ମତୃପ୍ତି ନାହିଁ। ସେମାନେ ପ୍ରତିଦ୍ବନ୍ଦ୍ବୀ ଏବଂ ନିଶ୍ଚିତ ଯେ ପୂରା ୩ ପଏଣ୍ଟ ପାଇଁ ଚେ‌ଷ୍ଟା କରିବେ। ଆଇଏସ୍‌ଏଲ୍‌ରେ ଆମେ କୌଣସି ଦଳକୁ ହେୟ ମନେ କରୁନୁ। ଏହି ଲିଗ୍‌ରେ କୌଣସି ବି ଦଳ କୌଣସି ଦଳକୁ ହରାଇବାର କ୍ଷମତା ରଖିଛନ୍ତି। ନିଶ୍ଚିତ ଯେ ଓଡ଼ିଶା ଭଳି ଦଳ ଭାରି ବିପଦପୂର୍ଣ୍ଣ। ସେମାନେ ପଏଣ୍ଟ୍‌ ପାଇଁ ‌ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ। ଆମେ ସମସ୍ତେ ଏହା ଉପରେ ନଜର ରଖିଛୁ ବୋଲି କୁଆଡ୍ରାଟ କହିଛନ୍ତି।

ଗୋଆ: ରୟ କ୍ରିଷ୍ଣା (୮୫ ମିନିଟ୍‌)ଙ୍କ ପେନାଲ୍‌ଟି ଗୋଲ୍‌ ବଳରେ ବୁଧବାର ଚଳିତ ଆଇଏସ୍‌ଏଲ୍‌ରେ ‌ଏଟିକେ ମୋହନବାଗାନ ଏଫ୍‌ସି ବିଜୟୀ ହୋଇଛି। ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ଏହି ବିଜୟ ସହ ‌ଏଟିକେ ମୋହନବାଗାନ ୧୩ ପଏଣ୍ଟ୍‌ ସହ ଟେବୁଲର ଦ୍ବିତୀୟକୁ ଉଠିଛି। ଅନ୍ୟପକ୍ଷରେ ଗୋଆ (୮ ପଏଣ୍ଟ୍‌) ତୃତୀୟ ପରାଜୟ ବରଣ କରି ଷଷ୍ଠରେ ରହିଛି।

ସମ୍ବନ୍ଧିତ ଖବର