ଭୁବନେଶ୍ବର: ଜର୍ମାନୀର ରାଇନେ-ରୁହରଠାରେ ଚାଲିଥିବା ଫିସୁ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ଏଥିରେ ଓଡ଼ିଶା ଖେଳାଳିମାନେ ଉପଯୋଗୀ ଯୋଗଦାନ ରଖିବା ଉଲ୍ଲେଖନୀୟ ହୋଇଛି। ଭାରତର ଉଭୟ ମହିଳା ଓ ପୁରୁଷ ଟେବୁଲ୍ ଟେନିସ୍ ଦଳ ସହ ପୁରୁଷ ବ୍ୟାଡ୍ମିଣ୍ଟନ୍ ଦଳ ମଧ୍ୟ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏମାନେ ପଦକ ସୁନିଶ୍ଚିତ କରିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଦୁଇଟି ଯାକ ଦଳ ଏହି ପ୍ରତିଯୋଗିତା ଲାଗି କିଟ୍ ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତି କରୁଥିଲେ। ପୁଣି କିଟ୍ ବିଶ୍ବବିଦ୍ୟାଳୟର ଅବିନାଶ ମହାନ୍ତି ଭାରତୀୟ ଦଳର ପୁରୁଷ ଯୁଗଳ ବ୍ୟାଡ୍ମିଣ୍ଟନ୍ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ବର୍ଗର କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତ ଶକ୍ତିଶାଳୀ ମାଲେସିଆକୁ ଭେଟିବ।
ବହୁ ପ୍ରତୀକ୍ଷିତ ଆଥଲେଟିକ୍ସ ଓ ତୀରନ୍ଦାଜି ରବିବାରଠାରୁ ଆରମ୍ଭ ହେବ। ଏଥିରେ କିଟ୍ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ଦେଶର ଦ୍ରୁତତମ ଧାବକ ଅନିମେଷ କୁଜୁର ୧୦୦ ଓ ୨୦୦ ମିଟର ସହ ୪ଗୁଣା୧୦୦ ରିଲେ ଦୌଡ଼ରେ ଭାରତ ପାଇଁ ପଦକ ଜିତିବାକୁ ଚେଷ୍ଟା କରିବେ। ଏହି ସଫଳତା ଲାଗି କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର୍ ଅଚ୍ୟୁତ ସାମନ୍ତ ଆତ୍ମସନ୍ତୋଷ ଜାହିର କରିବା ସହ ଉଭୟ କେନ୍ଦ୍ର ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଚୀନର ଚେଙ୍ଗଡ଼ୁଠାରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ୧୦ ସ୍ବର୍ଣ୍ଣ ସହ ୨୭ ପଦକ ଜିତିଥିଲା। ଏଥର ଭାରତ ପୂର୍ବାପେକ୍ଷା ଅଧିକ ପଦକ ଜିତିବ ବୋଲି ଶ୍ରୀ ସାମନ୍ତ ଦୃଢ଼ ଆଶା ପୋଷଣ କରିଛନ୍ତି। ସୂଚନାଯୋଗ୍ୟ, ଏହି ପ୍ରତିଯୋଗିତାରେ କିଟ୍ରୁ ୪୦ଜଣ, ଉତ୍କଳ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/20/gjdgjcnbcncbn-2025-07-20-01-26-06.jpg)