ଓଡ଼ିଶା ପୁଲିସ୍, ରେଳବାଇ, ରାଇଜିଂ ବିଜୟୀ

ବଢ଼ୁଛି ଆହତ ଖେଳାଳିଙ୍କ ସଂଖ୍ୟା, ନାହାନ୍ତି ଡାକ୍ତର

ଭୁବନେଶ୍ବର: ଭୁବନେଶ୍ବରର ଦୁଇଟି ପଡ଼ିଆରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍ (ଓଡବ୍‌ଲ୍ୟୁଏଲ୍‌) ଫୁଟ୍‌ବଲ୍ ପ୍ରତିଯୋଗିତାରେ ଶନିବାର ଓଡ଼ିଶା ପୁଲିସ୍, ପୂର୍ବତଟ ରେଳବାଇ, ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜୟୀ ହୋଇଛି। କ୍ୟାପିଟାଲ୍‌ ହାଇସ୍କୁଲ୍‌ ପଡ଼ିଆରେ ଓଡ଼ିଶା ପୁଲିସ୍‌ ଦଳ ୧-୦ ଗୋଲ୍‌ରେ ଓଜିପି କ୍ଲବ୍‌କୁ ପରାସ୍ତ କରିଥିଲା। ଏକମାତ୍ର ଗୋଲଟି ଜସ୍ମିନ୍ ସମଦ ୩୦ତମ ମିନିଟରେ ଦେଇଥିଲେ।

ମନୀଷା ନାଏକ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ‌‌ ଖେଳାଳି ବିବେଚିତ ହୋଇଥିଲେ। ଜ୍ୟୋତିରଂଜନ ସ୍ବାଇଁ, ଚନ୍ଦ୍ରକାନ୍ତ ବାରିକ, ସୁଲତାନା ପରବିନ୍‌, ବିଚିତ୍ର ପ୍ରଧାନ, ଦୁର୍ଗାମାଧବ ନାଏକ ମ୍ୟାଚ୍‌ ପରିଚାଳନା କରିଥିଲେ। ସେହି ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ସ ୧-୦ ଗୋଲ୍‌ରେ ସାଇ-ଏସଟିସିକୁ ପରାସ୍ତ କରିଥିଲା। ରାଇଜିଂ ପକ୍ଷରୁ ଏକମାତ୍ର ଗୋଲଟି ଯଶୋଦା ମୁଣ୍ଡା ୨୦ତମ ମିନିଟରେ ସ୍କୋର୍‌ କରିଥିଲେ। ବିଷ୍ଣୁପ୍ରିୟା ଦାସ, ଅମିରା ପ୍ରଧାନ, ବିଚିତ୍ର ପ୍ରଧାନ, ଜ୍ୟୋତିରଂଜନ ସ୍ବାଇଁ, ଦୁର୍ଗାମାଧବ ନାଏକ, ସୁଦୀପ୍ତା ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସରୋଜିନୀ ତିର୍କିଙ୍କ ପ୍ରଥମ ମିନିଟ୍‌ ଗୋଲ୍ ବଳରେ ପୂର୍ବତଟ ରେଳବାଇ ଦଳ ୧-୦ ଗୋଲରେ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଥିଲଶ। ସରୋଜିନୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତା ହୋଇଥିଲେ। ଦିଗବିଜୟ ଦାସ, ଅମିରା ପ୍ରଧାନ, ଲକ୍ଷ୍ମୀପ୍ରସାଦ ନାଇଡୁ, ଶଶୀକାନ୍ତ ଦାସିଆ, ସୁଦୀପ୍ତା ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। ପରବର୍ତୀ ମ୍ୟାଚ୍‌ରେ ସୋମବାର ଓଡ଼ିଶା ପୁଲିସ୍‌-ପୂର୍ବତଟ ରେଳବାଇ (ସକାଳ ୭.୩୦, କ୍ୟାପିଟାଲ୍ ହାଇସ୍କୁଲ୍ ପଡିଆ), ସାଇ-ଏସଟିସି (ଅପରାହ୍ଣ ୩.୩୦, କଳିଙ୍ଗ ଷ୍ଟାଡିୟମ୍‌) ଏବଂ ଓଜିପି କ୍ଲବ୍-ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍‌ (ଅପରାହ୍ଣ ୩.୩୦, କ୍ୟାପିଟାଲ୍‌ ହାଇସ୍କୁଲ୍‌ ଗ୍ରାଉଣ୍ଡ) ମଧ୍ୟରେ ମୁକାବିଲା ହେବ।

ବଢ଼ୁଛି ଆହତ ଖେଳାଳିଙ୍କ ସଂଖ୍ୟା, ନାହାନ୍ତି ଡାକ୍ତର

ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ଓଡବଲ୍ୟୁଏଲ୍‌ରେ ଖେଳାଳିଙ୍କ ଆହତ ସମସ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଡାକ୍ତରଙ୍କ ଅନୁପସ୍ଥିତି ଓ ଗୋଟିଏ ମାତ୍ର ଆମ୍ବୁଲାନ୍ସରେ କାମ ଚଳାଇ ନିଆଯାଉଛି। ଶନିବାର କ୍ୟାପିଟାଲ୍ ହାଇସ୍କୁଲ୍‌ ପଡ଼ିଆରେ ଓଡ଼ିଶା ପୁଲିସ୍‌ ବିପକ୍ଷ ମ୍ୟାଚ୍ ‌ବେଳେ ଓଜିପି କ୍ଲବ୍‌ର ଜଣେ ଖେଳାଳିଙ୍କ ହାତ ଭାଙ୍ଗିଛି। ରବିବାର ତାଙ୍କ ହାତରେ ପ୍ଲାଷ୍ଟର ହେବ ବୋଲି ସୂଚନା ମିଳିଛି। ଆୟୋଜକଙ୍କ ଅବହେଳାରୁ ଅଧିକାଂଶ‌‌ ଖେଳାଳିଙ୍କୁ ପଡିଆରେ ଡାକ୍ତରଙ୍କ ଚିକିତ୍ସା ମିଳୁନଥିବାର ଅଭିଯୋଗ ହୋଇଛି।

ସେହ‌ିଭଳି କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାର ପୂର୍ବତଟ ରେଳବାଇ ବିପକ୍ଷ ମ୍ୟାଚ୍‌ ବେଳେ କ୍ରୀଡ଼ା ଛାତ୍ରାବାସର ଦୁଇ ଜଣ ଖେଳାଳି ଆହତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ଗୋଇଠିରେ ଆଘାତ ଲାଗିଛି। ଏତେ ବଡ଼ ପ୍ରତିଯୋଗିତା ବେଳେ ଡାକ୍ତର ନିଯୁକ୍ତ ନ ହେବା ଏବଂ ସଂରକ୍ଷିତ ଆମ୍ବୁଲାନ୍ସ ନଥିବାରୁ ମ୍ୟାଚ୍‌ ପରେ ‌ଆହତ ଖେଳାଳିଙ୍କୁ ଡାକ୍ତରଖାନା ନେବାର ମନୋବୃତ୍ତିକୁ ଅନେକ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର